ସମୁଦ୍ରମୁହାଁ କଇଁଛ ଛୁଆ  : ୧କୋଟି ୮୨ଲକ୍ଷ ଛୁଆ ସମୁଦ୍ରକୁ ଗଲେ

 ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ନୂଆ ଅତିଥିଙ୍କୁ ଦେଖିବାକୁ ମିଳିଛି । ଦେଢମାସର ବ୍ୟବଧାନ ପରେ ଅଲିଭରିଡଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ର ମୁହାଁ ହେବାରେ ଲାଗିଛନ୍ତିି । ଶୁକ୍ରବାର ସକାଳ ସୁଦ୍ଧା ୧କୋଟି ୮୨ଲକ୍ଷ କଇଁଛ ଛୁଆ ବାହାରି ସମୁଦ୍ରର ନିଳ ଜଳରାଶିକୁ ଚାଲିଯାଇଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ସାଧାରଣତଃ ମା କଇଁଛ ସୂର୍ଯ୍ୟାସ୍ତ ପରେ ଓ ସୂର୍ଯେ୍ୟାଦୟ ପୂର୍ବରୁ ଉପରକୁ ଆସି ବାଲି ପଠାରେ ଦେଢ ଫୁଟର ଗାତ ଖୋଳି ୬୦ ରୁ ୧୦୦ ପର୍ଯ୍ୟନ୍ତ ଅଣ୍ଡାଦେଇ ବାଲି ଘୋଡାଇ ଦେଇ ସମୁଦ୍ର ମଧ୍ୟକୁ ଚାଲିଯାଇଥାନ୍ତି । ପ୍ରକୃତିର ନିୟମ ମାନି ଏହି ଅଲିଭରିଡଲେ ଶାବକମାନେ ସୂର୍ଯ୍ୟାସ୍ତରୁ ସୂର୍ଯେ୍ୟାଦୟ ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲି ଯାଇଥାନ୍ତିି । ଏପ୍ରିଲ ମାସର ଶେଷ ସପ୍ତାହରୁ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ କରିଛନ୍ତିି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନାଶୀ-୨ଓ ଏକକୂଳା ନାଶୀରେ ମୁଖ୍ୟତଃ ଗଣ ଅଣ୍ଡାଦାନ କରିଥାନ୍ତି । ଚଳିତ ବର୍ଷ ୬ଲକ୍ଷ ୪ହଜାର ୯୩୩ ମା କଇଁଛ ଗଣଅଣ୍ଡାଦାନରେ ସାମିଲ ହୋଇଥିବା ନେଇ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା ।