ବଜାରରେ ଆଣ୍ଠୁଏ ପାଣି, ଯାତାୟାତ ବାଧାପ୍ରାପ୍ତ
କେନ୍ଦ୍ରାପଡାରୁ ରବିନାରାୟଣ ପତି : କେନ୍ଦ୍ରାପଡା ଅନ୍ତର୍ଗତ ଇନ୍ଦୁପୁର ବଜାରରେ ବର୍ଷାଜଳ ନିଷ୍କାସନ ହୋଇନପାରି ଆଣଣ୍ଠୁଏ ଲେଖା ଜଳ ଛିଡା ହୋଇ ରହୁଥିବା ସରପଞ୍ଚଙ୍କ ସମେତ ଶତାଧିକ ବ୍ୟକ୍ତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ଇନ୍ଦୁପୁର ପଂଚାୟତ ଦେଇ ଯାଇଥିବା ଯାଜପୁର- କେନ୍ଦ୍ରାପଡା ମୁଖ୍ୟ ରାସ୍ତା ଉପରେ ଇନ୍ଦୁପୁର ବଜାରଠାରୁ ମା ରାମଚଣ୍ଡୀ ଦେବୀ ପୀଠ ପର୍ଯ୍ୟନ୍ତ ଆଣଣ୍ଠୁଏ ଲେଖା ବର୍ଷାଜଳ ଛିଡା ହୋଇ ରହୁଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଇନ୍ଦୁପୁର ଏକ ଜନବହୁଳ ବ୍ୟବସାୟ ପେଣ୍ଠସ୍ଥଳି ଥିବାବେଳେ ଏଠାରେ ଅନେକ ସ୍କୁଲ୍, କଲେଜ୍, ସରକାରୀ କାର୍ଯ୍ୟାଳୟ ଏବଂ ବଜାର ପ୍ରାୟ ୩ଶହରୁ ଉଦ୍ଧ୍ୱର୍ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ତା ଛଡା ସପ୍ତାହରେ ଦୁଇଦିନ ପରିବା ହାଟ ହୁଏ । ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର ରହିଅଛି । ମା’ଚଣ୍ଡିଦେବୀ ଉକ୍ତ ଅଂଚଳର ଆରାଧ୍ୟ ଠାକୁରାଣୀ ଅଟନ୍ତି । ରାସ୍ତାଟି ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବାରୁ ଦୈନିକ ହଜାର ହଜାର ସାଧାରଣ ବ୍ୟକ୍ତି ଯାତାୟତ କରନ୍ତି । ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ସରପଂଚ ପ୍ରଦୀପ୍ତ ରଞ୍ଜନ ସୁତାରଙ୍କ ସମେତ ରାମ ନାରାୟଣ ସିଂ, ସମିତି ସଭ୍ୟ ସୁନନ୍ଦା ମଲ୍ଲିକ, ବିଜୟ କୁମାର ଜେନା, ହୃଦାନନ୍ଦ ମହାରଣା, ଧନଞ୍ଜୟ ରାଉତ, ଦିଲ୍ଲୀପ କୁମାର ମଲ୍ଲିକ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ଅଭିଯୋଗ କରି ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।