ବ୍ୟାଟେରୀ ଶକ୍ତି ସଂରକ୍ଷଣ ନେଇ କେଭିଙ୍କ ବୈଠକ
ଭୁବନେଶ୍ୱର: ରାଜ୍ୟରେ ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ସଂରକ୍ଷଣ, ବିଶେଷକରି ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ଉପରେ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଷ୍ଟ୍ରିଟ୍ ଲାଇଟ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି ।
ଶ୍ରୀ ସିଂହ ଦେଓ ବୈଠକରେ କହିଛନ୍ତି ଯେ, ଆମେ ନବୀକରଣୀୟ ଶକ୍ତି ଆଡକୁ ଅଗ୍ରସର ହେଉଥିବା ସମୟରେ ଓଡ଼ିଶା ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ପାଇଁ ଅଗ୍ରସର ହେଉଛି କାରଣ ଏହା ସମୟର ଆବଶ୍ୟକତା । ନବୀକରଣୀୟ ଶକ୍ତି ପଦକ୍ଷେପଗୁଡ଼ିକ କେବଳ ବିଦୁ୍ୟତ୍ କ୍ଷେତ୍ରକୁ ଡିକାର୍ବନାଇଜ କରିନାହିଁ ବରଂ ବ୍ୟାପକ ସହ-ଲାଭ ମଧ୍ୟ ପ୍ରଦାନ କରେ । ଯଥା ବର୍ଦ୍ଧିତ ଶକ୍ତି ପ୍ରବେଶ, ନିଯୁକ୍ତି ସୃଷ୍ଟି, ବାୟୁ ପ୍ରଦୂଷଣ ହ୍ରାସ, ଉତ୍ତମ ଜନସ୍ୱାସ୍ଥ୍ୟ ଫଳାଫଳ ଏବଂ ସୁଦୃଢ଼ ଗ୍ରାମୀଣ ଆୟ ବୃଦ୍ଧି କରିବ । ଓଡ଼ିଶାର ସ୍ୱଚ୍ଛ ଶକ୍ତି ବିପ୍ଳବ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଓ ସାମାଜିକ ନ୍ୟାୟ ପ୍ରଦାନ କରିବା ସହିତ ସମାନ ଭାବରେ ନିର୍ଗମନ ହ୍ରାସ କରିବ । ପ୍ରମୁଖ ସଚିବ ବିଶାଳ ଦେବ କହିଛନ୍ତି ଯେ, ଆମେ ପାଇଲଟ୍ ଭିତ୍ତିରେ ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍ ପାଇଁ ମଧ୍ୟ ଯୋଜନା କରୁଛୁ । ଏହି ଅବସରରେ ବେସିୟମ୍ ନାମକ ଏକ କମ୍ପାନୀ ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମ ଉପରେ ଏକ ଉପସ୍ଥାପନା ଦେଇଥିଲା ।