ବିପର୍ଯ୍ୟସ୍ତ ସହରର ରାସ୍ତାଘାଟ, ଆନେ୍ଦାଳନର ଚେତାବନୀ

ାା ପ୍ରଭାନୁ୍ୟଜ ।ା କଟକ:  ସଂପ୍ରତି କଟକ ସହରର ରାସ୍ତାଘାଟର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯୁଆଡ଼େ ଗଲେ ଧକଡ଼ ଚକଡ଼ । ସବୁଠି ଛୋଟ ବଡ଼ ଦୁର୍ଘଟଣା ବି ଘଟୁଛି । ଲୋକ ବି ଲହୁ ଲୁହାଣ ହେଉଛନ୍ତି । କାହାକୁ କହିବେ ଶୁଣିବ କିଏ? ଲୋକେ ବାରମ୍ବାର ପ୍ରଶାସନକୁ ଏ ବାବଦରେ ଅଭିଯୋଗ କରୁଥିଲେ ବି ସୁଫଳ ମିଳୁନି । ଲୋକେ ଏବେ ଏମିତି ପ୍ରଶ୍ନ କରିବା ଆରମ୍ଭ କଲେଣି କି ନେତା ମନ୍ତ୍ରୀ ପ୍ରଶାସନିକ ଅଧିକାରୀମାନେ କ’ଣ ରାସ୍ତାରେ ଯାଆସ କରୁନାହାନ୍ତି କି? ସେମାନଙ୍କୁ ରାସ୍ତାଘାଟର ଏ ଦୂରାବସ୍ଥା କ’ଣ ଦିଶୁନି କି? ଗଣେଶ ପୂଜାଠାରୁ ସହରରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । କିନ୍ତୁ ପ୍ରଶାସନିକ ମାନ୍ଦା ଅବସ୍ଥା ଏବେ ବି ଜାରି ରହିଛି । ଯାହା ସହରର ରାସ୍ତାଘାଟକୁ ଦେଖିଲେ ଯେ କେହି ବି ଅନୁଭବ କରିପାରିବେ । କଟକ ସହରର ରାସ୍ତାଘାଟର ଦୂରାବସ୍ଥା ଦେଖିଲେ ଏହା କେଉଁ ମହାନଗରର ମହାନଗର ନିଗମ ଅନ୍ତର୍ଗତ ସହର ବୋଲି କୁହାଯାଇ ପାରିବ ନାହିଁ । ସହରର ମୁଖ୍ୟ ରାସ୍ତାଠୁ ଆରମ୍ଭ କରି ଗଳି କନ୍ଦି ଯାଏ ଯୁଆଡେ ଚାହିଁଲେ ସମାନ ଅବସ୍ଥା । ବାଦାମବାଡ଼ି, ଲିଙ୍କରୋଡ଼, ଖାନନଗର, ପ୍ରେସ୍ଛକ, ଦେବୀଗଡ଼ା, ସନସାଇନ ଫିଡ଼ ସାମନା ରାସ୍ତା, ହାଇକୋର୍ଟ ଛକ, ବକ୍ସିବଜାର, ଚଣ୍ଡିଛକ, କନିକାଛକ, ସେଲଟର ଛକ, କଲେଜଛକ, ଯୋବ୍ରା ଆଦି ବିଭିନ୍ନ ଅଂଚଳରେ ରାସ୍ତାଘାଟ ସମସ୍ୟାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ରାସ୍ତା ଉପରୁ ନଜର ହଟିଲେ ଦୁର୍ଘଟଣାର ଶୀକାର ହେବାକୁ ପଡ଼ୁଛି । ରାସ୍ତାରୁ ଗୋଡ଼ି ଉଠି ଏମିତି ବିପଦଜନକ ସ୍ଥିତିରେ ରହିଛି ଯେ ଗାଡ଼ିରୁ ପଡ଼ିଲେ ସାଧାରଣ ଦୁର୍ଘଟଣା ଲୋକଙ୍କୁ ହସପିଟାଲ ବେଡ଼ରେ ପକାଇଦେବ । କିନ୍ତୁ ଏବେ ସୁଦ୍ଧା ପୂର୍ତ୍ତ ବିଭାଗ ଓ ସିଏମସି ପକ୍ଷରୁ ଏ ବାବଦରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ଆଗକୁ ଶାରଦୀୟ ପୂଜା ଆସୁଥିବାବେଳେ କେବଳ ପ୍ୟାଚ କାମ କରି ଦାୟିତ୍ୱ ଶେଷ କରିବାକୁ ଚେଷ୍ଟା କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଯାହାକୁ ନେଇ ସହରବାସୀ ଉଦ୍ବେଗ ପ୍ରକାଶ କରିଛନ୍ତି । ତୁରନ୍ତ ରାସ୍ତାଘାଟ କାମ ନ ହେଲେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବୁଦ୍ଧିଜିବୀ ସଂଗଠନ ଓ ସମାଜସେବୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରଶାସନକୁ ବିରୋଧ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।