ବଲାଣି ଟୋଲ ପ୍ଲାଜା ଉଚ୍ଛେଦ ଦାବିରେ ଧାରଣା
ଦେବଗଡ: ଦେବଗଡ଼ ଜିଲ୍ଲାରେ ଜାତୀୟ ରାଜପଥ ପ୍ରାଧିକରଣର ବିଭାଗ ପକ୍ଷରୁ ଜାତୀୟ ରାଜପଥ ୧୪୩ରେ ମନଇଚ୍ଛା ଟୋଲ ପ୍ଲାଜା ନିର୍ମାଣ କରି ଲୋକମାନଙ୍କୁ ଶୋଷଣ କରାଯାଉଛି । ଯାହାକୁ ବିରୋଧ କରି ଟୋଲ ପ୍ଲାଜା ଉଚ୍ଛେଦ କରିବା ଦାବିରେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ବାରକୋଟ ବ୍ଲର ବଲାଣି ଟୋଲ ପ୍ଲାଜା ସମ୍ମୁଖରେ ଅଞ୍ଚଳବାସୀଙ୍କ ସମେତ ବିଜେଡିକର୍ମୀମାନେ ଧାରଣାରେ ବସିଥିଲେ । ଖବର ପାଇ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, କେଉଁଝର ପିଡି ଏନଏଚଆଇ, ବାରକୋଟ ଥାନା ଆଇଆଇସି ଯାଜ୍ଞସେନୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚô ସେମାନଙ୍କ ସହିତ ଆଲୋଚନା କରିଥିଲେ । ପିଡିଏନଏଚଆଇ ଏବାବଦରେ ପୁର୍ନ ବିଚାର କରିବା ପାଇଁ ସମୟ ନେବା ସହ ଏ ନେଇ ଏକ ବୈଠକ କରାଯାଇ ସରକାରୀ ନିୟମ ଅନୁଯାୟୀ ଏହାର ସମାଧାନ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ କରାଯାଇଥିବା ନେଇ ବିଧାୟକ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଶିଳ୍ପବିହୀନ ଦେବଗଡ ଜିଲ୍ଲାର ବାରକୋଟ ବ୍ଲକରେ ମାତ୍ର ୧୩ କିଲୋମିଟର ବ୍ୟବଧାନରେ ୨ଟି ଟୋଲଗେଟ ନିର୍ମାଣ କରି ଜନସାଧାରଣଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ବାରକୋଟ ଠାରୁ ସାତ କିମି ଦୂରତାରେ ୪୯ନମ୍ବର ଜାତୀୟ ରାଜପଥର ବିଦେଇବଡ଼କୁଦର ଠାରେ ଗୋଟିଏ ଟୋଲ ପ୍ଳାଜାରୁ ଟ୍ୟାକ୍ସ ଆଦାୟ କରାଯାଉଥିବାବେଳେ କିଛିଦିନ ହେବ ବାରକୋଟରୁ ୫ କିମି ୧୪୩ ନମ୍ବର ଜାତୀୟ ରାଜପଥରେ ନବନିର୍ମିତ ଟୋଲ ପ୍ଲାଜାରୁ ଟ୍ୟାକ୍ସ ଆଦାୟ କରାଯାଇଛି । ସେହିପରି ଉକ୍ତ ଟୋଲ ପ୍ଲାଜା କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଞ୍ଚଳବାସୀ ଓ ଚାଷୀଙ୍କୁ ଆର୍ଥôକ ବୋଝ ପଡିବ ଏବଂ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବଲାଣି ଟୋଲ ପ୍ଲାଜା ନିର୍ମାଣର ପୁନଃ ବିଚାର କରିବା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ବିଧାୟକ ଶ୍ରୀ ବିଶ୍ୱାଳ ଜଣାଇଥିଲେ । ମାତ୍ର ସରକାରଙ୍କ ସମସ୍ତ ନୀତି ନିୟମକୁ ଉଲ୍ଲଘଂନ କରି ବଲାଣି ଟୋଲ ପ୍ଲାଜାକୁ କାର୍ଯ୍ୟକ୍ଷମ କରାଯାଇ ଟ୍ୟାକ୍ସ ଆଦାୟ କରାଯାଉଥିବାରୁ ଗତକାଲି ଏହାକୁ ବିରୋଧ କରିବା ସହିତ ବଲାଣୀ ଟୋଲ ପ୍ଲାଜାକୁ ଉଚ୍ଛେଦ କରିବା ଦାବିରେ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ବିଜେଡିର ବହୁ କର୍ମୀ ଏବଂ ଅଂଚଳବାସୀମାନେ ଧାରଣାରେ ବସିଥିଲେ ।