ବନ୍ୟା ଜଳରେ ବୁଡିଛି ଚାଷଜମି

 ବରୀ : ବନ୍ୟା ଜଳରେ ବୁଡ଼ିଛି ଚାଷ ଜମି । ଦୀର୍ଘ ଚାରିଦିନ ପୂର୍ବରୁ ବ୍ରାହ୍ମଣୀ, ବିରୂପା, ଖରସ୍ରୋତା, ତନ୍ତୀଘାଇ, କେଳୁଅ, କାଣିରେ ବନ୍ୟା ଆସି ବରୀ ବ୍ଲକର ବିସ୍ତୃତ ଚାଷ ଜମିକୁ ଜଳମଗ୍ନ କରିଥିଲା । ରେଙ୍ଗାଲିର ୩ଟି ଗେଟ ଖୋଲା ଯାଇଥିବା ବେଳେ ନଦୀରେ ବନ୍ୟା ଜଳ ଧୀରେ ଧୀରେ କମିବାରେ ଲାଗିଛି । ଏବେ କିନ୍ତୁ ବରୀର ବହୁ ଚାଷଜମି ଓ ପନିପରିବା ଫସଲରେ ବନ୍ୟାଜଳ ଭରି ରହିଛି । ଫଳରେ ଧାନ, ପନିପରିବା ଫସଲ ପଚିବା ଆରମ୍ଭ କଲାଣି । ଶହଶହ ଏକର ଜମିରେ ଚାଷୀ ବେଉଶଣ ନକରି ପାରି ପଚିଗଲାଣି । ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏହି ବନ୍ୟାରେ ଭଅଁରା, ବୋଦୁଅ, କିମ୍ବିରିଆପାଳ, ଅଟିରା, ବାଇଶିରିଆ, ରମ୍ପା, ଉଦୟନାଥପୁର, ଅନ୍ୟାସପୁର, ଅରଙ୍ଗାବାଦ, ବରୀ, ଅଲିପୁର, ବାଲିବିଲି, କଳାମାଟିଆ, ଅଙ୍ଗଳୋ,ପଂଚାୟତର ବିସ୍ତୃତ ଚାଷ ଜମି ବୁଡି ରହିଛି । ବ୍ରାହ୍ମଣୀ ବନ୍ୟାରେ ମାଟିଆପଡା, ଚନ୍ଦନପୁର ପଂଚାୟତର ଜଗନ୍ନାଥପୁର, ଗମୁ ପଂଚାୟତର ବ୍ରାହ୍ମଣୀ, ବିରୂପା, କେଳୁଅ ଘେରିବନ୍ଧ ଗୋଗେଇ ନାଳର ସ୍ୱିଚଗେଟ ଭାଙ୍ଗି ଯିବା ଫଳରେ ପଂଚାୟତର ୫୦ରୁ ଉର୍ଦ୍ଧ ଏକର ଜମିରେ ବନ୍ୟାଜଳ ମାଡି ଧାନ ଫସଲକୁ ନଷ୍ଠ କରିପକାଇଛି । ତୁରନ୍ତ ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ବନ୍ୟାଜଳ ନ କମିବାରୁ ଗୋରୁ, ଗାଈ, ଛେଳି, ମଇଁଷ ଅକଥନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।