ପୁନର୍ବାସ ସୃଜନ ସମ୍ମାନ ଓ ପୁସ୍ତକ ଉନ୍ମୋଚିତ
କେନ୍ଦ୍ରାପଡା: ଭିନ୍ନକ୍ଷମଙ୍କ ଥେରାପି ସେବା ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଟାଉନ ମାଧପୁର ସ୍ଥିତ ଅମର ଉଦ୍ୟାନ ପରିସରରେ ପୁନର୍ବାସ ସୃଜନ ସମ୍ମାନ ଓ ପୁସ୍ତକ ଉନ୍ମୋଚିତ ଉସôବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ଓ ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରାକ୍ତନ୍ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଓ ଅତିଥି ନିମନ୍ତ୍ରଣ କରିଥିଲେ । କେମ୍ର ସଭାପତି ଅକ୍ଷୟ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ । ମୁଖ୍ୟବକ୍ତା ପ୍ରାବନ୍ଧିକ ଓ ସମାଲୋଚକ ପ୍ରଫେସର ଡ. ବାବାଜୀ ଚରଣ ପଟ୍ଟନାୟକ ଲୋକାର୍ପିତ ହୋଇଥିବା କବିତା ପୁସ୍ତକର ବିଶେଷତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ପ୍ରଖ୍ୟାତ୍ କଥାକାର ଡ. ରାମଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଠ କବୟିତ୍ରୀ ପ୍ରତିଭା ପରିଡା ଓ ପ୍ରାବନ୍ଧିକ ଗୌରାଙ୍ଗ ସାହୁଙ୍କୁ ପୁନର୍ବାସ ସୃଜନ ସମ୍ମାନ ଏବଂ ଯୁବ ବର୍ଗଙ୍କ ପାଇଁ ପ୍ରେରଣା ସାଜିଥିବା ଦୃଷ୍ଟିବାଧିତ କଣ୍ଠ ଶିଳ୍ପୀ ରଞ୍ଜିତ ରଞ୍ଜନ ନାୟକଙ୍କୁ ‘ସଙ୍ଗୀତଶ୍ରୀ ସମ୍ମାନ’, ଚଳନ ଶକ୍ତି ବାଧିତ ପ୍ରଶାନ୍ତ ନାୟକଙ୍କୁ "କ୍ରୀଡାଶ୍ରୀ ସମ୍ମାନ’ ଏବଂ ଦୃଷ୍ଟି ବାଧିତ ଗୋଲୁ ତିରୁପତି ରେଡିଙ୍କୁ "ଯୁବଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ଭିନ୍ନକ୍ଷମ ଓ ସକ୍ଷମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୁକ୍ତାକାଶ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସଭ୍ୟ ସଂଗ୍ରାମ ଚୌଧୁରୀ, ଜ୍ୟୋତିରଞ୍ଜନ ନାୟକ, ଗୁଞ୍ଜନସ୍ମିତା ବେହେରା, ରଚିତକ୍ଷ ଜେନା, ସଂଜୀବ ବେହେରା, ମହମ୍ମଦ ଜହିଦ ଖାଁ, ଅମରିନ ସାହାଦତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।