ପ୍ରୟାଗରାଜରେ ବୁଡ ପକାଇଲେ ପ୍ରତାପ
ନୀଳଗିରି : ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଶନିବାର ସେ ମହାକୁମ୍ଭରେ ପହଞ୍ଚିବା ପରେ ରବିବାର ପୂଜାର୍ଚ୍ଚନା କରିବା ସହ ସଙ୍ଗମରେ ବୁଡ ପକାଇଛନ୍ତି । ମହାକୁମ୍ଭ ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମ ଶାସ୍ୱତ ପରମ୍ପରାର ଜୀବନ୍ତତାର ପ୍ରତୀକ । ମା’ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ତ୍ରିବେଣୀ ସଙ୍ଗମରେ ବୁଡ ପକେଇବା ଅବସରରେ ସାଂସଦ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଦୀର୍ଘ ୧୪୪ ବର୍ଷ ପରେ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭର ମେଳାରେ ସ୍ନାନ କରିବାର ସୌଭାଗ୍ୟ ପ୍ରାପ୍ତ କଲି । ଏହା ହେଉଛି ଧର୍ମ ଏବଂ ବିଶ୍ୱାସର ସବୁଠାରୁ ମହାନ ପର୍ବ । ଏହି ଭଳି ଦିବ୍ୟ ଅବସରରେ ଏକତାର ମହାପର୍ବ ‘ମହାକୁମ୍ଭ’ରେ ଶ୍ରଦ୍ଧାର ସହିତ ସ୍ନାନ କରିବା ଦିବ୍ୟ ଅନୁଭୁତି ସୌଭାଗ୍ୟର ବିଷୟ । ଏହି ଅବସରରେ ମା’ ଗଙ୍ଗାଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାକୁମ୍ଭ ମେଳା ସୁବ୍ୟବସ୍ଥିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଶ୍ରୀ ଷଡଙ୍ଗୀ ଧନ୍ୟବାଦ ଦେଇଛନ୍ତି ।