ବିଶ୍ୱାସର କୁମ୍ଭ ଓ ମୋକ୍ଷପ୍ରାପ୍ତି 


ନାରାୟଣ ଚନ୍ଦ୍ର ବିଶ୍ୱାଳ : କିଛିଦିନ ପୂର୍ବେ ରାଉରକେଲାରେ ଥିବା ସମୟରେ ପାଖରେ ଥିବାା ଏକ ସେଲୁନକୁ ଯାଇଥିଲି । କଥା ପ୍ରସଙ୍ଗରେ ସେଲୁନର ଚୁଟି କାରିଗରଟି ମୋ ଠାରୁ ଏକ ସୁଚିନ୍ତିତ  ପରାମର୍ଶ  ଆଶା କରି ମୋତେ ପଚାରିଲା ତାଙ୍କ ସହଧର୍ମିଣୀ ପ୍ରୟାଗରାଜର କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ଇଛୁକ, କିନ୍ତୁ ପାଖରେ ଏକ ଦେଢ଼ ବର୍ଷର କୋଳଛୁଆ । ମୁଁ ତାଙ୍କ ଠାରୁ ସବୁକଥା ଶୁଣି ସହାସ୍ୟ ବଦନରେ ପ୍ରସ୍ତାବ ଦେଲି ତୁମ ଘର ପାଖରେ ଶଙ୍ଖ ଓ କୋଏଲ ନଦୀର ମିଶ୍ରଣ ସ୍ଥଳ ଯାହାକି ପାନପୋଷରେ ଅବସ୍ଥିତ, ତୁମେ ସେହି ସଙ୍ଗମ ସ୍ଥଳରେ ମଧ୍ୟ ବୁଡ଼ ଦେଇପାରିବ । ତୁମ ପରିସ୍ଥିତି, ଆଉ ତୁମ ନିତିଦିନିଆ ଜୀବନର ଆର୍ଥିକ ଓ ସମୟଗତ ଦିଗକୁ ଦେଖି କୌଣସି ନଦୀର ସଙ୍ଗମ ସ୍ଥଳରେ ବୁଡ଼ ଦେବା ହିଁ ‘ବିଶ୍ୱାସର କୁମ୍ଭ’ କହିଲେ ଅତୁ୍ୟକ୍ତି ହେବନାହିଁ । ମୁଁ କଟକ ଫେରି ଆସି ପହଞ୍ଚôଲାବେଳକୁ ବିଶ୍ୱାସର, ଆସ୍ଥାର ଦିବ୍ୟ ଓ ଭବ୍ୟ ମହାକୁମ୍ଭ ମେଳାରେ ହୃଦୟ ବିଦାରକ ଅଘଟଣ ଘଟି ତିରିଶ ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ପ୍ରାପ୍ତି ଖବରଟି କଷ୍ଟକର ଥିଲା । ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ନିମିତ୍ତ କୁମ୍ଭମେଳାର ବୁଡ଼ ବିଶ୍ୱାସୀ ଶ୍ରଦ୍ଧାଳୁମାନେ ବ୍ରାହ୍ମ ମୁହୂର୍ତ୍ତକୁ ଅପେକ୍ଷା କରିଥିବା ସମୟରେ ହିଁ ଏତେ ବଡ଼ ଅଘଟଣଟି ଘଟିଗଲା । ଆଜିର ବିଜ୍ଞାନ, ପ୍ରଯୁକ୍ତିଗତ ଅତ୍ୟାଧୁନିକ ଓ ସମସ୍ତ ସୂକ୍ଷ୍ମାତିସୂକ୍ଷ୍ମ ସୁରକ୍ଷାଗତ ସଂଯୋଗ ଓ ଅଭୂତପୂର୍ବ ପ୍ରଶାସନିକ ବ୍ୟବସ୍ଥା ଥିବା ସତ୍ତ୍ୱେ ଅଘଟଣଟି ଟାଳି ହୋଇପାରିଲା ନାହିଁ । ଦଳାଚକଟାରେ ପ୍ରାଣହାନି ଓ ଅନେକ ଶ୍ରଦ୍ଧାଳୁ ଗୁରୁତର ହେବା ଖବରଟି ସମଗ୍ର ଦେଶବାସୀଙ୍କୁ ଗଭୀର ଭାବେ ବ୍ୟଥିତ କରିଛି । ବିଶ୍ୱର ସବୁଠାରୁ ବଡ଼ ଆଧ୍ୟାତ୍ମିକ ମେଳାରେ ଏଭଳି ଅଘଟଣଟି ଘଟିବା ପଛରେ ଅନେକ କାରଣ ଉଠିବା ମଧ୍ୟ ସ୍ୱାଭାବିକ । ଆମେ ଏହି ଲେଖା ଦ୍ୱାରା କୁମ୍ଭରେ ବୁଡ଼ ଦେବା କିମ୍ବା କୌଣସି ଧର୍ମକୁ ଅବିଶ୍ୱାସ ବା ତଉଲିବାର ଅଭିପ୍ରାୟ ରଖିନାହୁଁ । ମଣିଷର ବିଶ୍ୱାସ ହିଁ ଧର୍ମ, କର୍ମମୟ ଜୀବନ ପାଇଁ ଧର୍ମ ଏକ ଆଶା ବାଡ଼ି ପରି ପ୍ରେରଣା ଯୋଗାଇଥାଏ । ତେବେ କେବଳ କୁମ୍ଭ ମେଳାରେ ନୁହେଁ ଅନେକ ସମୟରେ ଆମେ ପ୍ରବଳ ଜନସମାଗମ ସ୍ଥାନରେ ଠେଲାପେଲା, ଧାଁଧଉଡ଼ ଓ ଦଳା ଚକଟା ହୋଇଥାଏ । କିଛି ଦିନ ତଳେ ଏକ ରେଳବାଇର ପ୍ୟାଣ୍ଟି୍ର କାରର କର୍ମଚାରୀ ଜଣଙ୍କର ଭୁଲ ସୂଚନାର ଗୁଜବଟି ଏହି ଗୋଟିଏ ସପ୍ତାହ ତଳେ ଚଉଦ ଜଣ ଲୋକଙ୍କର ଅକାଳ ଜୀବନ ନେଇଯାଇଥିଲା । ତଥାକଥିତ ଗୁଜବ ଏହି ଅଘଟଣ ଘଟାଇବା ପାଇଁ ଯଥେଷ୍ଟ ହୋଇଥାଏ । ଧର୍ମ, ଆସ୍ଥା, ବିଶ୍ୱାସ ମଣିଷକୁ ଜୀବନ ଶୃଙ୍ଖଳାର ରାସ୍ତା ଦେଖାଇବା ସହ ସତମାର୍ଗରେ ଯିବା ପାଇଁ ପ୍ରେରଣା ଦେଇଥାଏ କିନ୍ତୁ ମୂଳକଥାଟି ହେଉଛି ଆମ ଆସ୍ଥା ଓ ବିଶ୍ୱାସ ଯେପରି ଅନ୍ଧ ନ ହୁଏ ଏବଂ ଏହା ଯେପରି ଭୁଲ ରାସ୍ତାକୁ ପରିଚାଳିତ ନକରେ ସେ ଦିଗଟିକୁ ଦେଖିବା କଥା । କୁମ୍ଭମେଳାର ଏହି ଅଘଟଣ ଘଟିବା ପୂର୍ବରୁ କିଛି ଦିନ ତଳେ ଗ୍ୟାସ ସିଲିଣ୍ଡର ଜନିତ ଛୋଟିଆ ବିସ୍ଫୋରଣ ଜନିତ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା । ପ୍ରବଳ ଜନସମାଗମ ସ୍ଥଳୀରେ ଶ୍ରଦ୍ଧାଳୁଙ୍କ ଆଗମନର ସଂଖ୍ୟାକୁ ସମ୍ଭାବ୍ୟ ଭାବେ ବିଚାରକରି ପରିଚାଳକମାନେ ଏହାର ପ୍ରଶାସନିକ ଦାୟିତ୍ୱ ଓ କାର୍ଯ୍ୟ କରିଥାନ୍ତି । ମୌନୀ ଅମାବାସ୍ୟା ଦିନ ପ୍ରୟାଗରାଜରେ ଦଶକୋଟି ଶ୍ରଦ୍ଧାଳୁ ବୁଡ଼ ପାଇଁ ଏକାଠି ହୋଇଥିଲେ ଅର୍ଥାତ୍ ଆମ ଓଡ଼ିଶା ଜନସଂଖ୍ୟାର ପାଖାପାଖି ଅଢ଼େଇ ଗୁଣ । ତେବେ ଏ କ୍ଷେତ୍ରରେ ଅନେକ ବିଡ଼ମ୍ବନା ଭିତରୁ ଗୋଟିଏ ବଡ଼ ବିଡ଼ମ୍ବନା ହେଉଛି ଏଥିରେ ତଥାକଥିତ ଭିଭିଆଇପି ଓ ସେଲିବ୍ରେଟିଙ୍କ ଯୋଗଦାନ, ଯାହାଦ୍ୱାରା ସେମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ନାକେଦମ ହୋଇଯାଉଛି । ସେହିପରି ନାଗା ସାଧୁ ଓ ଅନ୍ୟାନ୍ୟ ସାଧୁ, ସନ୍ଥ ତଥା ଧର୍ମ ସମ୍ପ୍ରଦାୟର କିଛି ଶ୍ରଦ୍ଧାଳୁ ପ୍ରଶାସନର ନିୟମ କାନୁନକୁ ମାନୁନଥିବାର ଖବର ମଧ୍ୟ ପ୍ରକାଶ ପାଇଛି । ଏହା ମଧ୍ୟ ଏକ ବିପଜ୍ଜନକ ଦିଗ । ଗୁଜବ ଯେଉଁପରି ଏକ ବିପଦଜ୍ଜନକ ଦିଗ ସେହିପରି ଅନ୍ୟାନ୍ୟ କାରଣ ମଧ୍ୟ ସବୁ ରହିଛି । 
ପ୍ରୟାଗରାଜ ମହାକୁମ୍ଭ କେବଳ ଧର୍ମ ଓ ଆସ୍ଥାର ବିଶ୍ୱାସ ନୁହେଁ, ଏଥିରେ ବିଶ୍ୱର ଅନେକ ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ମଧ୍ୟ ଯୋଗ ଦେଉଛନ୍ତି । ତେବେ ପ୍ରଶାସନ ଯେଉଁପରି ସତର୍କତା ଓ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଦଶାବଳୀ ଗ୍ରହଣ କରୁଛନ୍ତି ଏହାକୁ ଶ୍ରଦ୍ଧାଳୁମାନେ ଗ୍ରହଣ ନକରିବା ଏକ ବଡ଼ କାରଣ । ଯେଉଁଠାରେ ଏପରି ପ୍ରବଳ ଜନସମାଗମ ହୁଏ ଏପରିକି ବଡ଼ ଭିଡ଼ ହୁଏ ସେଠାରେ ପ୍ରଶାସନକୁ ସଚେତନଧର୍ମୀ ଦାୟିତ୍ୱ ମଧ୍ୟ ଆମ ମାନଙ୍କର ରହିଛି । ମୁଁ ନିତିଦିନିଆ ସମୟ କାଟୁଥିବା ଅନେକ ଲୋକମାନଙ୍କ ଭିତରେ କୁମ୍ଭ ମେଳାକୁ ଯିବା ସମ୍ପର୍କରେ ସେମାନଙ୍କର ଆଗ୍ରହ ଶୁଣିବାକୁ ପାଉଛି । କହିବାକୁ ଗଲେ ସମଗ୍ର ଭାରତ ବର୍ଷ ଏକ ପ୍ରକାର ପ୍ରୟାଗରାଜ କୁମ୍ଭ ମନସ୍କ କହିଲେ ଅତୁ୍ୟକ୍ତି ହେବନାହିଁ । ଭାରତର ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜନୈତିକ ଦଳର ଛାମୁଆ ନେତା, ସିନେ ଷ୍ଟାର, ସେଲିବ୍ରେଟି ଓ ଦେଶବିଦେଶର କୂଟନୀତିଜ୍ଞମାନେ ଯୋଗ ଦେବା ସହ ଲୋକମାନଙ୍କୁ ପ୍ରଦର୍ଶିତ କରି ଭିଡ଼ ଟାଣୁଥିବା କିଛି ସାଧୁସନ୍ଥ ମାନଙ୍କର ଆଗମନ ହେଉଥିବାରୁ ଅନେକ ଶ୍ରଦ୍ଧାଳୁମାନେ କୁମ୍ଭମେଳା କ'ଣ ଟିକିଏ ଦେଖିବା ପାଇଁ ମଧ୍ୟ ଆଗଭର ହୋଇପଡ଼ୁଛନ୍ତି । ଏହି କୁମ୍ଭମେଳାଟି ୧୪୪ ବର୍ଷରେ ଥରେ ପଡ଼ୁଥିବାରୁ ଲୋକମାନଙ୍କ ଭିତରେ ଅନେକ ଅହେତୁକ ଉତ୍ସାହ ଓ ଆଗ୍ରହ ସୃଷ୍ଟି ହେଉଛି । ଉତ୍ତରପ୍ରଦେଶ ଭାରତର ଏକ ବଡ଼ ରାଜ୍ୟ ଏବଂ ଏ କୁମ୍ଭମେଳା ସ୍ଥାନୀୟ ଯୋଗୀ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ଏବଂ ପରବର୍ତ୍ତୀ ସମୟରେ ଏହାକୁ ନିର୍ବାଚନୀ ସଫଳତାରେ ମଧ୍ୟ ଲଗାଇ ପାରନ୍ତି । ତେବେ ବଡ଼କଥା ହେଉଛି ଆମ୍ଭ ମାନଙ୍କର ମାନସିକତା । ମୁଁ କିଛି ଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନକୁ ଯିବା ଓ ଦର୍ଶନର ଯଥାର୍ଥ ଅଭିପ୍ରାୟକୁ ନେଇ ଏକ ବ୍ୟକ୍ତିନିଷ୍ଠ ଭାବନାକୁ ନେଇ "ଚାଲନ୍ତୁ ଜୀବନ୍ତ ଈଶ୍ୱର ଛୁଇଁବା' ଶୀର୍ଷକ ଲେଖାଟି ଲେଖିଥିଲି । ଆମ ପାଖରେ ଜୀବନ୍ତ ଈଶ୍ୱର ଥିବା ଆମ ବାପ-ମାଆଙ୍କ ସେବା ଓ ଦାୟିତ୍ୱକୁ ପଛକରି କେଉଁ ଈଶ୍ୱରଙ୍କୁ ଆମେ ଖୋଜିବାକୁ ଯାଉଛେ? ତାଙ୍କ କୃପା ଓ ତାଙ୍କ ଆଶୀର୍ବାଦ ଆଣିବାକୁ ଯାଉଛେ? ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନକୁ ଯିବାବେଳେ ଜଣଙ୍କର ଆଖି ସାମ୍ନାରେ ରାସ୍ତାକଡ଼ରେ ପଡ଼ିଥିବା ଅନେକ ଅସହାୟଙ୍କୁ ଆମେ ସେମାନଙ୍କ କାତରଭରା ସାହାଯ୍ୟ ମାଗୁଣିକୁ ଏଡ଼ାଇ ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଥାଉ । ଏହି ଭାବନାକୁ ନେଇ ମୋ ଆଲେଖ୍ୟଟି ପ୍ରସ୍ତୁତ କରିଥିଲି । ଧର୍ମ ବିଶ୍ୱାସ ଏପରି ଏକ ଭାବାବେଗ ଯାହା ମଣିଷକୁ ଉତ୍ତମ ରାସ୍ତା ଦେଖାଇଥାଏ ଜୀବନକୁ ବୁଝିବା ପାଇଁ ।
ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ଧାଡ଼ିଟି ଏଠାରେ ଉଲ୍ଲେଖ କରୁଛି - "ବର୍ତ୍ତମାନ କର୍ମ ଫଳ ଲାଭ ଭବିଷ୍ୟତେ, ଏହି କଥା କର ଯେବେ ହୃଦୟେ ପରତେ । ପବିତ୍ର ମନରେ କାର୍ଯ୍ୟ କର ସେହିପରି, ଆତ୍ମକୃତ କର୍ମଫଳ ଯାଚିଦେବେ ହରି । ଜୀବନର ସୁଖଦୁଃଖ ଦାତା କର୍ମଫଳ, ବିନାଶକ, ରକ୍ଷାକାରୀ ସହାୟ ସମ୍ବଳ । କର୍ମଫଳ ପ୍ରଭାବରେ ଜୀବନର ଗତି, ବିଧି ଦ୍ୱାରା ନଷ୍ଟ ହୁଏନାହିଁ ତାର ଶକ୍ତି ।' ସତ୍ ଓ କର୍ମପୂର୍ଣ୍ଣ ଜୀବନ ଭିତରେ ଜୀବନ ଚେତନା ହେଉଛି ଅନ୍ୟ ମାନଙ୍କ ସହ ସୁଖଦୁଃଖ ବାଣ୍ଟିବା । ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟଟି କରିବା । ସେମାନଙ୍କ କଷ୍ଟ ସମୟରେ ଆହା ପଦେ କହିବା । କେଉଁଠି ଋଣ କରି, ଧାରମାଗି, ବାପା-ମାଆଙ୍କ ଠାରୁ ଏକ ପ୍ରକାର ଟଙ୍କା ଝଡ଼ାଇ ଧର୍ମ ଦର୍ଶନ ବା ଈଶ୍ୱର ପ୍ରାପ୍ତି ପାଇଁ ତୀର୍ଥ ଯାତ୍ରାର କି ମୂଲ୍ୟ ବା ରହିଥାଏ? ଘର ପରିବାରର ଦାୟିତ୍ୱକୁ ପଛେଇ ଧର୍ମାବଲମ୍ବୀ ହୋଇ ଜଣେ କୌଣସି କୁମ୍ଭମେଳାରେ ବୁଡ଼ ଦେଲେ ବା କୌଣସି ସାଧୁ ସନ୍ଥଙ୍କ ଶରଣାପନ୍ନ ହେଲେ ସତରେ କ'ଣ ତାଙ୍କ ଜୀବନମୁକ୍ତି ହୋଇପାରିବ? ସେ ଦିନ ରାଉରକେଲାର ସେ ସେଲୁନ କାରିଗରର କଥାଟି ମୋ ଭିତରେ ଏକ ଭାବାନ୍ତର ସୃଷ୍ଟି କରିଥିଲା । ଟଣାଟଣି ଅଭାବୀ ସଂସାର ଭିତରେ ପୁଣି କୋଳଛୁଆ ଏ ସବୁ ସତ୍ତ୍ୱେ ଜଣେ ମହିଳା କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ଇଛା କରିବା ମୋ ଭିତରେ ଜୀବନଧର୍ମ ପାଇଁ ଏକ ବଡ଼ ଆହ୍ୱାନ ବି ସୃଷ୍ଟି କରିଥିଲା । ଆଜିର ସମୟକୁ ଟିକିଏ ଦେଖନ୍ତୁ । ବିଜ୍ଞାନ ଓ ପ୍ରଯୁକ୍ତିର ଅତ୍ୟାଧୁନିକ ଯୁଗରେ ଲୋକମାନଙ୍କର ହାତରେ ଦାମୀ ଫୋନ । ଅଥଚ ଆମେ ବୁଦ୍ଧି, ଜ୍ଞାନ ଓ ଉତ୍ତମ ଜୀବନରେ ଜଣେ ଦାମୀ ହୋଇପାରୁନାହୁଁ । କୁମ୍ଭମେଳାର ଧର୍ମୀୟ ଚେତନା ସହ କୋଟି କୋଟି ଲୋକଙ୍କ ଆସ୍ଥାର ଏକ ସୂକ୍ଷ୍ମ ସଂଯୋଗ ରହିଛି । ତେବେ ଏସବୁ ଭିତରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳାବୋଧର ଓ ସହଯୋଗର ମଧ୍ୟ ବଡ଼ ଭୂମିକା ରହିଛି । ଜୀବନକୁ କର୍ମମୟ କରି ସତ ରାସ୍ତାରେ ଆଗେଇ ଚାଲିଲେ ଭଗବାନଙ୍କ କୃପା ଆପଣଙ୍କ ପାଖରେ ନିଶ୍ଚିନ୍ତ ପହଞ୍ଚôବ । ମୋର ଏହି ଲେଖାଟି ପ୍ରସ୍ତୁତ କଲାବେଳକୁ ଜଣେ କାଳଜୟୀ କବିଙ୍କ ସ୍ମରଣୀୟ ଲେଖାର ଧାଡ଼ିଟି ମନେପଡ଼ୁଛି - "ମୁଁ ଯାଇ ନାହିଁ ପୁରୀ, ମୁଁ ଜାଣେ ନାହିଁ ହରି, ମୋ ଏ ଜନ୍ମର ତୀର୍ଥକ୍ଷେତ୍ର ଏହି ବିଲବାଡ଼ି' । ଜୀବନରେ ମଠ, ମନ୍ଦିର, ଦେବାଳୟ, ସାଧୁସନ୍ଥଙ୍କ ଆଶୀର୍ବାଦ, କୁମ୍ଭମେଳାରେ ବୁଡ, ଏସବୁର ଯେ ପ୍ରୟୋଜନ ନାହିଁ ତାହା ମୁଁ କହୁନି କିନ୍ତୁ ଜୀବନଟି କର୍ମପୂର୍ଣ୍ଣ, ଅର୍ଥପୂର୍ଣ୍ଣ ଓ ମହତ୍ୱପୂର୍ଣ୍ଣ ହେବା ହିଁ ଜୀବନ କୁମ୍ଭର ମୋକ୍ଷ କହିଲେ ଅତୁ୍ୟକ୍ତି ହେବନାହିଁ । 
 ମୋ: ୯୪୩୮୨୭୬୭୬୦