ବିଭିନ୍ନ ମେସରେ ପ୍ରଶାସନର ତଦନ୍ତ
ସୋର : ସୋର ପୌର ପାଳିକା ଅନ୍ତର୍ଗତ କଲେଜ ଛକରେ ଥିବା ବିଭିନ୍ନ ମେସୁରେ ଅଂଶୁଘାତର ଶିକାର ହୋଇ ଛାତ୍ରଛାତ୍ରୀମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣାରେ ପ୍ରଶାସନ ତରଫରୁ ତଦନ୍ତ କରାଯାଇଛି । ସୁଚନା ଅନୁସାରେ ଗତ ଦୁଇ ଦିନ ତଳେ ସୋର କଲେଜ ଛକରେ ଥିବା ବିଭିନ୍ନ ମେସରେ ରହୁଥିବା ପିଲାମାନେ ଅସହ୍ୟ ଗୁଳୁଗୁଳି କାରଣରୁ ଅଂଶୁଘାତର ଶିକାର ହୋଇ ୨୦ ରୁ ଉର୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ଆକସନ ମୋଡ଼କୁ ଆସିଛି ।ଆଜି ଅପରାହ୍ଣରେ ସୋର ତହସିଲଦାର ଦୈତାରୀ ମଲ୍ଲିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜ୍ୟୋସô୍ନା ମହାନ୍ତି, ସିଡିପିଓ ହାରାମଣି ନାଇକ, ସୋର ଥାନା ଏସଆଇ ପ୍ରଭାକର ସାହୁ କଲେଜ ଛକରେ ଥିବା ୪ ଟି ମେସ୍ ଓ ମାଟିଆପଲା ଛକରେ ଥିବା ଗୋଟିଏ ମେସରେ ତଦନ୍ତ କରିଥିଲେ ।ତଦନ୍ତ ସମୟରେ କିଛି ମେସରେ ପିଲା ମାନେ ଆଶ୍ୱାସ୍ଥ୍ୟକର ପରିବେଶରେ ରହୁଥିବା ଏହି ଟିମ ଅନୁଭବ କରିଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହିତ ଘର ମାଲିକଙ୍କୁ ନୋଟିସ କରାଯିବ ବୋଲି ତହସିଲଦାର ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ଏଥି ସହିତ ଆଗାମୀ ଦିନରେ ସୋରରେ ଥିବା ସମସ୍ତ ମେସ ଗୁଡିକରେ ଚଢ଼ଉ ଜୋରଦାର କରାଯିବ ବୋଲି ତହସିଲଦାର କହିଛନ୍ତି ।