ଫଟୋ କହୁଛି...ଘର ବାହୁଡ଼ିବେ ବିକ୍ରମ

 ଯାଜପୁର: ବାବୁ ବା ବିଶ୍ୱଜିତ ନାୟକଙ୍କ ରଣନୀତିକାର ଭାବେ କାର୍ଯ୍ୟ କରୁଥିବା ବିକ୍ରମ ବିଶ୍ୱାଳ ଗଲା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଏକଦା ଲୋକସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ବିକ୍ରମ କୋରେଇରେ ବିଜେଡିର ପରାଜୟ ପରେ ଏକ ପ୍ରକାର ରାଜନୀତିରୁ ଦୂରେଇ ଯାଇଥିଲେ । ଦୀର୍ଘବର୍ଷ ଧରି ରାଜନୀତି ସହ ଜଡ଼ିତ ରହିଥିବା ବିକ୍ରମ ଘର ବାହୁଡିବାକୁ ଯାଉଛନ୍ତି । ଏକଥା ଆମେ କହୁନୁ, ସୋସିଆ ମିଡ଼ିଆରେ ଘୁରି ବୁଲୁଥିବା ଏକ ଫଟୋ କହୁଛି । ଫଟୋଟି ନୂଆବର୍ଷ ପହିଲା ତାରିଖର, ବିକ୍ରମ ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କୁ ଶୌଜନ୍ୟମୂଳକ ସାକ୍ଷାତ କରି ଫୁଲତୋଡ଼ା ଦେବା ପୂର୍ବକ ନବବର୍ଷର ଶୁଭେଚ୍ଛା ବାର୍ତା ଦେଇଥିଲେ । ଫଟୋ ଚିତ୍ର ନଜରକୁ ଆସିବା ପରେ ଏହି ପ୍ରତିନିଧି ବିକ୍ରମଙ୍କ ସହ ଯୋଗା ଯୋଗ କରି ବିଜେପିରେ ମିଶିଲେଣି କି ପଚାରିଥିଲେ । ଯଦିଓ ବିକ୍ରମ ବିଜେପିରେ ମିଶି ନାହାନ୍ତି କଥା କହିଥିଲେ କିନ୍ତୁ ତାଙ୍କ କଥାରୁ ଜଣାପଡୁଥିଲା, ସେ ଖୁବଶିଘ୍ର ଘର ବାହୁଡ଼ିବେ । ଯାହା ବାଟ ପରିସ୍କାରକୁ ଅପେକ୍ଷା ବୋଲି ତାଙ୍କ କଥାରୁ ଜଣାପଡୁଥିଲା । ପ୍ରାକ୍ତନ ବିଜେପି ନେତା ତଥା କୋରେଇ ବିଧାନସଭାରୁ ନିର୍ବାଚନ ଲଢ଼ି ହାରିଯାଇଥିବା ବିଶ୍ୱଜିତ ନାୟକଙ୍କ ଡାହାଣ ହାତ ବୋଲି ବିକ୍ରମଙ୍କୁ କୁହାଯାଏ । ଜଣେ ସଂଗଠନ, ସୁବକ୍ତା ଭାବେ ବିକ୍ରମଙ୍କ ପରିଚୟ ରହିଛି । ଜିଲ୍ଲା ବିଜେପିର ଜଣେ ଆଗଧାଡ଼ିର ଯୁବ ନେତା ଭାବେ ପରିଗଣିତ ହେଉଥିବା ବିକ୍ରମ ଗତବର୍ଷ ମେ ମାସ ପ୍ରଥମ ସପ୍ତାହରେ ବିଜେପିକୁ ବାଏବାଏ କରି ବିଜେଡ଼ି ହାତ ଧରିଥିଲେ । ହେଲେ ନିର୍ବାଚନରେ ବିଜେଡ଼ିି ପରାଜୟ ପରେ ବିକ୍ରମ ଏହି ଦଳରୁ ନିଜକୁ ଦୂରେଇ ରଖିଥିଲେ । କ୍ଷମତାକୁ ବିଜେପି ଆସିବା ପରେ ବିକ୍ରମ ଘର ବାହୁଡ଼ିବାକୁ ମନ ବଳାଇବା ସ୍ୱାଭାବିକ । ଦେଖିବାର ଅଛି ବିକ୍ରମ ବିଧିବଦ୍ଧ ଭାବେ କେବେ ଏବଂ କେଉଁଦିନ ଘର ବାହୁଡୁଛନ୍ତି ।