ବିଦ୍ୟାଳୟର ବାର୍ଷିକୋତ୍ସବ
ନୂଆପଡା : ସ୍ଥାନୀୟ ଖଡ଼ିଆଳ ସ୍ଥିତ ପିଏମ୍ ଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସôବ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦେଇ ମାନସିକ ଦାରିଦ୍ର୍ୟ ଓ ମାନସିକ ପ୍ରଦୂଷଣରୁ ମୁକ୍ତ ହେଲେ ଜୀବନ ସରସ ସୁନ୍ଦର ହେଇ ଉଠିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ଅଜୀଜ ଖାନ୍, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ବଳଭଦ୍ର ମହାନ୍ତି, ସମ୍ମାନନୀୟ ବକ୍ତା ଭାବରେ ଗବେଷକ ଡକ୍ଟର ଫଣିନ୍ଦମ ଦେଓ, ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସମ୍ରାଟ ପାତ୍ର ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୋଷ କୁମାର ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିକ୍ଷକ ଅଶୋକ କୁମାର ବେହେରା ଓ ଗୌରାଙ୍ଗ କୁମାର ସାହୁ ରାଜ୍ୟସ୍ତରୀୟ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ହେତୁ ବିଦ୍ୟାଳୟ ତରଫରୁ ଉଭୟଙ୍କୁ ମାନପତ୍ର , ସ୍ମୃତି ଫଳକ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ତରଫରୁ ଅତିଥି ଶିକ୍ଷକ ଗୌରୀଶଙ୍କର ଦୁବେ ଓ ପରିଚାଳନା କମିଟି ତରଫରୁ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କ୍ରୀଡ଼ା ଶିକ୍ଷକ ରତନ ସିଂ ବାରିକ ଓ ବିଜ୍ଞାନ ଶିକ୍ଷକ ପ୍ରଭୁଦତ୍ତ ପୁରୋହିତ ମାନପତ୍ର ପଠନ କରିଥିଲେ । ସେହିପରି ଶିକ୍ଷୟିତ୍ରୀ ରାଜଶ୍ରୀ ଦଣ୍ଡସେନା , ଗଜେନ୍ଦ୍ର ହରିଜନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରଧାନ ଶିକ୍ଷକ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କୁ ସହଯୋଗ ପାଇଁ ସମ୍ବର୍ଦ୍ଧନା ଦେଇଥିଲେ । ଶିକ୍ଷୟିତ୍ରୀ ନୀଳିମାରାଣୀ ସାଗର , ରାଜଶ୍ରୀ ଦଣ୍ଡସେନା , ଅଶୋକ କୁମାର ବେହେରା ପ୍ରମୁଖ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।