ବର୍ଷାଋତୁରେ ରକ୍ଷଣାବେକ୍ଷଣ
ରାଜ୍ୟର ପ୍ରାୟ ସବୁଆଡ଼େ ଏବେ ମୌସୁମିର ଆଗମନ ହୋଇସାରିଲାଣି । ଖରାର ପ୍ରାଦୁର୍ଭାବରୁ ମୌସୁମିଜନିତ ବର୍ଷା ଅନେକାଂଶରେ ବଞ୍ଚାଇଛି । ହେଲେ ଏହା ସତ କଥା ଯେ ବର୍ଷା ଆମ ଘରର ଏକ ଭଲ ବନ୍ଧୁ ନୁହେଁ । କାରଣ ବର୍ଷା ସହିତ ଘରେ ଉଇ ଲାଗିବା ଆରମ୍ଭ ହୋଇଯାଆନ୍ତି । ସେହିପରି ବର୍ଷା ଯୋଗୁଁ ଲୁଗା ଶୁଖାଇବା, ଘରର ଆଖପାଖରେ ପାଣି ଜମିଯିବା ଏବଂ ଚଲାବୁଲା ଦ୍ୱାରା ଘର ଭିତରକୁ କାଦୁଅ ଆସି ଘରକୁ ଅପରିଷ୍କାର କରିବା ଭଳି ସମସ୍ୟାମାନ ସୃଷ୍ଟି ହୋଇଥାଏ । ତେଣୁ ବର୍ଷା ଆରମ୍ଭ ସହିତ ହିଁ ଘରକୁ ସଫାସୁତୁରା ଏବଂ ଶୁଖିଲା ରଖିବା ଜନିତ ସମସ୍ୟା ମୁଣ୍ଡ ଟେକିଥାଏ । ତେବେ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟା ଆଉ ମୁଣ୍ଡବିନ୍ଧାର କାରଣ ହୋଇ ରହିବ ନାହିଁ । ବର୍ଷା ସମୟରେ ଅନେକେ ନିଜ ନିଜ ଘରର ଝରକା ସବୁକୁ ବନ୍ଦ କରି ଦିଅନ୍ତି । ଏହା ଭଲ କଥା । ଏହାଦ୍ୱାରା ବର୍ଷାପାଣି ଘର ଭିତରକୁ ଆସିବ ନାହିଁ । ହେଲେ ବର୍ଷା ଛାଡ଼ିଯିବା ପରେ ବି ଘରର ଝରକା ଏବଂ କବାଟ ସବୁକୁ ବନ୍ଦ କରି ରଖିବା ଠିକ୍ ନୁହେଁ । ଏହାଦ୍ୱାରା ଘର ମଧ୍ୟକୁ ପଶି ଆସିଥିବା ଛୋଟ ଛୋଟ ଜଳକଣା ସବୁ ବାହାରକୁ ଯାଇ ନପାରି ଘରକୁ ସନ୍ତସନ୍ତିଆ କରିଦିଅନ୍ତି ।
ବର୍ଷାଦିନେ ଜୋତା ଏବଂ ଚପଲ ସହିତ ଆସୁଥିବା କାଦୁଅ ଦ୍ୱାରା ଘର ମଇଳା ହୋଇଯାଇଥାଏ । ତେଣୁ ଘର ଭିତରେ ଏବଂ ଖଟ ତଳେ ପକାଉଥିବା ଛୋଟ ମ୍ୟାଟ୍ ପରି ଏକ ମ୍ୟାଟ୍ ଘର ବାହାରେ ବି ରଖି ଦିଅନ୍ତୁ । ବେଶି ଦାମୀ ନ ହେଲେ ବି ନଡ଼ିଆକତାରେ ପ୍ରସ୍ତୁତ ଏକ ସାଧାରଣ ଡୋର୍ ମ୍ୟାଟ୍ ଘର ବାହାରେ ରଖି ଦିଅନ୍ତୁ । ଜୋତା ଏବଂ ଚପଲରେ ଲାଗିଥିବା କାଦୁଅ ଏଥିରେ ପୋଛି ଘରକୁ ଆସିବା ପାଇଁ ସୁବିଧା ହେବ । ଏହାଛଡ଼ା ଘର ଅଗଣାରେ ପାଣିର ସୁବିଧା କରନ୍ତୁ । ବାଲ୍ଟିଏ ପାଣି ସବୁବେଳେ ବାହାରେ ରଖନ୍ତୁ । ଘରକୁ ଆସୁଥିବା ଲୋକଙ୍କୁ ଗୋଡ଼ ଧୋଇ ହୋଇ ଭିତରକୁ ଆସିବାକୁ କୁହନ୍ତୁ । ଘର ବାହାରେ ଯଦି ସେପରି କିଛି ସୁବିଧା ନାହିଁ ତେବେ ଏକ ଖାଲି ବାଲ୍ଟି ବାହାରେ ରଖନ୍ତୁ ଯେଉଁଥିରେ କି ଓଦା ଛତା, ରେନ୍କୋଟ୍ ଇତ୍ୟାଦି ରଖିହେବ । ଦାମୀ କାର୍ପେଟ ସବୁକୁ ପକାଇ ରଖିବା ପାଇଁ ବର୍ଷାଋତୁ ଉପଯୁକ୍ତ ସମୟ ନୁହେଁ । କାରଣ ଏହି ଦିନେ କାର୍ପେଟ ମଇଳା ହେଲେ ସଫା କରିବା ସହଜ ହୋଇନଥାଏ ।
ଘର ଝରକାରେ ମୋଟା କପଡ଼ାର ପରଦା ଲଗାଇଥିଲେ ବର୍ଷାଦିନେ ଏହାକୁ ହଟାଇ ଦିଅନ୍ତୁ । କାରଣ ବର୍ଷା ପାଣି ବାଜିଲେ ଏହା ଶୀଘ୍ର ଶୁଖିବ ନାହିଁ । ଏହାଛଡ଼ା ଦୀର୍ଘ ସମୟ ଧରି ଓଦା ରହିବା ଦ୍ୱାରା ଏହା ନଷ୍ଟ ହେବାର ଆଶଙ୍କା ବି ରହିଛି । ମୋଟା କପଡ଼ାର ପରଦା ଲାଗି ରହିବା ଦ୍ୱାରା ଘରର ଆର୍ଦ୍ରତା ବି ବାହାରକୁ ଯିବାରେ ସମସ୍ୟା ହେବ । ତେଣୁ ବର୍ଷାଦିନେ ମୋଟା ଏବଂ ଭାରି ପରଦା ସବୁକୁ ହଟାଇ ପତଳା ପରଦା ଟାଙ୍ଗନ୍ତୁ । କଟନ୍ ନଚେତ୍ ମିକ୍ସଡ଼ କପଡ଼ାର ପତଳା ପରଦା ଟାଙ୍ଗିଲେ ବର୍ଷାରେ ଭିଜିଲେ ବି ଏହା ଜଲ୍ଦି ଶୁଖିଯାଇ ପାରିବ । ପରଦା ଭଳି ଯଦି ଖଟ ଏବଂ ସୋଫା ଆଦିରେ ବି ମୋଟା କପଡ଼ାର କଭର୍ ଥାଏ ତେବେ ବର୍ଷା ଦିନେ ମୋଟା କପଡ଼ା ସଫା କଲେ ଶୁଖାଇବା ପାଇଁ ମଧ୍ୟ ସମସ୍ୟା ହୋଇଥାଏ । ବର୍ଷାଦିନେ ଖୋଲା ବିଦୁ୍ୟତ୍ ତାର ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଓଦା ହାତରେ ଏହାକୁ ଛୁଇଁଲେ ସକ୍ ମାରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଖୋଲା ତାର ପାଣି ସଂସ୍ପର୍ଶରେ ଆସିଲେ ଚାର୍ଜ ହୋଇଯିବାର ଡର ବି ରହିଥାଏ । ଅଜାଣତରେ ହାତ ବାଜିଗଲେ ବଡ଼ ଦୁର୍ଘଟନାର ଆଶଙ୍କାଙ୍କୁ ଏଡ଼ାଇ ଦିଆଯାଇ ନପାରେ । ଏହାଛଡ଼ା ଘର ବାହାରେ ଥିବା କଲିଂବେଲ୍, ଲାଇଟ୍ ଆଦିର ସୁଇଚ୍ ମଧ୍ୟ ବର୍ଷାଦିନେ ପାଣି ସଂସ୍ପର୍ଶରେ ଆସି ଚାର୍ଜ ହୋଇଯାଇଥାଏ । ତେଣୁ ଘରେ ଏପରି କୌଣସି ଖୋଲା ତାର କିମ୍ବା ସୁଇଚ୍ ଆଦିରୁ ସକ୍ ମାରୁଥିଲେ ଇଲେକ୍ଟ୍ରିସିଆନ୍କୁ ଡାକି ଯଥାଶୀଘ୍ର ସଜାଡ଼ି ଦିଅନ୍ତୁ ।
ବର୍ଷାଦିନେ କାଠ ସାମଗ୍ରୀ ପାଇଁ ବିଲ୍କୁଲ୍ ଉପଯୁକ୍ତ ସମୟ ନୁହଁ । ଏହି ଦିନେ କାଠରେ ଉଇ ଲାଗିଯିବା ସହ ଏହା ଫୁଲି ଯାଇଥାଏ । ଫଳରେ ଘରର କବାଟ, ଝରକା ଆଦି ଭଲରେ ବନ୍ଦ କରିହୁଏ ନାହିଁ । ବର୍ଷା ଦିନ ଆସିଲା କ୍ଷଣି ନିଜର କାଠ ସାମଗ୍ରୀଗୁଡ଼ିକୁ ଝରକା ପାଖରୁ ଘୁଞ୍ଚାଇ ଦେବା ଉଚିତ ଯେପରି ଏଥିରେ ପାଣି ପଡ଼ିବ ନାହିଁ । ସେହିପରି କବାଟ, ଝରକା ଆଦି ଫୁଲିଯାଇ ବନ୍ଦ ହେଉ ନଥିଲେ ବାଲି କାଗଜ ପ୍ରୟୋଗ କରିପାରିବେ । ଝରକା କବାଟ ଆଦି ଯେଉଁଠାରେ ଲାଖିଯାଉଛି ସେଠାରେ ବାଲି କାଗଜ ଘଷିଦେଲେ ଏହି ସମସ୍ୟା ଆଉ ରହିବ ନାହିଁ । ସେହିପରି ଉଇ ଜନିତ ସମସ୍ୟାରୁ ନିସ୍ତାର ପାଇବାକୁ ଚାହୁଥିଲେ କବାଟ ଏବଂ ଝରକାର କାଠ ବନ୍ଧଗୁଡ଼ିକ ଉପରେ କିରୋସିନ୍ ସ୍ପ୍ରେ କରି ଦିଅନ୍ତୁ ।
ଇତିଶ୍ରୀ ଅଲିଭା ଦିପ୍ତିମୟୀ ରାଉତ
କଟକ,ଋ-ଜ୍ଞବସକ୍ଷ : ଦ୍ଭସସଗ୍ଧଚ୍ଚକ୍ଟଙ୍କ୦୦୧ଅଶଜ୍ଞବସକ୍ଷ.ମକ୍ଟଜ୍ଞ