ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ

ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଜନ୍ମଦିନ ଠାରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ପାଳନ କରାଯାଉଥିବା ସେବାପକ୍ଷ ଅବସରରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ଗସ୍ତରେ ଆସି ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ଗୋବିନ୍ଦପୁର ବିଜେପି ମଣ୍ଡଳ ଆନୁକୂଲ୍ୟରେ ସ୍ଥାନୀୟ ବେଲଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।  ଡାକ୍ତରଖାନା ପରିଦର୍ଶନ କରି ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏବଂ ଏହାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରେ ଯୋରନ୍ଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ କାମନା କରିବା ସହ ସ୍କୁଲ୍‌ର ପରିଚାଳନା କମିଟି, ଗୁରୁଜୀ ଗୁରୁମାଙ୍କ ସହିତ ସ୍କୁଲ୍‌ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଶାସକ ମନମୋହନ ତ୍ରିପାଠୀ ସ୍ଥାନୀୟ କାଙ୍କଲୁଣ୍ଡା ଠାରେ  ଏକ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ ଓ ବିଦ୍ୟାଳୟରେ ବିଜ୍ଞାନ ଲାବୋରଟୋରୀ ପ୍ରତିଷ୍ଠା କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ପରିଚାଳନା କମିଟି ସଦସ୍ୟ ଧର୍ମାନନ୍ଦ ରାଉତ, ଅଶୋକ କୁମାର ରାଉତ, ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ହୋତା ସମେତ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ମଧ୍ୟାହ୍ନରେ ବିଜେପି ମହିମା ମଣ୍ଡଳ ସଭାପତି ପ୍ରତାପ ନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର ଯୋଗ ଦେଇ ମଣ୍ଡଳର ପ୍ରମୁଖ ନେତୃବୃନ୍ଦଙ୍କ ସହିତ ଅଞ୍ଚଳର ବିକାଶ ଓ ସମସ୍ୟା ବାବଦରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ବିକାଶଧାରାକୁ ମିଳିତ ଭାବେ ଆଗେଇ ନେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟନ୍ତୀ ଅବସରରେ ପାଳିତ ‘ସେବାପକ୍ଷ' କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଏହି ଅବସରରେ ମନ୍ତ୍ରୀଙ୍କ ଗଁଦିଆ ପ୍ରତିନିଧି ରତିକାନ୍ତ ସାହୁ, ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ ଓ ପୂର୍ବତନ ମହିମା ମଣ୍ଡଳ ସଭାପତି ପ୍ରତ୍ୟୁଷ ହରି ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିବାବେଳେ ବରିଷ୍ଠ ନେତା ଅମ୍ବିକା ପ୍ରସାଦ ମିଶ୍ର, ମହାଦୀପ୍‌ ଯଶୋବନ୍ତ ମହିମା, ଦିଗାମ୍ବର ସାହୁ, ଶତୃଘନ ରାଉତ, ଅଭୟ ପାଣି, ଧର୍ମାନନ୍ଦ ରାଉତ, ସିଦ୍ଧାର୍ଥ ଶଙ୍କର ସାମଲଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ପୂର୍ବତନ ସଭାପତି ପ୍ରତ୍ୟୁଷ ହରି ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।