ବଳଶାଳୀର ଅଧିକାର
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ' । 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଲୋକନ କରିବା ବଳଶାଳୀର ଅଧିକାର ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଯୁଗେ ଯୁଗେ ବିଜେତା ହିଁ ରାଜା ହୋଇଆସିଛି । ବିଶ୍ୱର ଅନେକ ରାଷ୍ଟ୍ରରୁ ରାଜତନ୍ତ୍ର ଲୋପ ପାଇଥିଲେ ନିର୍ବାଚିତ ପ୍ରତିନିଧି ଭାବରେ କେବଳ ଶକ୍ତିଶାଳୀ, ଧନଶାଳୀ ଏବଂ କୌଶଳ ପ୍ରୟୋଗରେ ନିପୁଣ ବ୍ୟକ୍ତି ହିଁ ବିଜୟୀ ହୋଇଛି, ରାଷ୍ଟ୍ରର ଶାସକ ହୋଇଛି । ଏହା ପ୍ରକୃତିର ନିୟମ ।
ପ୍ରକୃତିର ଚିରନ୍ତନ ନିୟମ ହିସାବରେ ବଳଶାଳୀ ବାଘ ଦୁର୍ବଳ ହରିଣକୁ ମାରି ଖାଏ । କାରଣ ବଳଶାଳୀ ବାଘର ଅସ୍ତ୍ର ହେଉଛି ନଖ ଆଉ ଦାନ୍ତ । ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ହେବା ଦିନ ଠାରୁ ଉଦ୍ଭିଦ ତଥା ପ୍ରାଣୀ ଜଗତରେ ଏହି ଚିରନ୍ତନ ନିୟମ ହିଁ ଚଳିଆସିଛି । ବିରାଟ ଦ୍ରୁମର ଶାଖାରେ ମଲାଙ୍ଗ ଏବଂ ନିର୍ମୁଳି ଭଳି ଉଦ୍ଭିଦ ଦ୍ରୁମର ରସ ଶୋଷି ବଞ୍ଚି ଆସିଛନ୍ତି । ପାଣି ଭିତରେ ବଳଶାଳୀ କୁମ୍ଭୀର ଦୁର୍ବଳ ମାଛକୁ ଖାଇ ବଞ୍ଚି ଆସିଛି । ବଡମାଛ ଛୋଟମାଛକୁ ଖାଇ ବଞ୍ଚି ଆସିଛି । ବାଜ, ଛଞ୍ଚାଣ, ପେଚା ଭଳି ପକ୍ଷୀ ଅନ୍ୟ ଛୋଟ ପକ୍ଷୀ ଏବଂ ଛୋଟ ପ୍ରାଣୀକୁ ଖାଇ ବଞ୍ଚନ୍ତି । ଏହା ହେଉଛି ପୃଥିବୀର ଖାଦ୍ୟଚକ୍ର । ଏହି ଖାଦ୍ୟଚକ୍ର ବା ଖାଦ୍ୟ ଶୃଙ୍ଖଳରେ ନିଜ ପେଟ ପୁରେଇବାକୁ ଯିଏ ଅସମର୍ଥ ତା'ର ବିଲୋପ ସୁନିଶ୍ଚିତ ।
ଦୁର୍ବଳ ବ୍ୟକ୍ତିକୁ ଶୋଷଣ କରି ବଳବାନ୍ ବ୍ୟକ୍ତି ପ୍ରଭୂତ୍ୱ ଜାହିର୍ କରେ । ମଣିଷ ସମାଜ ଗଠନ କରି ବଞ୍ଚିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ନିୟମ ହିଁ ଚଳିଆସିଛି । ଦିନ ଥିଲା ବାହୁବଳର ରାଜୁତି ଚାଲିଥିଲା । ଏବେ ବାହୁବଳ ସହିତ ଅର୍ଥବଳ ଏବଂ ବୁଦ୍ଧିବଳ ମିଶିଯାଇଛି । ଏହି ତିନିଟି ଶକ୍ତି ଯାହା ପାଖରେ ଅଛି ସେ ଏକ ଭୌଗୋଳିକ ଅଞ୍ଚଳର ଶାସକ ଭାବେ ଯୁଗେ ଯୁଗେ ନିଜ ପ୍ରଭୂତ୍ୱକୁ ଜାହିର୍ କରିଆସିଛି । ଏତିକି ନଥିଲେ ସମାଜରେ କ୍ଷମତାଶାଳୀ ଭାବେ ସ୍ଥିତି ଜାହିର୍ କରିବା ଅସମ୍ଭବ ।
ଏସବୁ ଉଦାହରଣ ଦେବାର ଅର୍ଥ ହେଲା କେବଳ ଯୋଗ୍ୟ ହିଁ ଏ ପୃଥିବୀର ଉପଭୋଗର ଅଧିକାରୀ । ସେଥିପାଇଁ "ବୀରଭୋଗ୍ୟା ବସୁନ୍ଧରା'' ବୋଲି କୁହାଯାଏ । କେବଳ ଯୋଗ୍ୟ ବ୍ୟକ୍ତି ହିଁ ପୃଥିବୀକୁ ଉପଭୋଗ କରିପାରେ । ଆଉ ସମସ୍ତେ ଯୋଗ୍ୟର ସେବକ ମାତ୍ର । ଏହି ପୃଥିବୀର ଚିରନ୍ତନ ନିୟମ । ଏହି ନିୟମରେ ପୃଥିବୀ ପୃଷ୍ଠର ଅସଂଖ୍ୟ ନଦୀ ସମୁଦ୍ରରେ ଲୀନ ହୋଇଯାଇଛି । କାରଣ, ସମୁଦ୍ରର ଶକ୍ତି ଆଗରେ ନଦୀ ଏକ ତୁଚ୍ଛ ଜଳଧାରା ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।