ପୋଖରୀର ଭ୍ରମ ସୃଷ୍ଟି କରୁଛି ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା

 ବ୍ରହ୍ମବରଦା : ବରୀ ନିର୍ବାଚନ ମଣ୍ଡଳୀ ଅଧୀନ ବ୍ରହ୍ମବରଦା-ଗୋଳକୁଣ୍ଡ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାର ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ରାସ୍ତା ସାରା ବଡ଼ ବଡ଼ ଖାଳଖମାରେ ଭର୍ତ୍ତି ହୋଇଥିବା ବେଳେ ସାମାନ୍ୟ ବର୍ଷା ହେଲେ ରାସ୍ତାଟି ଗଢିଆ ପୋଖରିର ଭ୍ରମ ସୃଷ୍ଟି କରୁଛି । ଯାହା ଫଳରେ ବର୍ଷା ଦିନେ ଲୋକେ ଯିବାଆସିବା କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି । ସୂଚନାନୁଯାୟୀ ରସୁଲପୁର ବ୍ଲକ ବ୍ରହ୍ମବରଦା ଠାରୁ ବରୀ ବ୍ଲକ ଗୋଳକୁଣ୍ଡ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ଉପରେ ଆଖପାଖ ୧୦ ଗୋଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି । କିନ୍ତୁ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ନଦୀବନ୍ଧ ରାସ୍ତାର ପରିସ୍ଥିତି ଏବେ ଏମିତିଯେ ସାଇକଲ, ଗାଡି ମୋଟର ଯିବା କଥା ଛାଡ଼ ପାଦରେ ଚାଲି ଚାଲି ଯିବା ବି ମୁସକିଲ ହୋଇ ପଡିଛି । ନଦୀ ବନ୍ଧର ବ୍ରହ୍ମବରଦା ପହି ନିକଟ ରାସ୍ତାରେ ୧୦ ଫୁଟର ଏକ ବିରାଟ ଗର୍ତ ଯୋଗୁ ଗଲାବେଳେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆ ଖାବରା ହେଉଛନ୍ତି । କିନ୍ତୁ ଗୋଟିଏ ପଟେ ନଦୀକୂଳିଆବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଦୁର୍ବଳ ନଦୀବନ୍ଧ ରାସ୍ତାକୁ ସୁଦୃଢ ଓ ପ୍ରସସ୍ତି କରଣ କରିବାର ଅହରହ ଉଦ୍ୟମ ଚଳାଇଛନ୍ତି । ନଦୀବନ୍ଧ ରାସ୍ତାକୁ ପିଚୁ କରିବା ସହିତ କେଉଁଠି ନଦୀକୂଳ ପାର୍ଶ୍ୱରେ କଙ୍କ୍ରିଟ ପାଚେରୀ ତ କୋଉଠି ପଥର ପ୍ୟାକିଂ କରିବାର ବ୍ୟବସ୍ଥା କରୁଛନ୍ତି । କିନ୍ତୁ ବ୍ରହ୍ମବରଦା-ଗୋଳକୁଣ୍ଡ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାକୁ ଦେଖିଲେ ସରକାରଙ୍କ ସବୁ ଯୋଜନା ପ୍ରହସନ ପରି ମନେହେଉଛି । ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମିଲିଭଗତରେ ଉକ୍ତ ନଦୀବନ୍ଧ ରାସ୍ତା ଏବେ ଅଧପନ୍ତରିଆ ହୋଇ ପଡିରହିଛି । ଯେଉଥିପାଇଁ କେବଳ ସାଧାରଣ ଜନତା ହିଁ ଦଣ୍ଡ ଭୋଗୁଛନ୍ତି । ଗୋଟିଏ ପଟେ ବରୀର ବିକାଶ ପାଇଁ ନେତା ମନ୍ତ୍ରୀ ମାନେ ବଡ ବଡ ଭାଷଣ ବାଜି ମାରୁଥିବା ବେଳେ ଅନ୍ୟପଟେ ବ୍ରହ୍ମବରଦା-ଗୋଳକୁଣ୍ଡ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ବରୀ ବିକାଶର ଗାଥାକୁ ଏକ ପ୍ରକାର ପଙ୍ଗୁ କରିଦେଇଛି । ନାବାଡ଼ର ସହାୟତାରେ ୨୦୨୦ ଓ ୨୦୨୧ଆର୍ଥôକ ବର୍ଷରେ ବ୍ରହ୍ମବରଦା ବ୍ରାହ୍ମଣୀ ନଦୀବନ୍ଧ ଠାରୁ ଗୋଳକୁଣ୍ଡ ଦେଇ ରୁଦ୍ରପୁର ପୋଲ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତ ଓ ସୁଦୃଢୀକରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ୭କୋଟି ଟଙ୍କାର ଅର୍ଥ ମଞ୍ଜୁର ହୋଇଥିଲା । କିନ୍ତୁ ରାସ୍ତା କାମ ଆରମ୍ଭ ହେବାର ଇତି ମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରିବାର ନାଁଧରୁନି । ଏହା ବ୍ୟତୀତ ଏହି ନଦୀବନ୍ଧ ରାସ୍ତା କାମ ଅତିନିମ୍ନ ମାନର ହୋଇଥିବାର ସତ୍ୟତା ଏହି ରାସ୍ତାକୁ ଦେଖିଲେହିଁ ଜଣାପଡିବ । ବ୍ରହ୍ମବରଦା, ସାହାପଡ଼ା, ବନ୍ଧଡିଅ ଛକ, ଗୋଲକୁଣ୍ଡ ଓ କାଣ୍ଡିସାହି ଦେଇ ଯାଇଥିବା ଏହି ରାସ୍ତାର ଅସଂଖ୍ୟ ଗାଢ଼କୁ ଓ ମାଳମାଳ ରେନକଟକୁ ଆଖିରେ ଦେଖିଲେ ହିଁ ଦୁର୍ନୀତିର ଗନ୍ଧ ବାରିହୋଇ ପଡୁଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଚୋରାପୀରତି ଯୋଗୁ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବାର ଗ୍ରାମ ବାସୀ ମାନେ ଅଭିଯୋଗ ଆଣିଛନ୍ତି । ତା ଛଡା ଏବେ ବର୍ଷାଋତୁ ଚାଲିଛି । ପୁଣି ଆଗକୁ ଲଘୁଚାପ ବର୍ଷା । ବର୍ଷା ବଢିଲେ ନଦୀରେ ପାଣି ଆସିବାର ସମ୍ଭାବନା ଅଛି । ପାଣି ବଢିଲେ ଉକ୍ତ ନଦୀବନ୍ଧ ପ୍ରତି ବିପଦ ଆଶଙ୍କା ମଧ୍ୟ ରହିଛି । କାରଣ ୨୦୨୦ ମସିହାରେ ଉକ୍ତ ନଦୀବନ୍ଧର ବନ୍ଧଢିଅ ନିକଟରେ ଏକ ବିରାଟ ଘାଇ ସୃଷ୍ଟି ହୋଇ ସମଗ୍ର ଗ୍ରାମ ଜଳମଗ୍ନ ହେବା ସହ ବହୁ ଧନଜୀବନ ହାନି ଘଟିଥିଲା । ଯାହାକୁ ନେଇ ଅଞ୍ଚଳବାସୀ ସଦାସର୍ବଦା ଆତଙ୍କିତ ଓ ଭୟଭୀତ ରହିଛନ୍ତି । ତେଣୁ ବାକିଥିବା ଉକ୍ତ ନଦୀବନ୍ଧ ରାସ୍ତା କାମକୁ ତୁରନ୍ତ ଶେଷ କରିବାକୁ ଅଞ୍ଚଳବାସୀ ମାନେ ବରୀ ଜଳସମ୍ପଦ ବିଭାଗ, ବରୀ ବିଧାୟକ ଓ ଯାଜପୁର ସାଂସଦଙ୍କ ନିକଟରେ ଦାବି କରିଛନ୍ତି । ତାହା ନହେଲେ ଆଗାମୀ ଦିନରେ ଗ୍ରାମବାସୀ ମାନେ ଆନେ୍ଦାଳନ କରିବା ନେଇ ଚେତାବନୀ ଦେଇଛନ୍ତି ।