ବଢୁଛି ଘରୋଇ ସଂସ୍ଥାର ଅତ୍ୟାଚାର : ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା

 ମାଲକାନଗିରି : ବେସରକାରୀ ତଥା ଘରୋଇ ଫାଇନାନ୍ସ କମ୍ପାନୀରୁ ଋଣ ନେଇ ବର୍ତ୍ତମାନ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି । ଏପରିକି ଏହି ଘରୋଇ ସଂସ୍ଥା ଗୁଡିକର ଅତ୍ୟାଚାର ବଢିବାରୁ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ଆଦିବାସୀ ମହିଳା । ଦୁଇ ମାସ ଲୋନ ଟଙ୍କା ଶୁଝି ନ ପାରିବାରୁ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନେ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । 
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମର ଗରିବ ଓ ଆଦିବାସୀ ଶ୍ରେଣୀର ମହିଳାମାନେ ନିଜର ଅବଶ୍ୟକତା ଅନୁଯାୟୀ କିଛି ଘରୋଇ ସଂସ୍ଥା ଠାରୁ ଋଣ ନେଇଥିବା ବେଳେ ଏହି ଋଣ ପରିଶୋଧରେ କିଛିଟା ଅବହେଳା ହୋଇଥିଲା । ଜିଲ୍ଲାର ପ୍ରାୟ ୧୦ରୁ ଅଧିକ ଗ୍ରାମରେ ମହିଳାମାନେ ନେଇଥିବା ଏହି ଋଣକୁ ଠିକ୍ ସମୟରେ ପରିଶୋଧ କରି ପାରୁନଥିବାରୁ ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଓ ଅସଭ୍ୟ ବ୍ୟବାହର କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ଧରି ଗାଳିଗୁଲଜ କରିବା ସହ ଜେଲ୍ରେ ଡାଲିଭାତ ଖୁଆଇବୁ ବୋଲି ଧମକ ମଧ୍ୟ ଦିଆଯାଇଥିବା ବେଳେ ଟଙ୍କା ଶୁଝିବା ପାଇଁ ସମୟ ମାଗିଲେ ସମୟ ଦେଇ ହେବନାହିଁ ବୋଲି କର୍ମଚାରୀ ମାନେ କହୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଜମିବାଡ଼ି ବିକ୍ରି କର ନଚେତ୍ ନିଜକୁ ବିକ୍ରି କର, ଆମ ଟଙ୍କା ତୁରନ୍ତ ପରିଶୋଧ କର ବୋଲି ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ମହିଳା ମାନେ । କର୍ମଚାରୀଙ୍କ ଦୁର୍ବ୍ୟବହାର ଏବଂ ଗାଳିଗୁଲଜ ସହି ନ ପାରି ଶେଷରେ ଶତାଧିକ ମହିଳା ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।