ବିଜେପିର କାର୍ଯ୍ୟଶୈଳୀକୁ କଂଗ୍ରେସର ନିନ୍ଦା 

ବୁଗୁଡ଼ା: ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା, ବରିଷ୍ଠ କଂଗ୍ରେସ ନେତା ଦେବୀ ପ୍ରସାଦ ବିଷୋୟୀ, ପିସିସି ସଦସ୍ୟ ସୁଜିତ ସ୍ୱାଇଁ, ପ୍ରାକ୍ତନ କଂଗ୍ରେସ ସେବାଦଳ ସଭାପତି ଜାନକୀ ବଲ୍ଲଭ ରାଉତ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଶଙ୍କର୍ଷଣ ବେହେରା, ପ୍ରାକ୍ତନ ନଗର କଂଗ୍ରେସ ସଭାପତି ମାନସ ରଞ୍ଜନ ଦାଶ, ସିମାଞ୍ଚଳ ଖଟେଇ ପ୍ରମୁଖ ଯୋଗ ଦେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । ଏ ଅବସରରେ ତଳ ଦିନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗର ଦ୍ୱାହି ଦେଇ ବିଜେପି ପକ୍ଷରୁ ସ୍ଥାନୀୟ ମଦନ ମୋହନ ଛକରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ ସହ ସେମାନଙ୍କ ପ୍ରତି ଅଶାଳୀନ ବକ୍ତବ୍ୟ ପ୍ରଦାନର ନିନ୍ଦା କରାଯାଇଥିଲା । ପୂର୍ବରୁ କଂଗ୍ରେସ ଦଳରେ ରହି ସୋନିଆ ଓ ରାହୁଲଙ୍କ ଜୟଗାନ କରୁଥିବା କେତେକ ବିଜେପି ନେତା ଓ କର୍ମୀ ଏବେ ସେମାନଙ୍କ ପ୍ରତି କଟୁ ମନ୍ତବ୍ୟ ପ୍ରଦାନ କରିବା ହାସ୍ୟାସ୍ପଦ ବୋଲି ମତବ୍ୟକ୍ତ କରିବା ସହ ଏଠାକାର ବିଜେପି କର୍ମୀ ଓ କର୍ମକର୍ତ୍ତାଙ୍କ ଔଦ୍ଧତ୍ୟର ଜବାବ ଜନତା ଆଗାମୀ ନିର୍ବାଚନରେ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏଥି ସହ ଚାଷୀଙ୍କ ସ୍ୱାର୍ଥ ସହିତ ଜଡିତ ଧାନମଣ୍ଡିକୁ ଅବ୍ୟବସ୍ଥିତ ଦର୍ଶାଇ ସରକାରଙ୍କୁ ସମାଲୋଚନା କରିଥିଲେ ।