ବିଜୟଙ୍କୁ ଏବେବି ଡରୁଛନ୍ତି ନବୀନ
ଭୁବନେଶ୍ୱର : ଟାଇଗର ଜିନ୍ଦା ହୈ । ଦଳର ପ୍ରତିଷ୍ଠା ଦିବସରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଲକ୍ଷ୍ୟ କରି ଏମିତି କହିଥିଲେ ବରିଷ୍ଠ ନେତା ପ୍ରତାପ ଦେବ । କିନ୍ତୁ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ପରେ ରାଜ୍ୟ ରାଜନୀତିକୁ ଆଉ ଏକ ବାର୍ତ୍ତା ଯାଇଛି । ଟାଇଗର ଜିନ୍ଦା ହୈ, କଥାଟି ବିଜୟଙ୍କ ପାଇଁ ହିଁ ପ୍ରଯୁଜ୍ୟ ବୋଲି ଲୋକେ କହୁଛନ୍ତି । ୨୦୦୦ରୁ ୨୦୨୪ । ଛଅଟା ନିର୍ବାଚନ ସରିଲାଣି । ହେଲେ ବିଜୟ ମହାପାତ୍ର ବିଧାନସଭା ଯାଇପାରିଲେନି । ବିଜେଡ଼ିର ସଣ୍ଢୁଆସୀ ଆକ୍ରମଣ ଓ ଚକ୍ରବ୍ୟୁହ ଆଗରେ ବିଜୟ ଫସି ଯାଇଛନ୍ତି । ବିଜେପିକୁ ଯାଇଥିଲେବି ତାଙ୍କ ଭାଗ୍ୟ ଆକାଶରେ ସୂର୍ଯ୍ୟ ଉଇଁନଥିଲା । ଇତିମଧ୍ୟରେ ଶହ ଶହ ନୂଆ ପୁରୁଣା ନେତା ବିଧାୟକ ହେବାର ସୌଭାଗ୍ୟ ପାଇଛନ୍ତି । କିଏ ଥରେ କି ଦିଥର ହାରିଯିବା ପରେ ହଜି ବି ଯାଇଛନ୍ତି । ହେଲେ ବିଜୟ ଏବେବି ରାଜ୍ୟ ରାଜନୀତିର ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟି ଯାଇଛନ୍ତି । ବଡ଼ ବଡ଼ ରାଜନେତାମାନେ ଏବେବି ବିଜୟଙ୍କ ଘରେ ବସି ଆଲୋଚନା କରନ୍ତି । ଆଉ ନବୀନ ତାଙ୍କୁ ଏବେବି ଡରୁଛନ୍ତି ବୋଲି ପ୍ରମାଣିତ ହୋଇଯାଇଛି ।
ଅରବିନ୍ଦ ମହାପାତ୍ର ଦେଢ଼ ବର୍ଷ ହେଲା ବିଧାୟକ ହୋଇଛନ୍ତି । ଏକଦା ବାପାଙ୍କ ଗଡ଼ ଥିବା ପାଟକୁରାର ମଙ୍ଗ ଧରିଛନ୍ତି । ଧିରେଧିରେ ରାଜନୀତି ଜାଣିଗଲେଣି, ସଂଗଠନ ବି ଶିଖିଗଲେଣି । ହେଲେ ଅରବିନ୍ଦଯେ, ରାଜନୀତିକ ଦାଓପେଞ୍ଚରେ ଓସ୍ତାଦ ହୋଇଗଲେଣି ଏକଥା କହିବା ଭୁଲ୍ ହେବ । ହଁ, ବିଧାନସଭା ହେଉକି ମିଡିଆ ଆଗରେ ବିଜୟଙ୍କ ଭଳି ରୋକଠୋକ ଜବାବ ଦେବାରେ ସେ ମାହିର ହୋଇ ସାରିଲେଣି । ରାଜ୍ୟ ରାଜନୀତିକୁ ଭଲଭାବେ ଅନୁଶୀଳନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ପଚାରିଲେ ସେ କହିଦେବେଯେ, ଅରବିନ୍ଦ ଦୁର୍ନୀତିଗ୍ରସ୍ତ ନୁହଁନ୍ତି । ଆଉ ରହିଲା ବିଶ୍ୱାସଘାତକତା । ଗଣମାଧ୍ୟମରେ ବିଜେଡ଼ି ମେଳିକୁ ନେଇ ଅନେକ ଖବର ପ୍ରକାଶ ପାଉଛି । ଅନେକ ନେତାଙ୍କ ନାମ ବି ଗଣମାଧ୍ୟମର ଶିରୋନାମା ମଣ୍ଡନ କରୁଛି । ହେଲେ ଅରବିନ୍ଦଙ୍କ ନାମ କେବେ ପ୍ରକାଶ ପାଇନାହି । କିନ୍ତୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକଙ୍କର ସ୍ଥାନ ଦଳରେ ନାହିଁ ବୋଲି କହି ତାଙ୍କୁ ନିଲମ୍ବନ କରାଯାଉଛି ।
ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବିଜୟ ମହାପାତ୍ରଙ୍କ ପାଇଁ ହିଁ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଛି । ବିଜୟ କୁଆଡେ଼ ରାଜ୍ୟସଭାର ଚତୁର୍ଥ ପ୍ରାର୍ଥୀଙ୍କୁ ଜିତାଇବାକୁ ଗୋଟିଚାଳନା କରୁଛନ୍ତି । ଦିଲ୍ଲୀପ ରାୟ କିଭଳି ୨୦୦୨ ଭଳି ଏଥର ବି ରାଜ୍ୟସଭାକୁ ଯିବେ ସେନେଇ ସେ ଅଙ୍କ କଷୁଛନ୍ତି । ଖାଲି ସେତିକିନୁହେଁ ବିଜୟ ଏକ ଆଞ୍ଚଳିକ ଦଳ ଗଢ଼ିବାକୁ ଯୋଜନା କରୁଛନ୍ତି । ଯେଉଁଥିପାଇଁ ନବୀନ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି । ଅପରପକ୍ଷରେ ବିଜୟ ଏବେ କୌଣସି ଦଳରେ ନାହାନ୍ତି । ସେ ଜଣେ ରାଜନୈତିକ ବ୍ୟକ୍ତି । ରାଜନୈତିକ ବ୍ୟକ୍ତି ରାଜନୀତି ହିଁ କରିବେ । ସମସ୍ତେ ଯେଭଳି ନିଜ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି ବିଜୟ ବି କରିବା ସ୍ୱାଭାବିକ । ଯଦି ଦିଲ୍ଲୀପଙ୍କୁ ସେ ରାଜ୍ୟସଭା ପଠାଇବାକୁ ଯୋଜନା କରୁଥିବେ ତେବେ ବିଜେଡ଼ି, ବିଜେପି ଓ କଂଗ୍ରେସର ସହଯୋଗ ନିହାତି ଆବଶ୍ୟକ ପଡ଼ିବ । କେବଳ ବିଜୟ ଚାହିଁଦେଲେ ବିଜେଡ଼ି ବିଧାୟକମାନେ ଦିଲ୍ଲୀପଙ୍କୁ ସମର୍ଥନ କରିବେନି । ଯଦି ତାହା ସତ, ତାହେଲେ ନବୀନ ତାହାକୁ ଅଟକାଇ ପାରିବେ କି ?
ସେହିପରି ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ଯେତେବେଳେ ବିଜେଡ଼ିକୁ ଆସିଲେ ସେତେବେଳେ ସେ ବିଜୟଙ୍କ ସହ କଥା ହୋଇଥିଲେ କି ? ବିଜୟଙ୍କୁ କହି ଅରବିନ୍ଦଙ୍କୁ ଟିକେଟ୍ ଦେଇଥିଲେକି ? ଅରବିନ୍ଦଙ୍କ ସହ ବିଜେଡ଼ିର ନେତାମାନେ ଯୋଗସୂତ୍ର କରି ଦଳକୁ ନେଇଥିଲେ । ଦଳର ଆବଶ୍ୟକତା ଥିବାରୁ, ବିଶେଷକରି ବୈଜୟନ୍ତ ପଣ୍ଡାଙ୍କୁ ହରାଇବା ପାଇଁ ଏମିତି ଏକ ରଣନୀତି କରିଥିଲେ ପାଣ୍ଡିଆନ୍ । ହେଲେ ସାରା ରାଜ୍ୟରେ ମୋଦି ଲହର ଏମିତି ହୋଇଥିଲାଯେ, ୨୦ ସ୍ଥାନରେ ବିଜେପି ବାଜିମାତ୍ କଲା । ପାଟକୁରା ଓ ମହାକାଳପଡ଼ାରେ ବିଜେପି ଢେ଼ର ଅଧିକ ଭୋଟ୍ ପାଇଥିବାରୁ ବିଜୟଙ୍କୁ ଦାୟୀ କରାଯାଉଛି । କିନ୍ତୁ ଖୋଦ୍ ନବୀନଙ୍କ ହିଞ୍ଜିଳିରେ ବି ବିଜେପି ଅଧିକ ଭୋଟ୍ ପାଇଛି । ତେଣୁ ଏହାକୁ ନେଇ ବିଜେଡ଼ି ପକ୍ଷରୁ ଯେଉଁ ନ୍ୟାରେଟିଭ୍ କରାଯାଉଛି ତାହାର ଯଥାର୍ଥତା ନାହିଁ । ଗାଏମୋଟ୍ କହିଲେ ଏବେବି ବିଜୟଙ୍କୁ ନବୀନ ଡରୁଛନ୍ତି । ବିଜୟ ବିଜେଡ଼ିର ଉତଥାନ ବି ଦେଖିଛନ୍ତି ଆଉ ପତନ ବି ଦେଖୁଛନ୍ତି । ବିଜେଡ଼ି ନେତାମାନେ କିଭଳି ଅମାନିଆ ହୋଇ ଯାଇଛନ୍ତି ତାହା ବି ନବୀନ ଜାଣିଛନ୍ତି । କାଳେ ବିଜୟ କିଛି ବିକଳ୍ପ ବ୍ୟବସ୍ଥା କଲେ ନେତାମାନେ ବିଜେଡ଼ି କ୍ୟାମ୍ପ ଛାଡ଼ି ବିଜୟଙ୍କ ଆଡ଼କୁ ଡିଅାଁ ମାରିବେ କି ସେଇ ଭୟ ଘାରିଛି । ୨୪ ବର୍ଷର ସରକାର ପରେ ନବୀନ ବାବୁ ବିଜୟଙ୍କୁ ଡରିବାକୁ ନେଇ ଏବେ ରାଜନୀତିକ ମହଲରେ ରୋଚକ ଚର୍ଚ୍ଚା ସୃଷ୍ଟିହୋଇଛି ।
Samir Kumar Rout