ବନ ବିଭାଗ ପାଖରେ ନାହିଁ ଖବର : ହାତୀର ଗଳିତ ମୃତଦେହ ଠାବ
କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ପୁଣି ଗୋଟିଏ ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ହାତୀର ଦାନ୍ତ ପାଇର୍ ଶିକାର କରାଯାଇଥିବା ଅଭିଯୋଗ ହୋଇଛି । ହାତୀଟିକୁ ଦୀର୍ଘ ଏକ ମାସ ପୂର୍ବରୁ ମୃତୁ୍ୟ ହୋଇଥିବା ବେଳେ ବନ ବିଭାଗ ପାଖରେ ଖବର ନଥିବା ପରିତାପର ବିଷୟ ହୋଇଛି । ମୃତ ହାତୀର ବୟସ ୭ ରୁ ୮ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ତେଲକୋଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି । ତେଲକୋଇ ବନାଞ୍ଚଳ ସଲେଇକେନା ସଂରକ୍ଷିତ ଜଙ୍ଗଲ ର ଭାଡ଼ିମରା ଚେକ୍ ଡ୍ୟାମ ନିକଟସ୍ଥ ବିଛାଖଣି ଜଙ୍ଗଲରେ ହାତୀର ଗଳିତ ମୃତ ଦେହ ଆଜି ଅପରାହ୍ନରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ବନ ବିଭାଗର ଦାୟିତ୍ୱ ହୀନତା ଯୋଗୁଁ ତେଲକୋଇ ରେ ହାତୀ ମୃତୁ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ବନ ବିଭାଗ ହାତୀ ଉପରେ କଡା ନଜର ରଖୁଥିବା କହୁଥିବା ବେଳେ ତେଲକୋଇ ରେ ଗୋଟିଏ ପରେ ଗୋଟିଏ ହାତୀ ର ମୃତୁ୍ୟ ବନ ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି ।