ପୌରାଧ୍ୟକ୍ଷାଙ୍କୁ ବର୍ଜନ କରିବେ ବିଜେଡି ଛାମୁହାଁ ନେତ୍ରୀ 

ଟାଙ୍ଗୀ - ଚୌଦ୍ୱାର : ୭୯ ତମ ସ୍ୱାଧୀନତା ଦିବସ ଚୌଦ୍ୱାର ପୌରପାଳିକା ପକ୍ଷରୁ ମୁ୍ୟନିସିପାଲିଟି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଥିବାବେଳେ ନାହିଁ ନଥିବା ଅବ୍ୟବସ୍ଥାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଧରିଥିବାବେଳେ ପୌରାଧ୍ୟକ୍ଷାଙ୍କ ଦୁର୍ବ୍ୟବହାରରେ ବିଜେଡିର ତିନି ଜଣ ଛାମୁହାଁ ନେତ୍ରୀ ତାଙ୍କୁ ବର୍ଜନ କରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।  ପ୍ରକାଶ ଯେ, ଚୌଦ୍ୱାର କଟକ ବିଧାୟକ ବର୍ଷାରେ ଛତାରେ ଆସି ଫ୍ଲାଗ ଷ୍ଟାଣ୍ଡ ପାଖରେ ପହଂଚିଲା ପରେ ସେଠାରେ କିଛି ସମୟ ପରେ ପତାକା ଉତ୍ତୋଳନ କରିଥିଲେ । ଏହି ପତାକା ଉତ୍ତୋଳନ ସମୟରେ ବିଜେଡିର କିଛି ଛାମୁହାଁ ନେତ୍ରୀ ଫ୍ଲାଗଷ୍ଟାଣ୍ଡ ଉପରକୁ ବିଧାୟକଙ୍କ ନିକଟରେ ଛିଡା ହେବାକୁ ଗଲାବେଳେ ହଠାତ୍ ସେମାନଙ୍କୁ ପୌରାଧ୍ୟକ୍ଷା ତଳକୁ ଓଲ୍ଲାଇଦେଇଥିଲେ । ଏବଂ କହିଥିଲେ ଏହା ବିଜେଡି ର କାର୍ଯ୍ୟକ୍ରମ ନୁହେଁ ଆପଣମାନେ ପଳାନ୍ତୁ । ଏହା ଶୁଣିଲା ପରେ ଏହି ତିନି ଛାମୁହାଁ ନେତ୍ରୀ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ବିଜେଡି ନଗର କର୍ମକର୍ତ୍ତାମାନେ ଚିନ୍ତା ପ୍ରକଟ କରିବା ସହିତ ପୌରାଧ୍ୟକ୍ଷାଙ୍କ ଏପରି ବ୍ୟବହାରରେ ଆଶ୍ଚଯ୍ୟନ୍ୱିତ ହୋଇ ପଡ଼ିଥିଲେ । ଏହି ଘଟଣାରେ ପୌରାଧ୍ୟକ୍ଷାଙ୍କ ମତରେ ଫ୍ଲାଗ ଷ୍ଟାଣ୍ଡ ନିକଟରେ ସାମ୍ବାଦିକମାନେ ଥିବାରୁ ସେ ଏମାନଙ୍କ ଓଲ୍ଲାଇ ଦେଇଥିଲେ ବୋଲି ସଫେଇ ଦେଉଛନ୍ତି । ଦଳରେ ଏହିଭଳି ଘଟଣା ଆଗାମୀ ଦିନରେ ସଂଗଠନରେ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି । ଏଥିସହିତ ଏହି ପ୍ୟାରେଡ ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ପୌରାଧ୍ୟକ୍ଷା ପିଲାମାନଙ୍କ ପାଇଁ ଅସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରାନଯିବା ଘଟଣା ସମେତ ଜିଲ୍ଲା ଶିକ୍ଷା ମଣ୍ଡଳ ଅଧିକାରୀଙ୍କ ନିଦେ୍ର୍ଦଶକୁ ଠିକ ଭାବରେ ପାଳନ କରାଯାଇନି ବୋଲି କଂଗ୍ରେସର ବରିଷ୍ଠ ସଦସ୍ୟ ରାଜୀବ ମହାନ୍ତି ପ୍ରକାଶ କରିଛନ୍ତି ।