ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ହାତଖାଲି
ଧର୍ମଶାଳା: ଏହି ବ୍ଲକ ଅନ୍ତର୍ଗତ କଦମପାଳ ବୁଢ଼ୀ ଜାଗୁଳାଇ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପ୍ରଧାନ ଶିକ୍ଷକଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରି ଲହୁଲୁହାଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସ୍କୁଲ କମିଟି ବୈଠକ ଚାଲିଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଫକୀର ଚରଣ ପ୍ରଧାନ ସ୍କୁଲ ଭିତର ପଶିି ପ୍ରଧାନ ଶିକ୍ଷକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲା । ସେଠରେ ଉପସ୍ଥିତ ଲୋକେ ତାଙ୍କୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ । ଏସମ୍ପର୍କରେ ପ୍ରଧାନଶିକ୍ଷକ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଚାରିଦିନ ବିତଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ପ୍ରଧାନ ଶିକ୍ଷକଙ୍କୁ ମାଡ ମାରିଥିବା ବ୍ୟକ୍ତିଙ୍କୁ ଯଥାଶିଘ୍ର ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ସ୍କୁଲ ସମ୍ମୁଖରେ ହୋହାଲା କରିଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।