ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
କେନ୍ଦୁଝର : କେନ୍ଦୁଝର ସଦର ଥାନା ଅଞ୍ଚଳରେ ୨୦୨୨ରେ ଘରୋଇ ଶତ୍ରୁତାରୁ ପୁତୁରାକୁ ଦାଦାର ହତ୍ୟା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି । ଘଟଣାରେ ଅଭିଯୁକ୍ତ ଦାଦାକୁ କେନ୍ଦୁଝର ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମନା ଆଦେଶ ଦେଇଛନ୍ତି କୋର୍ଟ । କୋର୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସଦର ଥାନା ତାଳପଦା ଗ୍ରାମର ଶତ୍ରୁଘନ ନାଏକ ଏବଂ ତାଙ୍କ ସମ୍ପର୍କୀୟ ପୁତୁରା କମଳାକାନ୍ତ ନାଏକଙ୍କ ପରିବାର ମଧ୍ୟରେ ଅନେକ ଦିନରୁ ପରିବାରିକ ବିବାଦ ଥିଲା । ଏହି ଅବସ୍ଥାରେ ୨୩ା୫ା୨୦୨୨ ରାତ୍ରି ପ୍ରାୟ ୯ ଟାରେ ଉଭୟ ଦାଦା ପୁତୁରାଙ୍କ କଳିଗୋଳରୁ ଉତକ୍ଷିପ୍ତ ହୋଇ ଦାଦା ଶତ୍ରୁଘନ ନାଏକ (୬୫) ପୁତୁରା ଶତ୍ରୁଘନ ନାଏକ (୩୭)କୁ ପିଟିପିଟି ହତ୍ୟା କରିଥିଲା । ଏବାବଦରେ ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ସଦର ପୁଲିସ ଅଭିଯୁକ୍ତ ଦାଦାକୁ କୋର୍ଟ ଚାଲାଣ କରିଥିଲା । ଏହି ମାମଲା ବିଚାରକରି ଜିଲ୍ଲା ଓ ଦୌରାଜଜ ଗୋପାଳ ଚନ୍ଦ୍ର ବେହେରା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଜରିମନା, ଅନାଦେୟ ଅଧିକ ଏକବର୍ଷ ଜେଲ ଆଦେଶ ଦେଇଛନ୍ତି । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଦୁଷ୍ମନ୍ତ ଜେନା ରହିଥିବାବେଳେ ସରକାରଙ୍କ ପକ୍ଷରୁ ସରକାରୀ ଅଭିଯୋଜକ ଉପ-ନିଦେ୍ର୍ଦଶକ ପ୍ରବୋଧ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ ପିପି ପ୍ରଦୀପ ଦାସ ମାମଲା ପରିଚଳନା କରୁଥିଲେ ବୋଲି ଜଣାପଡିଛି ।