ବିଂଶତମ ସଂକୀର୍ତ୍ତନ ମହାଧିବେଶନ

 ପୁରୀ : ମହାପ୍ରଭୁଙ୍କ ଚନ୍ଦନଯାତ୍ରାର ଅନ୍ତିମ ପର୍ବ ଭଉଁରୀ ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ ଆନୁକୂଲ୍ୟରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସଭାକକ୍ଷରେ ୨୦ତମ ରାଜ୍ୟସ୍ତରୀୟ ସଂକୀର୍ତ୍ତନ ମହାଧିବେଶନ ଅନୁଷ୍ଠିତ ହୋଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ମହାଧିବେଶନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମନୁଷ୍ୟ ମନରେ ସଂସ୍କୃତିର ମୂଳ ଆଧ୍ୟାତ୍ମିକତା ଧର୍ମ ଜାଗରଣ ନ ହେଲେ ମହାପ୍ରଭୁଙ୍କ କୃପା ମିଳେନାହିଁ । ନାମ ଓ ନାମି ଅଭିନ୍ନ । ମହାପ୍ରଭୁଙ୍କ ନାମ ନେବା ବେଳକୁ ଯଦି ନାମିର ମହିମା, ମହତ୍ତ, ବାସ୍ତବ ଭାବନା ଆମ ମନ ଓ ହୃଦୟରେ ସୃଷ୍ଟି ନହେବ ତାହାଲେ ଯଥା ସମ୍ଭବ ଲାଭ ମିଳିବ ନାହିଁ । ମନୁଷ୍ୟ ହୃଦୟ ଭିତରର ମଳିକୁ ସଫା କରିବାର ଦକ୍ଷତା ରହିଛି ନାମ ସଂକୀତ୍ତନରେ । ଅନୁଷ୍ଠାନ ଅଧ୍ୟକ୍ଷ ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହାଧିବେଶନରେ ସାଧାରଣ ସମ୍ପାଦକ ଜଟାଧାରୀ ମିଶ୍ର ପ୍ରକାଶ କରିଥିଲେ ଯେ, ନାମ ସଂକୀତ୍ତନ ଅବକ୍ଷୟମୁଖୀ ହୋଇଥିବା ବେଳେ, ଅନୁଷ୍ଠାନ ଏହାକୁ ପ୍ରୋତ୍ସାହନ ପ୍ରଦାନ କରି ରାଜ୍ୟରେ ଏକ ଲକ୍ଷ ସଂକୀର୍ତ୍ତନ ସୃଷ୍ଟି କରିପାରିଛି । ବାରମ୍ବାର ଦାବି ଦ୍ୱାରା ୨୦୧୧ ମସିହା ଏପ୍ରିଲ ମାସ ୧ ତାରିଖରେ ରାଜ୍ୟ ସରକାର ସଂକୀର୍ତ୍ତନକୁ ଲୋକକଳାର ମାନ୍ୟତା ପ୍ରଦାନ କରିଛନ୍ତି । ରାଜ୍ୟର ୩୦ହଜାର ସଂକୀତ୍ତନକାରୀ କଳାକାର ଭତ୍ତା ପାଉଛନ୍ତି । ଏହି ଅବସରରେ ଚନ୍ଦନ ଯାତ୍ରାରେ ମହାପ୍ରଭୁ ନରେନ୍ଦ୍ର ସରୋବରରୁ ବିଳମ୍ବିତ ରାତ୍ରରେ ଶ୍ରୀମନ୍ଦିରକୁ ପ୍ରତ୍ୟାବତ୍ତନ ବେଳେ ସଂକୀର୍ତ୍ତନର ବ୍ୟବସ୍ଥା କରିବା ପାଇଁ ଗଜପତି ମହାରାଜା ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟଅତିଥି ଭାବେ ଯୋଗଦାନ କରି ଝାଞ୍ଜପିଟା ମଠର ମହନ୍ତ ସଚ୍ଚିଦାନନ୍ଦ ଦାସଜୀ ମହାରାଜ କହିଥିଲେ ଯେ, ନିଗମ ଶାସ୍ତ୍ର ଭାଗବତର ଅନ୍ତିମ ଫଳ କେବଳ ନାମ ସଂକୀର୍ତ୍ତନ ନୁହେଁ । ଅନ୍ୟତମ ଅତିଥି ଭାଗବତ ଆଶ୍ରମର ବାବା ବ୍ରଜବନ୍ଧୁ ଦାସ କହିଥିଲେ ଯେ, ଜଣେ ଅସ୍ପୃଶ୍ୟ ଯଦି ଭଗବାନଙ୍କର ନାମ ନିଏ ତେବେ ସେ ସିଦ୍ଧ ଫଳପ୍ରାପ୍ତି ହୁଏ । ମାନବ ଧର୍ମକୁ ପାଳନ କରି ଯେଉଁ ଫଳପ୍ରାପ୍ତି ହୁଏ ଭଗବାନଙ୍କ ନାମ ସଂକୀତ୍ତନ ଦ୍ୱାରା ସେହି ସମାନ ଫଳପ୍ରାନ୍ତି ହୋଇଥାଏ । ଏହି ଅବସରରେ ଜଗନ୍ନାଥ ସଂସ୍କୃତି ବିସାରଦମାନଙ୍କୁ ଗଜପତି ମହାରାଜା ସମ୍ବର୍ଦ୍ଧିତ କରିଥିଲେ । ଡ. କୈଳାସ ଚନ୍ଦ୍ର ଟିକାୟତରାୟ ଓ ଚକ୍ରଧର ମହାପାତ୍ର ମହାଧିବେଶନ ପରିଚାଳନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ସଂକୀର୍ତ୍ତନ ମନୁଷ୍ୟର ମନ, ଶରୀର ଓ ଆତ୍ମା ଉପରେ ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଫିଜିଓଲୋଜି ଡ. ଅର୍ପିତା ପ୍ରିୟଦର୍ଶିନୀ, ଗୋପବନ୍ଧୁ ଆୟୁର୍ବେଦ କଲେଜ ଅଧ୍ୟକ୍ଷ ଡ. ଅରୁଣ ଦାସ, ନାୟଗଡ଼ ସରକାରୀ ଚିକିତ୍ସାଳୟର ଚିକିସôାଧିକାରୀ ଡ଼କ୍ଟର ଆଶୁତୋଷ ମିଶ୍ର, ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ପ୍ରଫେସର ଡ. ଶ୍ରୀକାନ୍ତ ପଣ୍ଡା, ପାରାଦୀପ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ମୋହନ ମିଶ୍ର, ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡ. ନରହରି ମିଶ୍ର, ଡ. ଦେବପ୍ରସାଦ ଦାସ ଓ ଡ. ଦୀପ୍ତିରେଖା ଦାସ ଆଲୋଚକ ଭାବେ ଯୋଗଦାନ କରିଥିଲେ ।