ବାରବାଟୀ ଟି-୨୦ : ଆଜିଠୁ ଅନ୍ଲାଇନ୍ ଟିକେଟ
- ୫ରେ କାଉଣ୍ଟରରେ ମିଳିବ ଟିକେଟ
- ପ୍ରଥମ ଟିକେଟ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ
- ଜଣେ ବ୍ୟକ୍ତି ୨ଟି ଟିକେଟ କିଣିପାରିବେ
- ନିର୍ମାଣ ହେବ ୩ଟି ଫ୍ୟାନ୍ ପାର୍କ
କଟକ : ସ୍ଥାନୀୟ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୯ ତାରିଖରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବ । ବାରବାଟୀ ଟି-୨୦ ମ୍ୟାଚ ପାଇଁ ଆଜିଠୁ ଅର୍ଥାତ ଡିସେମ୍ବର ୧ରୁ ଅନଲାଇନ୍ରେ ଟିକେଟ ଉପଲବ୍ଧ ହେବ । ଏ ନେଇ ରବିବାର ଅପରାହ୍ନରେ ବାରବାଟୀ ଷ୍ଟାଡ଼ିୟମ ପରିସରସ୍ଥ ଓସିଏ କନଫରେନ୍ସ ହଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓସିଏ ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି । ଚଳିତ ମ୍ୟାଚ ନିମନ୍ତେ ଅନଲାଇନରେ କେବଳ ୨ ହଜାର ଟିକେଟ ବିକ୍ରି କରାଯିବ । ଡିଷ୍ଟ୍ରିକ୍ଟ ବାଏ ଜମାଟୋ ଆପରେ ଅନଲାଇନ ଟିକେଟ ଉପଲବ୍ଧ ହେବ । ଯେଉଁମାନେ ଅନଲାଇନ ଟିକେଟ କିଣିବେ ଆସନ୍ତା ଡିସେମ୍ବର ୮ ଓ ୯ ତାରିଖରେ ସ୍ଥାନୀୟ କେମ୍ବ୍ରିଜ ସ୍କୁଲରୁ ସେମାନଙ୍କ ଟିକେଟ ସଂଗ୍ରହ କରିବେ । ଏହାଛଡ଼ା ଓସିଏ ଅନୁବନ୍ଧିତ ସଂସ୍ଥାକୁ ଡିସେମ୍ବର ୩ ଓ ୪ ତାରିଖରେ ଟିକେଟ ବିକ୍ରି ହେବ ।
ଏଥର ବାରବାଟୀ ଷ୍ଟାଡ଼ିୟମରେ ୪୨ ହଜାର ଦର୍ଶକ ମ୍ୟାଚ ଦେଖିପାରିବେ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ୍ ୨୩ ହଜାର ଟିକେଟ ବିକ୍ରି ହେବ । ୧୮ ହଜାର ୪୦୦ କମ୍ପ୍ଳିମେଣ୍ଟାରୀ ପାସ୍ ରହିଛି । ଡିସେମ୍ବର ୫ରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି ହେବ । କାଉଣ୍ଟରରେ ସର୍ବମୋଟ ୧୦ ହଜାର ଟିକେଟ ବିକ୍ରି ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ ବୈଧ ପ୍ରମାଣ ପତ୍ର ଦେଖାଇ କିଣିପାରିବେ । ଦିନ ୯ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ ବିକ୍ରି ହେବ । ଗତ ମ୍ୟାଚର ଟିକେଟ ବିଭ୍ରାଟକୁ ଦେଖି ଏଥର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ବୋଲି ଓସିଏ ସଂପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ପୂର୍ବରୁ ପ୍ରତ୍ୟେକ ସିଟର ବ୍ୟବଧାନ ୧୯ ଇଞ୍ଚ ଥିଲା । ଏଥର ଏହାକୁ ୨୨ ଇଞ୍ଚ କରାଯାଇଛି । ଗ୍ୟାଲେରୀ ନମ୍ବର ୧ ଓ ୩ ର ଟିକେଟ ମୂଲ୍ୟ ୧୧ ଶହ ଟଙ୍କା ଥିବାବେଳେ ୨ ଓ୪ ନମ୍ବର ଗ୍ୟାଲେରୀର ଟିକେଟ ମୂଲ୍ୟ ୯୦୦ ଟଙ୍କା ରହିଛି । ସେହିପରି ୫ ନମ୍ବର ଗ୍ୟାଲେରୀର ଟିକେଟ ମୂଲ୍ୟ ୧୨ ଶହ ଟଙ୍କା ରହିଛି । ଗ୍ୟାଲେରୀ ନମ୍ବର ୭ର ମୂଲ୍ୟ ୭ ଶହ ଟଙ୍କା ରହିଛି । ସେହିପରି ସ୍ପେସିଆଲ ଏନକ୍ଲୋଜରର ମୂଲ୍ୟ ୬ହଜାର ଟଙ୍କା, ଏସିବକ୍ସ ଟିକେଟର ମୂଲ୍ୟ ୮ହଜାର ଟଙ୍କା, ନିଉ ପାଭେଲିୟନ ଟିକେଟର ମୂଲ୍ୟ ୧୦ ହଜାର ଟଙ୍କା ଓ କର୍ପୋରେଟ ବକ୍ସ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରହିଛି । ବାରବାଟୀ ଷ୍ଟାଡ଼ିୟମରେ ଟି-୨୦ ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ।
ଅପରାହ୍ନ ୪ଟାରୁ ପ୍ରବେଶ ଅନୁମତି ଦିଆଯିବ ବୋଲି ଓସିଏ ସଂପାଦକ ସୂଚନା ଦେଇଛନ୍ତି । ଚଳିତ ଥର ଫ୍ଲଡ଼ ଲାଇଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ବୋଲି ଓସିଏ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । କ୍ରିକେଟ ପ୍ରେମୀଙ୍କ ପାଇଁ ଉପର ବାଲିଯାତ୍ରା ପଡ଼ିଆ, ତଳ ବାଲିଯାତ୍ରା ପଡ଼ିଆ ଓ ଜବାହାରଲାଲନେହେରୁ ଇଣ୍ଡୋର ଷ୍ଟାଡ଼ିୟମଠାରେ ୩ଟି ‘ଫ୍ୟାନ ପାର୍କ’ ନିର୍ମାଣ କରାଯାଇଛି। ଉଭୟ ଦଳ ଭୁବନେଶ୍ୱରର ମେ ଫେୟାର ହୋଟେଲରେ ରହିବେ ଏବଂ କଡ଼ା ସୁରକ୍ଷା ମଧ୍ୟରେ ପୃଥକ ପୃଥକ ବସରେ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡ଼ିୟମକୁ ଯାତ୍ରା କରିବେ। ମ୍ୟାଚ ପାଇଁ ୫୦ କୋଟି ଟଙ୍କା ବୀମା କରାଯାଇଛି ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଷ୍ଟାଡ଼ିୟମ ପ୍ରବେଶ ଦ୍ୱାରରୁ ଆସୁଥିବା ୪ଟି ରାସ୍ତାରେ ସିସିଟିଭି କ୍ୟାମେରା ଲଗାଯିବ । ନେଟ ପ୍ରାକ୍ଟିସ ସମୟରେ ଗ୍ୟାଲେରୀ ୧, ୨, ୬ ଏବଂ ୭ ଖୋଲା ରହିବ । କିମ୍ସ ହସିପିଟାଲ ଏବଂ ଏସସିବି ମେଡ଼ିକାଲ କଲେଜ ଏବଂ ହସପିଟାଲ ଦଳ କାର୍ଯ୍ୟରେ ନିୟୋଜିତ ରହିବେ । ଏହାଛଡ଼ା ଅଗ୍ନି ନିରାପତ୍ତା ଏବଂ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ଗ୍ୟାଲେରୀରେ ପାନୀୟ ଜଳ ଉପଲବ୍ଧ ହେବ । ଓସିଏ ପକ୍ଷରୁ ବାରବାଟୀ ଟି-୨୦ ମ୍ୟାଚ ପାଇଁ ପ୍ରଥମ ଟିକେଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓସିଏ ସଭାପତି ପଙ୍କୋଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସିଓ ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।