ବାଜବାଟୀ କଳାପଥର ଖାଦାନରେ ଏନଜିଟିର ତଦନ୍ତ
ଧର୍ମଶାଳା : ଧର୍ମଶାଳା ତହସିଲ ଅଞ୍ଚଳରେ ଲଘୁଖଣିଜ ସମ୍ପଦ ଲୁଟ ଘଟଣା ସବୁ ବେଳେ ଚର୍ଚ୍ଚାରେ ରହିଥାଏ । କିଛି ମାସ ତଳେ ବାଜବାଟୀ କଳାପଥର ଖାଦାନକୁ ନେଇ ଏନଜିଟିରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ, ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ ଆଜି ସମ୍ପୃକ୍ତ ଖାଦାନ ଅଞ୍ଚଳରେ ପହଁଚି ତଦନ୍ତ କରି ଫେରିଯାଇଛି । ବାଜବାଟୀର ୨ ଓ ୬ ନଂ ଖାଦାନରେ ଚଢ଼ାଉ କରାଯାଇଥିଲା । ଏଠାରେ ମାତ୍ରାଧିକ କଳାପଥର ଖନନ ସହ ଉତୋଳନ ଓ ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ବନ୍ଦ କରିବା ନେଇ ସ୍ଥାନୀୟ କାନପୁର ଅଞ୍ଚଳର ଉର୍ବଶୀ ଜେନା ନାମକ ଜଣେ ମହିଳା ଏନଜିଟିରେ ଅଭିଯୋଗ କରିଥିଲେ । ଜିଲ୍ଲା ଖଣି ଉପନିର୍ଦ୍ଦେଶକ ଜୟ ପ୍ରକାଶ ନାୟକ, ଖଣି ଅଧିକାରୀ ଝସକେତନ ସେଠି, ପ୍ରଦୂଷଣ ଅଧିକାରୀ ମଦନ ମୋହନ ସାହୁ, ସିଆର ଅଧିକାରୀ ପ୍ରଦୀପ କୁମାର ନାୟକ ଓ ତହସିଲଦାର ସମୀର ରଞ୍ଜନ ଦାସ ପ୍ରମୁଖ ତଦନ୍ତ କରିଥିଲେ । ଏହି ସମୟରେ ଲିଜଧାରୀ ଶରତ କୁମାର ବେହେରା ଓ ସମୀର ରଞ୍ଜନ ନାୟକ ଉପସ୍ଥିତ ଥିଲେ । ଦୁଇଗୋଟି ଖାଦାନର ଲିଜ ଅବଧି ୨୮ ମସିହା ପର୍ଯ୍ୟନ୍ତ ରହିଥିବା ତହସିଲଦାର ସୂଚନା ଦିଆଯାଇଛି । ଏସମ୍ପର୍କରେ ଖଣି ଉପନିର୍ଦେଶକ ଶ୍ରୀ ନାୟକଙ୍କୁ ପଚାରିଲେ ଅଭିଯୋଗ ଅନୁଯାୟୀ ତଦନ୍ତ କରାଯାଇଛି । ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।