ବେଆଇନ ବାଲି ଡିପୋ, ବ୍ୟାପକ ରାଜସ୍ୱହାନିି  


 କେନ୍ଦୁଝର, : କେନ୍ଦୁଝର ସହରରେ ବେଆଇନ ବାଲି ଡିପୋ ଯୋଗୁଁ ଚୋରା କାରବାର ବଢୁଛି । ସହରର ଅନେକ ସ୍ଥାନରେ କେତେକ ବ୍ୟବସାୟୀ ବାଲି ଏବଂ ଚିପ୍ସ କାରବାର କରୁଛନ୍ତି । ବିଶେଷକରି ବିଏସ୍ଏନଏଲ କାର୍ଯ୍ୟାଳୟ ଗଳି ରାସ୍ତା,କାଳିପଡିଆ, ଆଟୋପୁର, ପୁରୁଣାସହର, କାଶିପୁର, ବଡହଳ,କଲେଜରୋଡ,ବଣିଆପାଟ, ଗୋବିନ୍ଦପୁର,ସିଲୁଆଁ ଆଦି ସ୍ଥାନରେ ବେଧଡକ ବାଲି ଏବଂ ଚିପ୍ସ ଡିପୋ କରି ଚୋରା କାରବାର ହେଉଛି । ଖଣି ବିଭାଗ ଠାରୁ ଷ୍ଟାକ ପାଇଁ ଅନୁମତି ନ ନେଇ ଏହି କାରବାର ଚାଲୁଥିବା ନେଇ ଖଣି ବିଭାଗ ନିକଟରେ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ବଡ ବଡ ହାଇୱା ଗାଡିରେ ଚୋରା ବାଲି ଏବଂ ଚିପ୍ସ ଅଣାଯାଇ ଏହି ସବୁ ସ୍ଥାନରେ ଗଚ୍ଛିତ କରି ରଖାଯାଇ ବିକ୍ରୀ କରାଯାଉଛି । ଏହି ସ୍ଥାନରୁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଟ୍ରାକ୍ଟରରେ ସହର ବିଭିନ୍ନ ସ୍ଥାନକୁ ପରିବହନ କରାଯାଉଛି । କେଉଁ ଘାଟରୁ କେତେ ବାଲି ଆସିଲା ତାହାର ହିସାବ କାହା ପାଖରେ ନଥିବାବେଳେ ବିନା ଜିଏସ୍ଟିରେ ଏହି କାରବାର ଚାଲିଥିôବାରୁ ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ ଘଟୁଛି । ଖଣି ବିଭାଗ,ବିକ୍ରୀକର ଏବଂ ସେବାକର ବିଭାଗ ପକ୍ଷରୁ ଯାଂଚ ହେଉନଥିବାରୁ ଚୋରା କାରବାର ବେଧଡକ ଚାଲିଛି । କେଉଁ ସ୍ଥାନରୁ କେତେ ବାଲି ଏବଂ ଚିପ୍ସ ଆସିଲା ଏବଂ କେତେ କାହାକୁ ବିକ୍ରୀ କରାଗଲା ତାହାର ହିସାବ କାହା ପାଖରେ ନଥିଲେ ମଧ୍ୟ ଉଭୟ ବିଭାଗ ପକ୍ଷରୁ ଏହାର ଯାଂଚ କରାଯାଉନାହିଁ । କେନ୍ଦୁଝର ସହରରେ ଅନୂନ୍ୟ ୩୦ଟି ସ୍ଥାନରେ ବାଲି ଗଚ୍ଛିତ ହୋଇ ରହିଥିବା ଦେଖାଯାଇଛି । ସରକାରୀ ଜମି,ଠାକୁରଙ୍କ ଜମି,ବିଦ୍ୟାଳୟ ଏବଂ ଜନବସିତ ନିକଟରେ ଏହି ଚୋରା କାରବାର ଚାଲିଛି । ବାଲି ଏବଂ ଚିପ୍ସ ଗଚ୍ଛିତ ଥିବା ସ୍ଥାନକୁ ବଡ ବଡ ହାଇୱା ଗାଡିରେ ଯିବା ଆସିବା ଫଳରେ ସାହି ରାସ୍ତା ନଷ୍ଟ ହେଉଛି । ବିଏସ୍ଏନଏଲ କାର୍ଯ୍ୟାଳୟ ନିକଟରେ ଥିବା ଫରେଷ୍ଟ ପାର୍କ ଲାଇନ ସ୍କୁଲ ନିକଟରେ ବେଆଇନ ବାଲି ଏବଂ ଚିପ୍ସ ଡିପୋ ଯୋଗୁଁ ନବନିର୍ମିତ କଂକ୍ରିଟ ରାସ୍ତା କାଦୁଅ ହେବା ସହ ନଷ୍ଟ ହେବାକୁ ବସିଛି । ସ୍ଥାନୀୟ ଲୋକ ଏହାର ପ୍ରତିବାଦ କଲେ ମଧ୍ୟ ପ୍ରଶାସନ ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦୁଝର ସହର ଏବଂ ଆଖପାଖ ଅଂଚଳରେ ସମସ୍ତ ବାଲି ଡିପୋ ଯାଂଚ କରି କେଉଁ ବାଲି ଘାଟରୁ ବାଲି ଆସୁଛି ତାହା ଯାଂଚ କଲେ ଚୋରା କାରବାର ପର୍ଦ୍ଦାଫାଶ ହୋଇପାରିବ ବୋଲି ମତପ୍ରକାଶ ପାଇଛି । ଏ ନେଇ କେନ୍ଦୁଝର ଲଘୁ ଖଣିଜ ସମ୍ପଦ ବିଭାଗର ଖଣି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଖଣି ବିଭାଗ ଠାରୁ ଲାଇସେନ୍ସ ନ ନେଇ ଚାଲିଥିବା ବାଲି ଷ୍ଟାକ ୟାର୍ଡ ଯାଂଚ କରି ପଦକ୍ଷେପ ନିଆଯିବ ।