ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାଶଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ସାଲେପୁର: ମହାନଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ବାଚସ୍ପତି ସ୍ୱର୍ଗତ ଯୁଧିଷ୍ଠିର ଦାଶଙ୍କ ପ୍ରତିମୂର୍ତ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ସାଲେପୁର ବ୍ଲକ୍ ଦ୍ୱୀପାଞ୍ଚଳର ରଟିଲୋ ପଞ୍ଚାୟତରେ ଥିବା ମହାନଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ସ୍ୱର୍ଗତ ବାଚସ୍ପତି ଯୁଧିଷ୍ଠିର ଦାଶଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଯୋଗ ଦେଇ ଗ୍ରାମାଞ୍ଚଳ ବିକାଶରେ ଗ୍ରାମ୍ୟଶିକ୍ଷାର ପ୍ରଗତି ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଧନେଶ୍ୱର ଦାଶଙ୍କ ସଭାପତିତ୍ୱରେ ଓ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ରଂଜନ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା, ସମ୍ମାନିତ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଆତ୍ମାର ସଭାପତି ଦିଲ୍ଲୀପ କୁମାର ଦାଶ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଂଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଯୁଧିଷ୍ଠିର ଦାଶଙ୍କ ତ୍ୟାଗପୂର୍ଣ୍ଣ, କର୍ମମୟ ଜୀବନ ଓ ନିଃସ୍ୱାର୍ଥପର ସେବା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରାରେ ଅତିଥିମାନଙ୍କୁ ସଭାସ୍ଥଳକୁ ଅଣାଯାଇଥିବାବେଳେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ସ୍ୱର୍ଗତ ଦାଶଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସୁଦ୍ଧଖଣ୍ଡ ସରପଞ୍ଚ ପ୍ରମୋଦ କୁମାର ରାଉତ, ପୁରୁଣାହାଟ ସରପଞ୍ଚ ଅଶୋକ ଭୂୟାଁ, ମନୋଜ ସ୍ୱାଇଁ, କମଳାକାନ୍ତ ନାୟକ, ଦିଲ୍ଲୀପ ସ୍ୱାଇଁ, ହେମନ୍ତ ପ୍ରଧାନ, ଚିତ୍ତରଂଜନ ପୁହାଣ, କୈଳାସ ଚନ୍ଦ୍ର ବେହେରା, ସୁଧିର ପରିଡ଼ା, ଦିଲୁ ମହାନ୍ତି, ପ୍ରଭାକର ସୂତାର, ଗଗନ ମହାପାତ୍ର, ତ୍ରୈଲୋକ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ଧରଣୀଧର ଜେନା ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସମାଜସେବୀ କମଳାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।