ମଧୁମାଟି ସାହିତ୍ୟ ସଂସଦର ବାର୍ଷିକୋତ୍ସବ
ସାଲେପୁର: ମଧୁମାଟି ସାହିତ୍ୟ ସଂସଦର ତ୍ରୟୋବିଂଶତମ ବାର୍ଷିକ ଉତ୍ସବ, ମଧୁବାବୁ ଓ ଆମେ ଶୀର୍ଷକ ଆଲୋଚନାଚକ୍ର ଏବଂ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ସାଲେପୁର ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ମୁଖ୍ୟ ଉପଦେଷ୍ଟା ଡଃ ପୂର୍ଣ୍ଣଚନ୍ଦ୍ର ଓଝା ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସଂସଦର କାର୍ଯ୍ୟକାରିଣୀ ସଭାପତି ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ନାଇଜରର କୁଳସଚିବ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଅଭୟ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଭ୍ରମଣ କାହାଣୀ ଲେଖକ ସତ୍ୟନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରଫେସର ଡଃ ହଳଧର ସାହୁ, ଲୋକସେବା ଫାଉଣ୍ଡେସନ୍ର ଅଧ୍ୟକ୍ଷ ସମାଜସେବୀ ହିମାଂଶୁ ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଶ୍ୱରଂଜନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ଡଃ ଚିତ୍ତରଂଜନ ପଣ୍ଡା ସଭାକୁ ସଂଯୋଜନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସଂସଦର ମୁଖପତ୍ର ମଧୁମାଟି ଲୋକାର୍ପଣ ହୋଇଥିଲା । ସେହିପରି ସଂସଦ ପକ୍ଷରୁ ଡଃ ଅଭୟ କୁମାର ନାୟକ, ଡଃ ହଳଧର ସାହୁ, ସତ୍ୟନାରାୟଣ ମିଶ୍ର ଓ ବାସୁଦେବ ରାଉତଙ୍କୁ ମଧୁଶ୍ରୀ ସମ୍ମାନ ଓ କୃଷ୍ଣଚନ୍ଦ୍ର ନାୟକ, ଚିନ୍ମୟ ରଂଜନ ଶତପଥି, ଜଗନ୍ନାଥ ଦାଶ, ଲକ୍ଷ୍ମୀପ୍ରିୟା ଦେବୀ, ନିର୍ମଳା ପରିଡ଼ା, ପ୍ରବୀର ଚନ୍ଦ୍ର ଦାସ, ସରୋଜ କୁମାର ସାହୁ, ଗୀତାଞ୍ଜଳି ସାହୁଙ୍କୁ ମଧୁମାଟି ସମ୍ମାନରେ ସମ୍ମାନିତ କରାଯାଇଥିଲା । କବୟିତ୍ରୀ ସୀମା ସ୍ୱାଇଁ, ଗୁରୁମା ଦିପ୍ତିମୟୀ ରାଉତ, ଅଧ୍ୟାପିକା ମମତା ପଣ୍ଡା ଓ ରାମଚନ୍ଦ୍ର ପରିଡ଼ା ମାନପତ୍ର ପଠନ କରିଥିଲେ । ପ୍ରଶାନ୍ତ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିବାବେଳେ କବିତା ପାଠୋତ୍ସବରେ ସୀମା ସ୍ୱାଇଁ, ମଧୁସ୍ମିତା ମିଶ୍ର କବିତା ସଂଯୋଜନା କରିଥିଲେ । ଦିପ୍ତିମୟୀ ରାଉତ କବିତା ଗୁଡ଼ିକର ସମୀକ୍ଷା କରିଥିଲେ ।