ବିଜେଡି ସହ ହାତ ମିଳାଇଲା କଂଗ୍ରେସ : ଅନାସ୍ଥାରେ ହାରିଗଲେ ପୌରାଧ୍ୟକ୍ଷା ସଙ୍ଗୀତା

 ବ୍ୟାସନଗର:  ବିଜେଡି ସହ ହାତ ମିଳାଇଲା କଂଗ୍ରେସ । ବିଜେଡି ପକ୍ଷରୁ ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥାରେ କଂଗ୍ରେସ ବିଜେଡିକୁ ସାଥ ଦେଲା । ଫଳରେ ୨୦-୦ରେ ହାରିଗଲେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ମନମାନି, ବିକାଶରେ ବାଧକ, ପାରିଷଦଙ୍କୁ ବିଶ୍ୱାସକୁ ନନେବା ଏବଂ ସର୍ବୋପରି କାଉନସିଲ ବୈଠକରେ ପାରିତ ପ୍ରସ୍ତାବକୁ ଖାତିର ନକରିବା ଭଳି ଅଭିଯୋଗ ଆଣି ମାର୍ଚ ମାସ ୬ ତାରିଖରେ ପୌରାଧ୍ୟକ୍ଷା ସଙ୍ଗୀତାଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ଆବେଦନ କରିଥିଲେ ଉପନଗରପାଳ ସୁବାସ ବଳଙ୍କ ସହ ୧୧ ବିଜେଡି ପାରିଷଦ । ପ୍ରଶାସନୀକସ୍ତରରେ ଏନେଇ ପ୍ରକ୍ରୀୟା ଆରମ୍ଭ କରାଯାଇ ଅନାସ୍ଥା ଭୋଟ ପାଇଁ ଆଜିକୁ ଦିନ ଧାର୍ଯ୍ୟ କରାଯାଇଥିଲା । ନିର୍ଦ୍ଧାରିତ ୧୧ଘଟିକା ସମୟରେ ବ୍ୟାସନଗର ପୈାର କାର୍ଯ୍ୟାଳୟରେ ଅନାସ୍ଥା ପାଇଁ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦଙ୍କ ସହ ନିର୍ବାହୀ ଅଧିକାରୀ ନମ୍ରଦା ମୋଦି ଏବଂ ପୈାର କର୍ମଚାରୀଙ୍କ ପରିଚାଳନାରେ ଅନୁଷ୍ଠିତ ଅନାସ୍ଥା ବୈଠକରେ ଉପନଗରପାଳ ସୁବାସ ବଳଙ୍କ ସହ ୨୦ ପାରିଷଦ ସର୍ବଶ୍ରୀ ପାର୍ଥସାରଥୀ ନାୟକ, ବିଜୟ କୁମାର ଜେନା, ମୋନାଲିସା ସାହୁ, ସରିତା ଜେନା, ସୁଜାତା ପ୍ରୀୟଦର୍ଶନୀ ପରିଡ଼ା, ଉର୍ମିଳା ପରିଡ଼ା, ରଶ୍ମିତା ଖୁଂଟିଆ, କୁନି ହଁସଦା, ସରୋଜୀନୀ ନାୟକ, ଅଶୋକ କୁମାର ଦାସ, ସନ୍ତୋଷ କୁମାର ବରାଳ, ବୁଦୁନୀ ଦରାଇ, ସିଦ୍ଧାର୍ଥ ଶଙ୍କର ସାମଲ, ଶିବାନନ୍ଦ ନାୟକ, ଅନ୍ନପୂର୍ଣ୍ଣା ତରାଇ, ଅରୁନ୍ଧତୀ ପରିଡ଼ା, କୁମୁଦୁନୀ ରାଉତ୍, ଦିଲୀପ ସେଠୀ, ରବିନ୍ଦ୍ର କୁମାର ରାଉତ ଉପସ୍ଥିତ ହୋଇଥିଲେ । ବୈଠକ କୋରମ ହେବାରୁ ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହୋଇଥିଲା । ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ବାଲାଟ ପେପରରେ ଉପସ୍ଥିତ ୨୦ପାରିଷଦ ମୋହନ ମାରିଥିଲେ । ନିର୍ଦ୍ଧାରିତ ସମୟ ପରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଫଳାଫଳ ଘୋଷଣା କରିଥିଲେ । ଅନାସ୍ଥା ସପକ୍ଷରେ ୨୦ ଏବଂ ବିପକ୍ଷରେ ଶୂନ ମତଦାନ ଥିବା ଘୋଷଣା କରିବା ପରେ ବିଜେଡ଼ି ଆଣିଥିବା ଅନାସ୍ଥାକୁ କଂଗ୍ରେସର ୪ ପାରିଷଦ ସମର୍ଥନ କରିଥିବା ସ୍ପଷ୍ଟ ହୋଇଯାଇଥିଲା । ଅନାସ୍ଥ୍ାରେ ପୈାରାଧ୍ୟକ୍ଷା ସଙ୍ଗୀତା ହାରିଯିବା ପରେ ଗଲା ମାସେ ଧରି ପୈାର ରାଜନୀତିକୁ ନେଇ ଚାଲିଥିବା ଛକାପଞ୍ଜାରେ ପୂର୍ଣ୍ଣଛେଦ ପଡ଼ିଛି ।  ଅନାସ୍ଥା ଆଣିଥିବା ପାରିଷଦ ପୈାରପାଳିକା ବିକାଶରେ ଅଧ୍ୟକ୍ଷା ପ୍ରତିବନ୍ଧକ ସାଜିଥିବା ଏବଂ ଏକଛତ୍ରବାଦ ଶାସନ ଚଳାଇ ବିକାଶକୁ ଭଣ୍ଡୁର କରିବାକୁ ଯେଉଁ ଯୋଜନା କରିଥିଲେ ସେଥିରେ ରୋକ ଲାଗିଲା ବୋଲି କହିଛନ୍ତି । ଆମେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ନୁହେଁ ଅଂହକାର ବିରୁଦ୍ଧରେ ଏବଂ ସ୍ୱାଭିମାନ ସୁରକ୍ଷା ପାଇଁ ଲଢେଇ କରୁଥିଲୁ ବୋଲି କହିଥିଲେ । ଏବେ ବ୍ୟାସନଗର ବିକାଶର ପର୍ବ ଆରମ୍ଭ ହେବ । ଆଇନଶୃଙ୍ଖଳା ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିବା ବେଳେ ଯାଜପୁର ରୋଡ଼ ଥାନା ଅଧିକାରୀ ଉପେନ୍ଦ୍ର ନାଥ ବେହେରା, କୋରେଇ ଥାନା ଅଧିକାରୀ, ଯଖପୁରା ଥାନା ଅଧିକାରୀ, ପୁଲିସ ମୁଖ୍ୟାଳୟ ଆଇଆଇସି ପ୍ରମୂଖ ସଜାଗ ରହିଥିଲେ । ସୂଚନା ଥାଉକି ବ୍ୟାସନଗର ପୈାରପାଳିକାର ଅଧ୍ୟକ୍ଷା ଭାବେ ସଙ୍ଗୀତା ପିଙ୍ଗୁଆ ବିଜୁ ଜନତା ଦଳରୁ ନିର୍ବାଚନ ଲଢି ୧୫୭୨୦ ଭୋଟ ପାଇ ବିଜୟୀ ହୋଇଥିଲେ । ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ପୈାରପାଳିକାକୁ କରାୟତ କରିଥିବା ବିଜୁ ଜନତା ଦଳରୁ୧୫ ପାରିଷଦ ବିଜୟୀ ହୋଇଥିବା ବେଳେ ବିଜେପିରୁ ୩, କଂଗ୍ରେସରୁ ୫ ଓ ୩ ଜଣ ସ୍ୱାଧୀନ ପାରିଷଦ ବିଜୟୀ ହୋଇଥିଲେ । ତେବେ ପରବର୍ତି ସମୟରେ ୩ ସ୍ୱାଧୀନ ପାରିଷଦ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଗଲା ସାଧାରଣ ନିର୍ବାଚନ ସମୟରେ ବିଜେପିର ୩ ପାରିଷଦ ମଧ୍ୟରୁ ଦୁଇଜଣ ବିଜେଡ଼ିରେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଗଲା ମାସ ୨ ତାରିଖରେ ଉପନଗରପାଳ ସୁବାସ ବଳଙ୍କ ନେତୃତ୍ୱରେ ଦଳୀୟ ପାରିଷଦ ଏବଂ ବିଜେଡ଼ି ନେତା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ସହ ପୈାର ପରିଷଦରେ ଦଳର ସ୍ଥିତି ସଂପର୍କରେ ଅବଗତ କରିଥିଲେ ।