ଭତ୍ତା ଟଙ୍କା ବଣ୍ଟନରେ ବିଳମ୍ବ ଅଭିଯୋଗ 

 ଆସିକା: ଗଞ୍ଜାମ ଜିଲ୍ଲା ଆସିକା ପଞ୍ଚାୟତ ସମିତିର ନିମିନା ପଞ୍ଚାୟତରେ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ବଣ୍ଟନରେ ବିଳମ୍ବ ହୋଇଥିବା ନେଇ ଅଭିଯୋଗ ହୋଇଛି । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ବିକାଶାଧାରି ବ୍ୟକ୍ତି ସଶକ୍ତିକରଣ ବିଭାଗପକ୍ଷରୁ ଆସିକା ବ୍ଲକ ନିମିନା ପଞ୍ଚାୟତରେ ୧୧୭ ଜଣ ବିଧବା, ୧୭୬ ଜଣ ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ୧୪୬ ଜଣ, ସ୍ୱାମୀ ପରିତ୍ୟକ୍ତା ୧ ଜଣ, ଅବିବାହିତ ୩ ଜଣ, କୁଷ୍ଠ ରୋଗ ମୁକ୍ତ ୧ ଜଣ ସମେତ ମୋଟ ୪୪୪ ଜଣ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ରହିଛନ୍ତି । ସରକାରଙ୍କ ପକ୍ଷରୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ପ୍ରତ୍ୟେକ ପଞ୍ଚାୟତରେ ଗ୍ରାମପଞ୍ଚାୟତ ପଞ୍ଚାୟତ କାର୍ଯ୍ୟନିର୍ବାହୀ  ଅଧିକାରୀମାନେ ହିତାଧିକାରୀଙ୍କୁ ୧୦୦୦,୧୨୦୦ ଏବଂ ୩୫୦୦ ଟଙ୍କା ମାସର ୧୫ ତାରିଖରେ ବଣ୍ଟନ  କରିବା ନିୟମ ରହିଛି । ନୂତନ ସରକାର ଆସିଲା ପରେ ୮୦ ବର୍ଷରୁ ଉର୍ଦ୍ଧ ଏବଂ ୮୦% ଦିବ୍ୟାଙ୍ଗରୁ ଅଧିକ ଥିଲେ ୩୫୦୦ ଟଙ୍କା ଭତ୍ତା ମିଳିବ ବୋଲି କହିଥିଲେ । କିନ୍ତୁ ପଞ୍ଚାୟତର କେତେକ ଏଭଳି ବୃଦ୍ଧ, ବୃଦ୍ଧାଙ୍କୁ ୩୫୦୦ ଟଙ୍କାର ଆର୍ଥିକ ଅନୁଦାନ ମିଳୁନାହିଁ । ଏଥି ପାଇଁ ଗତ ୧୫ ତାରିଖରୁ ଭତ୍ତା ଟଙ୍କା ଉଠାଣ ପାଇଁ  ନିମିନା ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି ଅନିୟମିତତା ଉପଲବ୍ଧ କରି ଟଙ୍କା ଉଠାଣ ନକରି ଭତ୍ତା ଟଙ୍କା ବଣ୍ଟନ କରୁନଥିବା ପ୍ରକାଶ କରିଛନ୍ତି । ଏହାରି ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆକାଶିନୀ ନାୟକଙ୍କୁ ପଚାରିବାରୁ ସେ କହୁଛନ୍ତି ପ୍ରଥମେ ଉକ୍ତ ପଞ୍ଚାୟତର ପିଇଓଙ୍କୁ ଟଙ୍କା ବଣ୍ଟନ ଦାୟିତ୍ୱ ଦିଆଯାଇଛି । ଆସନ୍ତା  ମାର୍ଚ୍ଚ ୨୫ ସୁଦ୍ଧା ଟଙ୍କାର ହିସାବ ଦେବେ ବୋଲି କହିଛନ୍ତି । ବର୍ଦ୍ଧିତ ନୂତନ ପେନସନ ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀ ମାନଙ୍କ ତାଲିକା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପ୍ରେରଣ କରାଯାଇଛି । ସେଠାରୁ ଅନୁମୋଦନ ହୋଇ ଆସିଲେ ନିଶ୍ଚିତ ୩୫୦୦ ଟଙ୍କା ମିଳିବାକୁ ଥିବା ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ।