ନର୍ଲାରେ ରେଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ 


ଭବାନୀପାଟଣାରୁ ବିଜୟ ଦ୍ୱିବେଦୀ : ଲାଇଫଲାଇନ ଭାବେ ଭାରତୀୟ ରେଳସେବା ଯଥେଷ୍ଟ ସାମର୍ଥ୍ୟଶୀଳ ଭୂମିକା ନିର୍ବାହକରି ଆସୁଥିବା କୁହାଯାଏ । କିନ୍ତୁ ରାଜନୈତିକ ସ୍ଥିତି ଓ ଦଳୀୟ ହୀନମନ୍ୟତା କାରଣରୁ କେନ୍ଦ୍ର ସରକାର ଉପେକ୍ଷା କରିବାକୁ ପଛାଉ ନଥିଲେ । ଗତ ସରକାର କାଳରେ କଳାହାଣ୍ଡି ଜିଲ୍ଲା ପ୍ରତି ରେଳ ମନ୍ତ୍ରଣାଳୟର ମୌନ ରହିବା ମାନସିକତା ପ୍ରମାଣ କରିଦେଇଛି । ବର୍ତ୍ତମାନ ମୋହନ ସରକାର ଚୁପ ରହିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧିପାଉଛି । କଳାହାଣ୍ଡି ଜିଲ୍ଲାରେ ରେଳସେବା ଯୋଗାଇବା ଓ ପ୍ରକଳ୍ପ ନିର୍ମାଣରେ ଦେଖାଯାଉଥିବା ଅହେତୁକ ବିଳମ୍ବକୁ ନେଇ ନାଗରିକ ସଂଗଠନ ତଥା କଳାହାଣ୍ଡି ରେଳ ଯାତ୍ରୀ ସଂଘ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏଠାରେ କୁହାଯାଇପାରେ ଯେ, କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ନର୍ଲାସ୍ଥିତ ଚପଟଖଣ୍ଡା ଠାରେ ରେଳ ପ୍ରକଳ୍ପ ପ୍ରସ୍ଥାବ କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରାଳୟ ଝୁଲାଇ ରଖି ଆସୁଛନ୍ତି । ପ୍ରଥମେ ରେଳ ୱାଗନ କାରଖାନା ହେବ ବୋଲି କଳାହାଣ୍ଡିବାସୀଙ୍କୁ ଆଶା ଦେଖାଇ ଶେଷରେ ତାହା ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲା । ପରେ ପରେ ଇଲେକ୍ଟ୍ରୋ ଲୋକମୋଟିଭ କାରଖାନା ପ୍ରତିଷ୍ଠା ହେବା ନିଷ୍ପତ୍ତି ନିଆଯାଇ ଏଯାବତ ସେ ପ୍ରସଙ୍ଗକୁ କେନ୍ଦ୍ର ସରକାର ତଥା ରେଳ ମନ୍ତ୍ରାଳୟ ଦୂରେଇ ରହିଥିବା ଅନୁମାନ କରାଯାଉଛି । ପ୍ରତି ମୂହର୍ତ୍ତରେ ଜମି ଅଧିଗ୍ରହଣ କଥାକୁ ଆଳ ଦେଖାଇ ନିର୍ମାଣ କାର୍ଯ୍ୟର ନାଁ ଧରୁନାହାନ୍ତି । ନବୀନ ସରକାର ସମୟରେ ଯେତେବେଳେ ଜମି ମଗାଯାଇଛି ତାହା ଯୋଗାଇ ଦିଆଯାଇଛି । ପ୍ରକଳ୍ପ ପାଇଁ ଜମିର ଅଭାବ ନାହିଁ । କିନ୍ତୁ ରେଳ ବିଭାଗର କୌଣସି ଆଗ୍ରହ ଥିବା ଜଣାପଡୁନାହିଁ ।  ପ୍ରସ୍ଥାବିତ ଇଲେକ୍ଟ୍ରୋଲୋଜମୋଟିଭ ୱାର୍କସପ (ବିଦୁ୍ୟତ ଇଞ୍ଜିନ ମରାମତି କାରଖାନା)ର ଗତି କୁଆଡେ ତାହା ସ୍ପଷ୍ଟ ହେଉନାହିଁ । ଗତ ସରକାର କଳାହାଣ୍ଡିର ବିକାଶକୁ ଦୃଷ୍ଟିରେ ରଖି ଜମି ଯୋଗାଇବାରେ ଅବହେଳା କରିନାହାନ୍ତି । ଏବେ ଡବଲ ଇଞ୍ଜିନ ସରକାର କାଳରେ କାହିଁକି ପ୍ରକଳ୍ପ ଅଟକିଛି ସେ ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଗତ ମାର୍ଚ୍ଚ ମାସ ୫ତାରିଖରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଭଳି ଶୁଭ ସଂକେତ ଦେଖି ଅଞ୍ଚଳବାସୀ ନିଯୁକ୍ତି ସୁଯୋଗକୁ ଦୃଷ୍ଟିରେ ରଖି ଖୁସିବ୍ୟକ୍ତ କରିଥିଲେ । ଇତିମଧ୍ୟରେ ୬ମାସ ବିତିଯାଇଛି, ନିର୍ମାଣ କଥା ଦୂରେଥାଉ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ଅସ୍ତ୍ର କରି ସ୍ଥାନୀୟ ଲୋକଙ୍କୁ ଭୁଆଁ ବୁଲେଇ ରଖାଯାଉଛି । ଗତ ନିର୍ବାଚନ ସମୟରୁ ରାଜନୈତିକ ଷଡଯନ୍ତ୍ର ଓ ଅଭିସନ୍ଧିମୂଳକ କାର୍ଯ୍ୟରେ ଶାସକଦଳର ବଡଧରଣର ଚକ୍ରାନ୍ତ ଥିଲାବୋଲି ଲୋକେ କହିବା ଆରମ୍ଭ କରିସାରିଛନ୍ତି । ଗତ କେନ୍ଦ୍ର ସରକାରରେ ରେଳମନ୍ତ୍ରୀ ଥିଲେ ଅଶ୍ୱିନୀ ବୈଷ୍ଟବ ଏବେ ମଧ୍ୟ ନୂଆ ସରକାରରେ ସେ ରେଳ ବିଭାଗ ଦାୟିତ୍ୱରେ ଥାଇ ନିରବ ରହିଛନ୍ତି । ଏହି ପ୍ରକଳ୍ପ ପାଇଁ ୩୭୨କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିବା ସୂଚନା ମିଳିଛି । ତେବେ ୨୦୧୬ରୁ ୨୦୨୪ ମଧ୍ୟରେ ମିଳିଛି ମାତ୍ର ୧୭କୋଟି ଟଙ୍କା । ପ୍ରଥମେ ୨୦୧୬ରେ ଏକ କୋଟି, ୨୦୧୮ରେ ପୁଣି ଏକ କୋଟି ଟଙ୍କା ଆସିଥିବା କୁହାଯାଇଛି । ପରେ ୨୦୧୯ରେ ପ୍ରକଳ୍ପ ନାଁରେ ଆସିଲା ୫ କୋଟି । ଶେଷରେ ଗତ ମାର୍ଚ୍ଚ ମାସରେ ୨୦୨୪ରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ୧୦ କୋଟି ଟଙ୍କା ପହଞ୍ଚିଥିବା ଜଣାପଡିଛି । ଉକ୍ତ ଶିଳାନ୍ୟାସ ଉସôବରେ ତତକାଳୀନ ବିଜେପି ସାଂସଦ ବସନ୍ତ ପଣ୍ଡା ଓ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ଭିତରେ ରେଳବିଭାଗ ବରିଷ୍ଠ କାର୍ଯ୍ୟକର୍ତ୍ତା ଥିଲେ । ଆଭାସୀ ଶିଳାନ୍ୟାସ ହେଲେ ବି ବିରାଟ ବଡ଼ ଆୟୋଜନ ହୋଇଥିଲା । ଠିକ ନିର୍ବାଚନ ପୂର୍ବରୁ ଏଭଳି ବଡଧରଣର ସାଜସଜା ଓ ଲୋକଙ୍କ ଭିଡ଼ ଜମେଇବାର ଉଦେ୍ଦଶ୍ୟ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଏବେ ସମସ୍ତେ ଜାଣିବାପରେ ପସ୍ତେଇବା ସାର ହେଉଛି । ଭିନ୍ନଭିନ୍ନ ସମୟରେ ଜମିର ଆବଶ୍ୟକତା ହିଁ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି କରୁଛି ବୋଲି ଦର୍ଶାଇ ସବୁ କଥା ଏଡେଇ ଦେଉଛନ୍ତି । କେତେ ଜମି ଦରକାର ସେ ସମ୍ପର୍କରେ ସଠିକ ତଥ୍ୟ ରେଳ ବିଭାଗ ସ୍ପଷ୍ଟ କରୁନାହାନ୍ତି । ପ୍ରକଳ୍ପ ଆରମ୍ଭରେ ୨୩୮ ଏକର ଜମି ଡିମାଣ୍ଡ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ତାହା ୩୨୪ ଏକରରେ ପହଞ୍ଚିଲା । ସେ ଭିତରେ କିଛି ପାହାଡ଼ ଥିବାରୁ ପାହାଡ଼ ଅଞ୍ଚଳ ପରିବର୍ତ୍ତେ ପ୍ଲେନ ଏରିଆରେ ଆଉ ଅଧିକା ଜମି ଦାବି କଲା ରେଳ ବିଭାଗ । ପୁଣି ପ୍ରାୟ ୩୫୫ ଏକରରୁ ଊର୍ଦ୍ଧ୍ୱ ଜମିର ବ୍ୟବସ୍ଥା ସ୍ଥାନୀୟ ତହସିଲଦାର ଯୋଗାଡିବାରେ ଲାଗିଲେ । ସର୍ବଶେଷରେ ଗତ ୬ମାସ ପୂର୍ବେ ଆହୁରି ୧୨୦ଏକର ଜମି ନହେଲେ ପ୍ରକଳ୍ପ ଆଗକୁ ବଢ଼ିବାରେ କଷ୍ଟସାଧ୍ୟ ବୋଲି ତାହସିଲଦାରଙ୍କୁ ଜଣାଇଲେ ରେଳ ବିଭାଗର ଟେକନିକାଲ ଟିମ । ସ୍ୱଳ୍ପ ପରିମାଣର ପ୍ରାଇଭେଟ ଜମି ଥିବାବେଳେ ପ୍ରାୟ ଜମି ସରକାରୀ ଓ ଗୋଚର ଜମି ରହିଛି । ଡବଲ ଇଞ୍ଜିନ ସରକାର ଆସିଲେ ରାଜ୍ୟର ବିକାଶ ହେବ କୌଣସି ସଂଶୟ ରହିବନି । ଏବେ ମୋହନ ସରକାର କାହିଁକି ନର୍ଲାସ୍ଥିତ ଚପଟଖଣ୍ଡା ଠାରେ ହେବାକୁ ଥିବା ପ୍ରକଳ୍ପ ପାଇଁ ଧ୍ୟାନ ଦେଉନାହାନ୍ତିବୋଲି ପ୍ରଶ୍ନ ଉଠୁଛି ।କଳାହାଣ୍ଡି ରେଳ ଯାତ୍ରୀ ସଂଘ କହିଛି ଭିତ୍ତିଭୂମିର ବିକାଶ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ୱବୋଧର ପରିପ୍ରକାଶ । ନବୀନ ସରକାର ଜମି ଯୋଗାଇଥିଲେ । ଏବେ ଯାହା ଆବଶ୍ୟକ ପଡୁଛି ତାହା ଯୋଗାଇବା ବର୍ତ୍ତମାନ ସରକାରଙ୍କ ହାତରେ ଅଛି । ଗୋଟିଏ ଆଭିମୂଖ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାରେ ରେଳ ସେବା ଏବଂ ରେଳ ପ୍ରକଳ୍ପ ନିର୍ମାଣକୁ ଯଦି ଗୁରୁତ୍ୱ ନଦେବେ ତେବେ ରେଳ ଯାତ୍ରୀ ସଂଘ ଲଢ଼େଇକୁ ଜୋରଦାର କରିବେ ବୋଲି ସଂଘ ପକ୍ଷରୁ ଭବାନୀ ଶଙ୍କର ନିଆଲ ଦୃଢଭାବେ ପ୍ରକାଶ କରିଛନ୍ତି ।