ବାରବାଟୀ ଟି-୨୦ ଅଫଲାଇନ୍‌ ଟିକେଟ୍‌ : ଶୁକ୍ରବାର ସକାଳ ୬ରୁ ଧାଡ଼ି

ବାରବାଟୀ ଟି-୨୦ ଅଫଲାଇନ୍‌ ଟିକେଟ୍‌ : ଶୁକ୍ରବାର ସକାଳ ୬ରୁ ଧାଡ଼ି
  • ପୂର୍ବରାତିରୁ ଧାଡ଼ିରେ ରହି ପାରିବେନି
  • ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ବିକ୍ରି

କଟକ : ବାରବାଟୀ ଷ୍ଟାଡ଼ିୟମରେ ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଅଫ୍‌ଲାଇନ ମାଧ୍ୟମରେ ଟିକେଟ ବିିିକ୍ରି ହେବା ପୂର୍ବରୁ ବୁଧବାର ଡିସିପି ଏହାର ସମୀକ୍ଷା କରିଛନ୍ତି । କାଉଣ୍ଟରରେ ୧୦ ହଜାର ଟିକେଟ ବିକ୍ରି କରାଯିବ । ୫ ତାରିଖ ସକାଳ ୯ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ହେବ । ତେବେ କ୍ରିକେଟ ଏକାଡେମୀ ପଟୁ ପ୍ରବେଶପଥ ରହିବ ଏବଂ ପ୍ରସ୍ଥାନ ଗେଟ ସଂପୂର୍ଣ୍ଣ ଅଲଗା ରହିବ । ଡିସେମ୍ବର ୫ ତାରିଖ ସକାଳ ୯ ଟାରୁ ଟିକେଟ ବିକ୍ରି ଆରମ୍ଭ ହେବ । ତେଣୁ ସକାଳ ୬ଟାରୁ ସାଧାରଣ ଦର୍ଶକ ଧାଡ଼ିରେ ରହିବାକୁ ଅନୁମତି ରହଛି । ଟିକେଟ କିଣିବା ପାଇଁ କେହି ପୂର୍ବରାତିରୁ ଧାଡ଼ିରେ ରହିପାରିବେ ନାହିଁ । କଳାବଜାରୀ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯିବ । ଏହାଛଡ଼ା ପୋଲିସ ବାହିନୀ ସାଧା ପୋଷାକରେ ମୁତୟନ ରହିବେ । ସିସିଟିଭି ସର୍ଭେଲାନ୍ସରେ ଟିକେଟ ବିକ୍ରି ପ୍ରକ୍ରିୟା କରାଯିବ । କମିଶନରେଟ ପୋଲିସ ଡିସେମ୍ବର ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ମୋଟ ୪୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଟିରେ ୨୮ ପ୍ଲାଟୁନ ଫୋର୍ସ ରହିବେ । ୬ ଜଣ ଏଡିସିପି, ୧୫ ଏସିପି, ୪୦ ଜଣ ଇନ୍ସପେକ୍ଟର, ୧୫୦ ଏସଆଇ ଓ ଏଏସଆଇ ନିୟୋଜିତ ହେବେ । ପୋଲିସ ସହିତ ମେଡ଼ିକାଲ ଟିମ ଓ ଅଗ୍ନିଶମ ଟିମ ମଧ୍ୟ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ ନିୟୋଜିତ କରାଯିବ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାର ହଜାର କ୍ରିକେଟ ପ୍ରେମୀ ଏକାଠି ହେବାକୁ ଥିବାବେଳେ, କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ ସଜାଗ ରହିବା ନେଇ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । 


    ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଓସିଏ ସହ ଅନୁବନ୍ଧିତ ସଂସ୍ଥା ଓ କ୍ଲବଗୁଡ଼ିକୁ ଆଜିଠାରୁ ୨ ଦିନ ଧରି ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏହି ଅନୁବନ୍ଧିତ ସଂସ୍ଥାମାନେ ପାଖାପାଖି ୧୧ହଜାର ଟିକେଟ କିଣିବେ । ଓସିଏ ଅନୁବନ୍ଧିତ ୭୩ଟି ସଂସ୍ଥା, ୬ଟି ସରକାରୀ କାର୍ଯ୍ୟାଳୟ ଓ ୨ ଜଣ ମନୋନୀତ ଆପେକ୍ସ କାଉନସିଲ ସଦସ୍ୟଙ୍କୁ ଏହି ଟିକେଟ ବିକ୍ରି କରାଯାଉଛି । ସକାଳ ୧୦ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓସିଏ ସମ୍ମିଳନୀ କକ୍ଷରେ ଏହି ଟିକେଟ ବିକ୍ରି କରାଯାଉଛି । ଏହି ଟିକେଟ ବିକ୍ରି ଦାୟିତ୍ୱ ଭାରତୀୟ ଷ୍ଟେଟବ୍ୟାଙ୍କକୁ ଦିଆଯାଇଛି । ପ୍ରଥମ ଦିନରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ବିକ୍ରି କରାଯାଇଥିବାବେଳେ ସନରାଇଜ କ୍ଲବ ସଂପାଦକ କ୍ଲବ ସଦସ୍ୟଙ୍କର ପ୍ରଥମ ଟିକେଟ କିଣିଥିଲେ । ସେହିଭଳି ବିଭିନ୍ନ ସଂସ୍ଥା ପକ୍ଷରୁ ସଦସ୍ୟମାନେ ଆସି ନିଜ କୋଟାରେ ଥିବା ବିଭିନ୍ନ ଗ୍ୟାଲେରୀ ଟିକେଟ କିଣିଛନ୍ତି ।