ପୁଣି ଝାରସୁଗୁଡ଼ା ଉପେକ୍ଷିତ : କେବେ ହେବ ମେଡିକାଲ କଲେଜ?
ଝାରସୁଗୁଡ଼ା: ସୁଦୃଢ ଭିତ୍ତିଭୂମି ଓ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସତ୍ତ୍ୱେ ଝାରସୁଗୁଡ଼ା ମେଡିକାଲ କଲେଜ ପାଇଁ ଉପେକ୍ଷିତ । ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଘୋଷଣା କରି ସାରିଛନ୍ତି । ମାତ୍ର ଗତ ୨୯ ତାରିଖ ଦିନ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ୮ଜିଲ୍ଲାରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ବଜେଟ୍ ବ୍ୟବସ୍ଥା ହୋଇ ସାରିଥିବା ଘୋଷଣା କରିଥିଲେ । ମାତ୍ର ଏହି ତାଲିକାରେ ଝାରସୁଗୁଡ଼ା ଜିଲ୍ଲା ସ୍ଥାନ ପାଇ ପାରିନାହିଁ । ଝାରସୁଗୁଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ବିଳମ୍ବିତ ହେଉଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି ।
ଦୀର୍ଘ ୫ ବର୍ଷ ହେଲା ଝାରସୁଗୁଡ଼ା ଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା । ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ମେଡିକାଲ କଲେଜ, ଡାକ୍ତରଖାନା ତଥା ୱେଲନେସ୍ ସେଣ୍ଟର ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ଲାଗି ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସ ଗତ ୨୦୨୦ ମସିହା ମହାମାରୀ କୋଭିଡ୍ କାଳରେ ସଂକେତ ଦେଇଥିଲେ । ସେହି ଅନୁଯାୟୀ ରାଜ୍ୟ ସରକାର ମେଡିକାଲ କଲେଜକୁ ଜମି ଯୋଗାଇବାକୁ ପଦକ୍ଷେପ ସ୍ୱରୂପ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ପଠାଇବାକୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଗତ ୨୦୨୨ମସିହା ମାର୍ଚ୍ଚ ୨୮ତାରିଖ ଦିନ ଲୋକସେବା ଭବନ ଭୁବନେଶ୍ୱର ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ତଥା ତତ୍କାଳୀନ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଶହେ ଶଯ୍ୟା ବିଶିଷ୍ଟ ଶ୍ରୀ ଶ୍ରୀ ରବିଶଙ୍କର ମେଡିକାଲ କଲେଜ ଏବଂ ୱେଲନେସ୍ ସେଣ୍ଟର କ୍ୟାମ୍ପସ୍ ଲାଗି ହୋଇଥିବା ଅଗ୍ରଗତିର ସମୀକ୍ଷା କରଯାଇଥିଲା । ପ୍ରସ୍ତାବିତ ମେଡିକାଲ କଲେଜ ପାଇଁ ଖୁବ୍ଶୀଘ୍ର ବିସ୍ତୃତ ପ୍ରକଳ୍ପ ବିବରଣୀ(ଡିପିଆର) ପ୍ରସ୍ତୁତ ପୂର୍ବକ ଉପସ୍ଥାପନ କରାଯାଇ ଡିଏମ୍ ଇଟିଙ୍କ ଦ୍ୱାରା ଅନୁମୋଦନ ପରେ ସରକାରୀସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଘୋଷଣା ହୋଇଥିଲା । ୫୦ଏକର ପରିମିତ ଜମିରେ ପ୍ରସ୍ତାବିତ ୱେଲନେସ୍ ସେଣ୍ଟର ମଧ୍ୟରେ ଆୟୁର୍ବେଦ, ନେତୁରାପଥି, ଯୋଗ, ପଞ୍ଚକର୍ମ ଏବଂ ମାନସିକ ସ୍ୱାସ୍ଥ୍ୟ ଭଳି ବିଭିନ୍ନ ସୁବିଧା ଉପଲବ୍ଧ ରହିବା ସାଙ୍ଗକୁ କଲେଜ ଓ ୱେଲନେସ ସେଣ୍ଟରକୁ ଅଲଗା ଅଲଗା ଭାବେ ନିର୍ମାଣ କରାଯିବାକୁ କୁହାଯାଇଥିଲା । ଏହା ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜରେ କ୍ଲିନିକାଲ୍ ସୁବିଧା ସହ ଡାକ୍ତରୀ ଶିକ୍ଷା ଲାଭ ପାଇଁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ ପାଠ୍ୟକ୍ରମର ବ୍ୟବସ୍ଥା ରହିବା ବୋଲି ସୂଚନା ରହିଥିଲା । ହେଲେ ଦୀର୍ଘ ପାଞ୍ଚ ବର୍ଷର ପ୍ରୟାସ ପରେ ବି ଏଯାଏଁ ମେଡିକାଲ କଲେଜ ଓ ୱେଲନେସ୍ ସେଣ୍ଟର ଝାରସୁଗୁଡ଼ାର ଭାଗ୍ୟରେ ନାହିଁ । ଶ୍ରୀ ଶ୍ରୀ ରବିଶଙ୍କର ମେଡିକାଲ କଲେଜ ଲାଗି ଆରମ୍ଭରୁ ପ୍ରୟାସ କରି ଆସିଥିବା ସମାଜସେବୀ ଅଶୋକ ଗାନ୍ଧିଙ୍କୁ ଏ ନେଇ ପଚରାଯିବାରୁ ସେ କହିଥିଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ସମୟରେ ଝାରସୁଗୁଡ଼ା ସହର ଉପକଣ୍ଠରେ ମାଲିମୁଣ୍ଡା ଅଂଚଳରେ ପ୍ରାୟ ୨୦ଏକର ଜମିରେ ମେଡିକାଲ କଲେଜ ଏବଂ ଡାକ୍ତରଖାନା ପ୍ରତିଷ୍ଠା ଲାଗି ସ୍ଥାନ ନିରୂପିତ କରାଯାଇ ଜିଲ୍ଲାସ୍ତରରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା । ଲୋଇସିଂ ଠାରେ ୩୫ ଏକର ଜମିରେ ୱେଲନେସ୍ ସେଣ୍ଟର ଲାଗି ତତ୍କାଳୀନ ଜିଲ୍ଲାପାଳ ସରୋଜ କୁମାର ସାମଲ ସମ୍ଭାବିତ ସ୍ଥାନ ଦେଖାଇଥିଲେ । ମାତ୍ର ଝାରସୁଗୁଡ଼ା ପାଖରେ ଏହି ସେଣ୍ଟର ପ୍ରତିଷ୍ଠା ପାଇଁ ଗୁରୁତ୍ୱ ଦିଆଯିବାରୁ ଲୋଇସିଂ ଠାରେ ଏହାର ନିର୍ମାଣ ପ୍ରସ୍ତାବ ଖାରଜ ହୋଇଥିଲା । ଏବେ ରାଜ୍ୟ କ୍ୟାବିନେଟରେ ମେଡିକାଲ କଲେଜ ଏବଂ ୱେଲନେସ ସେଣ୍ଟର ପ୍ରତିଷ୍ଠା ଲାଗି ମାଗଣାରେ ଅର୍ଥାତ ପ୍ରମିୟମ ଫ୍ରି ଜମି ଯୋଗାଣ ପାଇଁ ପ୍ରସ୍ତାବ ଗୃହୀତ ହେବା ଅପେକ୍ଷାରେ ରହିଛି । ଆଗାମୀ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ଗନ୍ଧି କହିଛନ୍ତି । ଜିଲ୍ଲାପାଳ ଅବୋଲି ସୁନୀଲ ନରଣେଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଠାରେ ଶ୍ରୀ ଶ୍ରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସ୍ତାବ ବିଚାରାଧିନ ରହିଛି । ତେବେ କେବେ ଝାରସୁଗୁଡ଼ାବାସୀଙ୍କ ଭାଗ୍ୟରେ ମେଡିକାଲ କଲେଜ ଓ ୱେଲନେସ୍ ସେଣ୍ଟର ରହୁଛି, ତାହା ଦେଖିବାକୁ ବାକି ରହିଲା ।