ବର୍ଷାରେ ଭାସିଗଲା ଦୁଧେଇ ସେତୁ : ଆପ୍ରୋଚ ରୋଡ଼ରେ ୫୦ଫୁଟର ଘାଈ

 ଯାଜପୁର ସଦର/ବରୀ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାସିଗଲା ଦୁଧେଇ ସେତୁ । ଦୁଧେଇ ନାଳ ଉପରେ ନିର୍ମିତ ସେତୁ ଭାସିଯିବା ଫଳରେ ଆପ୍ରୋଚ ରୋଡ଼ରେ ସୃଷ୍ଟି ହୋଇଛି ୫୦ଫୁଟର ଘାଇ । ଫଳରେ ବରୀ ନିର୍ବାଚନମଣ୍ଡଳୀର ସୁଜନପୁର ପଞ୍ଚାୟତ ଦୁର୍ଗାପୁର, ନୁଣପୁର, ହସନପୁର, ରୁଦ୍ରପୁର, ଝାଳପଡା, ଜମଧର, ଶ୍ୟାମଦାସପୁର, କାଶୀପୁର, ରୁଦ୍ରପୁର ଥିବା ଗ୍ରାମ ଗୁଡିକ ପ୍ରଭାବିତ ହୋଇଛି । ଯାତାୟାତ ଘୋର ସମସ୍ୟା ଉତ୍ପନ୍ନ ହୋଇଛି । ସେତୁ ଭାସିଯିବା ଏବଂ ଘାଇ ହେବା କାରଣରୁ ଛନ୍ଦା, ଦୁର୍ଗାପୁର ଗ୍ରାମକୁ ପାଣିମାଡିଯାଇଛି । ରାସ୍ତା ଧସିଯିବା ଖବର ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଚି ଅନୁଧ୍ୟାନ କରିଥିଲେ । ରାସ୍ତା ଉପରେ ରୁଦ୍ରପୁର, ଝାଳପଡା, ସୁଜନପୁର, ଶ୍ୟାମଦାସପୁର ପଞ୍ଚାୟତର ଜନସାଧାରଣ ନିଇତି ଯାତାୟତ କରୁଥିଲେ । ଦୁଧେଇ ନାଳ ଉପରେ ନିର୍ମିତ ସେତୁଟି ବହୁ ପୁରାତନ ବୋଲି କୁହାଯାଉଛି । ତେବେଏହାର ଆପ୍ରେକ୍ଷଚ ରୋଡରେ ପ୍ରାୟ ୫୦ ଫୁଟ୍ ଲମ୍ବର ଏକ ଘାଇ ସୃଷ୍ଟି ଫଳରେ ଶତାଧିକ ଲୋକେ ଜଳ ବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି । ଡ଼୍ରେନେଜ ବିଭାଗର ଦାୟିତ୍ୱ ହିନତାରୁ ସେତୁ ଭାସିଗଲା ବୋଲି ସାଂଘାତିକ ଅଭିଯୋଗ ଆସିଛି । ଅଭିଯୋଗ ହୁଏ ନାଳଟି ଦଳରେ ଭର୍ତି ହୋଇଥିଲେ ହେଁ ଡ୍ରେନେଜ ବିଭାଗ କିନ୍ତୁ ଏହାକୁ ସଫେଇ କରିବାକୁ ମନ ବଳାଇନଥିଲା । ଦୀର୍ଘବର୍ଷ ଧରି ନାଳରେ ଦଳ ଭର୍ତି ହୋଇରହିବା ଫଳରେ ବର୍ଷାପାଣି ନିଷ୍କାସିତ ହୋଇପାରୁନଥିଲା । ଯାହାଫଳରେ ଦଳ ଏବଂ ପାଣି ସେତକୁ ଦୁର୍ବଳ କରିଚାଲିଥିଲା । ଲଗାଣ ବର୍ଷା ଫଳରେ ଉଦବୃତ ପାଣି ସେତକୁ ଭସାଇ ଦେଇଥିଲା । ଜିଲ୍ଲା ଡ୍ରେନେଜ୍ ବିଭାଗର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଖବର ପାଇ ଯାଜପୁର ବିଡିଓ, ତହସିଲଦାର ଓ ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ସୁଜନପୁର ସରପଞ୍ଚଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେଡି ନେତା ଗଣେଶ ଚନ୍ଦ୍ର ମହାକୁଡ଼ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଜିଲ୍ଲାପାଳ ଓ ବିଡିଓଙ୍କ ନିକଟରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରିୟା ମହାକୁଡ଼ ଓ ସମିତିସଭ୍ୟ ନାରାୟଣ ଜେନା ଦାବି ଜଣାଇଛନ୍ତି ।