ବୈଶିଙ୍ଗାକୁ ବ୍ଲକ୍ କେବେ? ରାଜନେତାଙ୍କ ପ୍ରତିଶ୍ରୁତି ପାଣିର ଗାର

ବୈଶିଙ୍ଗା : ଭାରତ ସ୍ୱାଧୀନ ହେବା ପର ଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ବୈଶିଙ୍ଗା ବିଧାନକ୍ଷେତ୍ର ଭାବେ ମାନ୍ୟତା ପାଇଥିଲା । ୨୦୦୫ ରୁ ୨୦୦୯ ପର୍ଯ୍ୟନ୍ତ ଏହି ବିଧାନକ୍ଷେତ୍ରର ଶେଷ ବିଧାୟିକା ଭାବେ ପ୍ରମିଳା ଗିରି ତାଙ୍କର କାର୍ଯ୍ୟକାଳ ପୂରଣ କରିଥିଲେ ।ଏହା ପୂର୍ବରୁ ଶ୍ରୀ କାନ୍ଦ୍ରା ସୋରେନ୍ ବିଧାୟକ ଥିଲେ । ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ଥିଲା ବୈଶିଙ୍ଗାକୁ ବ୍ଲକ କରାଇବେ, ମାତ୍ର ପୁରଣ କରି ପାରିଲେ ନାହିଁ । ଏହା ପରେ ୨୦୦୯ରେ ମନୋରଞ୍ଜନ ସେଠୀ, ୨୦୧୪ରେ ଗଣେଶ୍ୱର ପାତ୍ର ଏବଂ ୨୦୧୯ରେ ବର୍ତ୍ତମାନର ବିଧାୟକ ସନାତନ ବିଜୁଳି ଦାୟିତ୍ୱ ବହନ କରିଛନ୍ତି । ୧୭ ଟି ପଞ୍ଚାୟତର ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେହି ବି ବୈଶିଙ୍ଗାକୁ ବ୍ଲକର ମାନ୍ୟତା ମିଳୁ ବୋଲି ନିଜ ପକ୍ଷରୁ ଦାବି ଉଠାଇବା ସହିତ ସରକାରଙ୍କ ଉପରେ ଚାପ ସୃଷ୍ଟି କରି ପାରି ନାହାନ୍ତି । ସବୁଠୁଁ ରୋଚକ କଥା ହେଉଛି ସ୍ୱାଧୀନତା ପରେ ବ୍ଲକ ଗଠନ ପ୍ରକ୍ରିୟାରେ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀରେ ବୈଶିଙ୍ଗାରେ ବ୍ଲକ୍ କାର୍ଯ୍ୟାଳୟ ପାଇଁ ସିଦ୍ଧାନ୍ତ ନିଆଯାଇଥିଲା । ମାତ୍ର ତକôାଳୀନ ଜମିଦାରଙ୍କ ପାଇଁ ସମ୍ଭବ ହୋଇପାରିନଥିଲା । ଫଳରେ ସେତେବେଳେ ବୈଶିଙ୍ଗା, ଖୁଣ୍ଟା ଓ କୁଳିଅଣା ନିର୍ବାଚନ ମଣ୍ଡଳୀର ସଙ୍ଗମ ସ୍ଥାନ ବେତନଟି ଠାରେ ଏହି ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ କରାଗଲା । ପରବର୍ତ୍ତୀ ସମୟରେ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ ବହୁ ବୁଦ୍ଧିଜୀବୀ, ଛାତ୍ରନେତା ତଥା ରାଜନୈତିକ ନେତୃବୃନ୍ଦ ଏକ ବ୍ଲକ କ୍ରିୟାନୁଷ୍ଠାନ କମିଟି ଗଠନ କରି ସରକାରଙ୍କୁ ଦାବିପତ୍ର ଦେବା ସହିତ ବହୁ ଦିନ ଧରି ଆନେ୍ଦାଳନ ଚଳାଇ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ବୈଶିଙ୍ଗାକୁ କେନ୍ଦ୍ରବିନ୍ଦୁ କରି ୧୭ଟି ପଞ୍ଚାୟତକୁ ନେଇ ୩୬ ଓ ୩୭ ନମ୍ବର ଜିଲ୍ଲାପରିଷଦ ଗଠିତ ହୋଇଥିବା ବେଳେ ବେତନଟୀ ଅଧିନରେ ୩୫ନଂ ଜିଲ୍ଲା ପରିଷଦରେ ବେତନଟୀ, ସଠିଲୋ, ଦହିକୋଟୀ, ମୁକ୍ତାପୁର ଆଗ୍ରିଆ,ଏସ୍ଏସ୍ ନହଣ୍ଡାଶୋଳ, ପୁରିନ୍ଦା ଆଦି ୭ଟି ପଞ୍ଚାୟତ ରହିଛି । ସେହିପରି ୩୬ନଂ ଜିଲ୍ଲା ପରିଷଦରେ ବୈଶିଙ୍ଗା, ସନ୍ତରା, ହାତୀଝୁରୀ, ଯୁଗଳ, କେନ୍ଦୁଆ, ପାଟଳିପୁରା, ନଡପୁର,ଗଡଦେଉଳିଆ ପଞ୍ଚାୟତ ଥିବା ବେଳେ ୩୭ନଂ ଅଧିନରେ କଳମା,ପୁରୁଣିଆ, ମହିଷାଶୋଳ, ଆମ୍ବଗଡ଼ିଆ, ରଘୁପୁର, ଅଁଳା, ଚାଞ୍ଚିପଦା,ମେରଦା ଓ ସଇତପୁର ପଞ୍ଚାୟତ ରହିଛି । ବିଶେଷ କରି ଏହି ୩୭ନଂ ଜୋନର ପଞ୍ଚାୟତ ବାସୀ ଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ୨୮/୩୦କି.ମି. ରାସ୍ତା ଯିବାକୁ ପଡୁଛି । ଯେକୌଣସି ସରକାରୀ ଯୋଜନା ଯଥା ଆବାସ,ଭତ୍ତା, ରାସନ, ଆଧାର କାର୍ଡ ପାଇଁ ଗରୀବ, ଅସହାୟ ତଥା ଦିନ ମଜୁରିଆଙ୍କୁ ବ୍ଳକ କାର୍ଯ୍ୟାଳୟ ଯିବାପାଇଁ ହେଲେ ଅଧିକ ଅର୍ଥଶ୍ରାଦ୍ଧ ସହିତ ଗୋଟିଏ ଦିନ ପୁରା ବିତିଯାଉଛି । ସେମିତିରେ ବି ସ୍ୱଚ୍ଛ ସରକାରଙ୍କ ଦକ୍ଷ କର୍ମଚାରୀଙ୍କ ପାଇଁ ୫/୬ ଥର ଦୌଡିବାକୁ ପଡୁଛି । ବୈଶିଙ୍ଗାରେ ବ୍ଲକ କାର୍ଯ୍ୟାଳୟ ସ୍ଥାପନ ପାଇଁ ପ୍ରଶସ୍ତ ଜମି ସହିତ ଆନୁସଙ୍ଗିକ ସୁବିଧା ରହିଛି । କେବଳ ସରକାରୀ ସ୍ୱୀକୃତି ମିଳିଲେ ଏହା ସମ୍ଭବ ହୋଇପାରିବ । ଏଥିସହିତ ବୈଶିଙ୍ଗାକୁ କେନ୍ଦ୍ର କରି ରହିଥିବା ୧୭ଟି ପଞ୍ଚାୟତ ସହିତ ବୈଶିଙ୍ଗା ଥାନା ଅଧୀନରେ ଥିବା ଆଉ ୨୩ଟି ପଞ୍ଚାୟତ ମଧ୍ୟ ଉପକୃତ ହୋଇପାରିବେ । ଏଥି ସହିତ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଳକ୍ ଏବଂ ନିଳଗିରି ନିର୍ବାଚନ ମଣ୍ଡଳୀର କେତେକ ପଞ୍ଚାୟତ ବୈଶିଙ୍ଗା ବ୍ଲକ ସହିତ ସାମିଲ ହୋଇପାରିବେ । କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି । ଏଥିପାଇଁ ବ୍ଲକ୍ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଖୁବ୍ ଶୀଘ୍ର ଏକ ସର୍ବଦଳୀୟ ରାଜନୈତିକ ବୈଠକ ଡକାଯାଇ ଏହାର ସିଦ୍ଧାନ୍ତ ନିଆଯିବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ତେବେ ନିକଟରେ ଓଡ଼ିଶା ସରକାର ନୂତନ ବ୍ଲକ୍ ସୃଷ୍ଟି କରିବେ ବୋଲି ଖବର ଜାଣିବା ପରେ ଅଞ୍ଚଳବାସୀ ଚାହିଁ ବସିଛନ୍ତି ।