ବରିଷ୍ଠ ଅଧିକାରୀଙ୍କ ଡାଇରିଆ ସ୍ଥିତି ସମୀକ୍ଷା

  ରାୟଗଡ଼ :  ଡାଇରିଆ ପରିସ୍ଥିତି ସମୀକ୍ଷା କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଚିକତ୍ସା ଅଧିକାରୀ ଡା. ମଦନ ମୋହନ ପ୍ରଧାନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ କାର୍ଯ୍ୟ ପରିଚାଳନା ଅଧିକାରୀ ଅଦ୍ୱେତ ପ୍ରଧାନ ଏବଂ ଗ୍ରାମୀଣ ଜଳ ଯୋଗାଣ ବିଭାଗ ପକ୍ଷରୁ ମୁଖ୍ୟ ଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ ଓ ଲାବ ଆସିଷ୍ଟାଣ୍ଟ ଅବନୀ କୁମାର ବରାଳ ମିଳିତ ଭାବେ ଦୁଇ ଦିନିଆ ରାୟଗଡ଼ ଗସ୍ତ କରିଛନ୍ତି । ବରିଷ୍ଠ ଅଧିକାରୀମାନେ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଗ୍ରାମାଞ୍ଚଳସ୍ତରରେ ଡାଇରିଆ ଓ ମ୍ୟାଲେରିଆର ନିବାରଣ ନିମନ୍ତେ ପ୍ରସ୍ତୁତି, କାର୍ଯ୍ୟପନ୍ଥା ଏବଂ ଏହାର ନିବାରଣ ନିମନ୍ତେ କାର୍ଯ୍ୟାନ୍ୱୟନ ସ୍ଥିତି ଯାଞ୍ଚ କରିବା ନିମନ୍ତେ ଏହି ଗସ୍ତ କରିଛନ୍ତି । ପ୍ରଥମେ ରାୟଗଡ଼ ବ୍ଲକର କୁଲି, କାନ୍ଦିଲି ଓ ପିତାମହଲ ଗ୍ରାମ ପରିଦର୍ଶନ କରିଥିବାବେଳେ କୋଲନରା ବ୍ଲକର ସୁରି ଅଞ୍ଚଳ ପରିଦର୍ଶନ କରିଥିଲେ । ଏବଂ ସମସ୍ତ ପରିସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରି ଡାଇରିଆ ପରିସ୍ଥିତି ଉପୁଜିନଥିବା ସେମାନଙ୍କ ନଜିରକୁ ଆସିଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ଅଧିକାରୀମାନେ ଉକ୍ତ ଅଞ୍ଚଳର ଲୋକମାନଙ୍କ ସହ ଏକ ସାଧାରଣ ସଭା କରି ଗ୍ରାମବାସୀଙ୍କୁ ବ୍ୟାପକ ସତର୍କତାର ଅବଲମ୍ବନ କରିବା ପାଇଁ ସୁଚାଇଥିଲେ । ରାଜ୍ୟ ଅଧିକାରୀମାନେ ସେମାନଙ୍କ ଗସ୍ତର ଦ୍ୱିତୀୟ ଦିନ କାଶୀପୁର ବ୍ଲକର ଟିକିରି ଅଞ୍ଚଳ ଏବଂ ଅନ୍ୟ ହଇଜା ପ୍ରବଣ ଗ୍ରାମ ଗସ୍ତ କରିଥିଲେ । ଅଧିକାରୀମାନେ ହଇଜା ପ୍ରବଣ ଗ୍ରାମ କୋରାପୁଟ ସାହି, ଝୋଡିଆ ସାହି, ହରିଜନ ସାହି, ଟିକରାପଡା, ମାଇକଞ୍ଜ, ଦୁଡୁକାବାହାଲ ଓ ଶଙ୍କରଡା ଗ୍ରାମ ପରିଦର୍ଶନ କରି ଡାଇରିଆ ଓ ମ୍ୟାଲେରିଆର ନିବାରଣ ନିମନ୍ତେ ପ୍ରସ୍ତୁତି, କାର୍ଯ୍ୟପନ୍ଥା ଅନୁଧ୍ୟାନ କରିଥିଲେ । ଶେଷରେ ଶଙ୍କରଡ଼ା ଗ୍ରାମରେ ଆୟୋଜିତ ଦମନ ଶିବିର ବୁଲି ଦେଖିଥଲେ । ଗସ୍ତ ଶେଷରେ ଅଧିକାରୀ ସେମାଙ୍କର ଦୁଇଦିନିଆ ଗସ୍ତର ଅନୁଧ୍ୟାନ ତଥ୍ୟ ଜିଲ୍ଲାପାଳଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ ।