ପୁଣି ଟଳିଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ


ଝାଡ଼ଖଣ୍ଡରେ ପୁଣି ଟଳିଛନ୍ତି ୩ଜଣ ଦୁର୍ଦ୍ଦାନ୍ତ ମାଓବାଦୀ । ଆଜି ସକାଳେ ଗୁମଲା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏକ ଏନକାଉଣ୍ଟରରେ ନିଷିଦ୍ଧ ମାଓବାଦୀ ଦଳ ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି)ର ଦୁଇ ଜଣ ସବ-ଜୋନାଲ୍ କମାଣ୍ଡରଙ୍କ ସମେତ ତିନି ଜଣ ସଦସ୍ୟ ନିହତ ହୋଇଛନ୍ତି । ମୃତକଙ୍କ ନାମ ଲାଲୁ ଲୋହାରା, ଛୋଟୁ ଓରାଓଁ ଏବଂ ସୁଜିତ ଓରାଓଁ । ଲାଲୁ ଲୋହାରା ଓ ଛୋଟୁ ଓରାଓଁ ଉଭୟ ସବ-ଜୋନାଲ୍ କମାଣ୍ଡର ଥିଲେ । ଛୋଟୁ ଲୋହାରାଙ୍କ ମୁଣ୍ଡରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ଥିଲା ।  ସେ ଅନେକ ଅପରାଧୀକ ମାମଲାରେ ୱାଣ୍ଟେଡ୍ ଥିଲା । ସୁଜିତ ଓରାଓଁ ତାଙ୍କ ଦଳରେ କ୍ୟାଡର ଭାବରେ କାମ କରୁଥିଲେ ।ପୁଲିସ ଘଟଣାସ୍ଥଳରୁ ତିନୋଟି ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରିଛି । ଯେଉଁଥିରେ ଏକ ଏକେ-୪୭ ରାଇଫଲ୍ ମଧ୍ୟ ସାମିଲ ରହିଛି । ଗୁମଲାର ବିଶୁନପୁର ଥାନା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା । ଲୋହରଦଗା ଓ ଗୁମଲା ସୀମା ନିକଟରେ ମାଓବାଦୀଙ୍କ ଏକ ଗୋଷ୍ଠୀକୁ ଦେଖାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଝାଡ଼ଖଣ୍ଡ ଜାଗୁଆର ଓ ଝାଡ଼ଖଣ୍ଡ ପୁଲିସର ଏକ ମିଳିତ ଦଳ ଘଟଣାସ୍ଥଳକୁ ଯାଇଥିଲେ । ସର୍ଚ୍ଚ ଅପରେସନ୍ ସମୟରେ ବ୍ରଜେଶ ଯାଦବଙ୍କ ନେତୃତ୍ୱରେ ଜେଜେଏମପି ସ୍କ୍ୱାଡକୁ ଭେଟିଥିଲେ ଟିମ ।ଫଳରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ବିଶୁନପୁର ଥାନା ଅଞ୍ଚଳ ଅନ୍ତର୍ଗତ କେଚକିର ରୋଗରିତୋଲିର ଘନ ଜଙ୍ଗଲରେ କିଛି ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ତିନି ଜଣ ମାଓବାଦୀଙ୍କୁ ହତ୍ୟା କରାଯାଇଥିଲା । ପୁଲିସ୍ ଅଧିକାରୀମାନେ ଏହାକୁ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀମାନଙ୍କୁ ନିପାତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରିଛନ୍ତି । ପୁଲିସ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜାନୁଆରିରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଲାଟେହାର, ଚାଇବାସା, ବୋକାରୋ, ହଜାରିବାଗ, ପାଲାମୁ ଓ ଗୁମଲା ଜିଲ୍ଲାରେ ୨୮ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ୨୮ ଜଣ ମାଓବାଦୀଙ୍କ ମଧ୍ୟରେ ୧୧ ଜଣ ଶୀର୍ଷ ନେତା ମଧ୍ୟ ଅଛନ୍ତି ଯାହାଙ୍କ ପାଇଁ ମୋଟ ୩.୧୫ କୋଟି ଟଙ୍କା ପୁରସ୍କାର ରାଶି ରହିଥିଲା ।