ଫସର ଫାଟିଲା ବନ୍ଧୁ ମିଳନ

 ଟାଙ୍ଗୀ-ଚୌଦ୍ୱାର : ଚୌଦ୍ୱାର ପୌରପାଳିକାର ସ୍ୱାଧୀନତା ଦିବସରେ ପୌରାଧ୍ୟକ୍ଷା ମହିଳା ନେତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା ଦଳ ଭିତରେ ଚାପା ଗୁଜରଣ ସୃଷ୍ଟି କରୁଥିବା ବେଳେ, ଏହାକୁ ନେଇ ପ୍ରାକ୍ତନ ବିଧାୟକ ସମସ୍ୟାର ସମାଧାନ ପାଇଁ ଆୟୋଜନ କରିଥିବା ବନ୍ଧୁ ମିଳନରେ ପୌରାଧ୍ୟକ୍ଷା ଯୋଗ ନ ଦେବା ଏହି କାର୍ଯ୍ୟକ୍ରମ ଫସର ଫାଟିଲା ପରି ହୋଇଛି ।  ପ୍ରକାଶ ଯେ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ବିଜେଡି ଦଳୀୟ ଟିକେଟରେ ନିର୍ବାଚିତ ହୋଇଥିଲେ ସୁଦ୍ଧା ଦଳର କୌଣସି କାମରେ ଆସୁ ନଥିବା ବେଳେ, କିମ୍ବା ଦଳୀୟ କର୍ମୀ ଓ ଛାମୁହା ନେତ୍ରୀଙ୍କ ସହିତ କେବେ ବି ଆଲୋଚନା ନକରିବା ଘଟଣା ଓ ପୌରପାଳିକାର କେବଳ ଫାଇଲ ପତ୍ର କାମରେ ସୀମିତ ରହିବାରୁ ବିଜେଡି ଦଳ ଭିତରେ ଅସନ୍ତୋଷ ଦେଖାଯାଇଥିଲା । ବାରମ୍ବାର ବିଧାୟକ ଓ ପ୍ରାକ୍ତନ ବିଧାୟକଙ୍କ ତାଗିଦ ସତ୍ୱେ ପୌରାଧ୍ୟକ୍ଷା ନିଜର ଭାବ ମୂର୍ତ୍ତିରେ କୌଣସି ପରିବର୍ତନ କରିନଥିଲେ  । କେବଳ ଟେଣ୍ଡର ଓ ଫାଇଲରେ ଦସ୍ତଖତ କରିବା କାମରେ ରହିଲେ । ଏପରିକି ବିଜେଡି ର ବୈଠକରେ ଯୋଗ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ଏହାର ଏକ ଉଦାହରଣ ଚୌଦ୍ୱାର ଯୁବ ଛାତ୍ର ଓ ମହିଳା ସଂଗଠନକୁ ନେଇ ଆରଡି ହାଉସରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରାକ୍ତନ ବିଧାୟକ ଯୋଗ ଦେଇଥିଲେ ସୁଦ୍ଧା ଯାହାକୁ ନେଇ କନ୍ଦଳ ସୃଷ୍ଟି ହୋଇଥିଲା ପୌରାଧ୍ୟକ୍ଷା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ବେଖାତିର କରିଥିଲେ । ତାଙ୍କର ଏହି ବ୍ୟବହାର ଯୋଗୁଁ ବହୁ କର୍ମୀ ଖୁବ ଶୀଘ୍ର ଅନ୍ୟ ଦଳ ରେ ଯୋଗ ଦେବେ ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ଜୋର ଧରିଛି ।