ଭବ୍ୟ ରୂପ ପାଇବ ରେଢାଖୋଲ ରେଳ ଷ୍ଟେସନ

ସମ୍ବଲପୁର : ଅମୃତ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ମଧ୍ୟ ଓଡ଼ିଶାର ଛଅଟି ରେଳଷ୍ଟେସନ ଉନ୍ନୟନ ଯୋଜନାର ରୂପରେଖ ନିର୍ଣ୍ଣୟ ହୋଇଛି  । ଷ୍ଟେସନ କୋଠାର ନୂତନ ଡିଜାଇନ୍ ଓ କାର୍ଯ୍ୟ ଯୋଜନା ଚୂଡ଼ାନ୍ତ ହୋଇଛି  । ଏହି ଛଅଟି ରେଳଷ୍ଟେସନ ମଧ୍ୟରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ରେଳଷ୍ଟେସନ ମଧ୍ୟ ଅନ୍ତର୍ଭୁକ୍ତ ।  ରେଢ଼ାଖୋଲ ରେଳଷ୍ଟେସନର କାୟାକଳ୍ପ ପରିବର୍ତ୍ତନ ପାଇଁ ୨୬ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ରେଳ ଷ୍ଟେସନର ପୁରୁଣା କୋଠା ସନ୍ନିକଟରେ ଆଉ ଏକ ସୁଦୃଶ୍ୟ ଷ୍ଟେସନ ବିଲଡିଂ ନିର୍ମିତ ହେବ  । ଷ୍ଟେସନ ପାଇଁ ଦୁଇଟି ପ୍ରବେଶ ଦ୍ୱାର ରହିବ  । ଷ୍ଟେସନ ସାମ୍ନା ରାସ୍ତା ତଳେ ଥିବା ବେଳେ ଷ୍ଟେସନ ଅନେକ ଉଚ୍ଚÿତାରେ ଅଛି  । ତେଣୁ ସହଜ ପ୍ରବେଶ ପାଇଁ ରେମ୍ପ ନିର୍ମିତ ହେବ  । ଏହା ସହିତ ଗାଡି ଗୁଡ଼ିକ ଯେପରି ସିଧାସଳଖ ଷ୍ଟେସନ ପ୍ରବେଶ ଦ୍ୱାର ସାମ୍ନାକୁ ଯାଇପାରିବ ଓ ଯାତ୍ରୀ ଓହ୍ଲାଇ ଷ୍ଟେସନରେ ପ୍ରବେଶ କରିପାରିବେ ତା'ର ମଧ୍ୟ ବ୍ୟବସ୍ଥା କରାଯିବ  । ଏହି ପ୍ରବେଶ ଓ ପ୍ରସ୍ଥାନ ସ୍ଥଳଟି ବିମାନବନ୍ଦର ରେ ଉପଲବ୍ଧ ସୁବିଧା ଭଳି ଛାତଯୁକ୍ତ ସେଡ ରହିବ । ସାମ୍ନାରେ ଘାସ ଗାଲିଚା ଯୁକ୍ତ ସୁନ୍ଦର ସ୍ଥାନ ସୃଷ୍ଟି କରାହେବ  । ଷ୍ଟେସନ କୋଠା ମଧ୍ୟରେ ଯାତ୍ରୀ ସୁବିଧାର ଉନ୍ନତିକରଣ ହେବ । ଫୁଟ ଓଭର ବ୍ରିଜ ୧୨ ମିଟର ଚଉଡା ବିଶିଷ୍ଟ ହେବ  । ଦୁଇଟି ଲିଫ୍ଟ ରହିବ  । ତିନୋଟି ପ୍ଲାଟଫର୍ମରେ ସାତୋଟି ଛାତଯୁକ୍ତ ସେଡ ରହିବ । ଉନ୍ନତ ପରିଶ୍ରାଗାର ଓ ପାଇଖାନା ରହିବ । ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା କରାଯିବ  । ୱାଇଫାଇ ଓ ଡିଜିଟାଲ ବୋର୍ଡÿ ମଧ୍ୟ ରହିବ  ।