ଅସାମାଜିକ ତତ୍ତ୍ୱ ଉପରେ ନିୟନ୍ତ୍ରଣ ଦାବି
ସମ୍ବଲପୁର: ନିକଟରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀ ଉପରେ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ପ୍ରୋଗ୍ରେସିବ ସମ୍ବଲପୁର ପକ୍ଷରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲା ଅରୀକ୍ଷକ ଅଜୟ କୁମାର ମିଶ୍ରଙ୍କୁ ସାକ୍ଷାତ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ କରିବା ସହ ସମ୍ବଲପୁରରେ ବଢୁଥିବା ହିଂସା ଉପରେ ନିୟନ୍ତ୍ରଣ ପାଇଁ ଦାବୀ କରିଥିଲେ । ବର୍ତ୍ତମାନ ଅସାମାଜିକ ତତ୍ତ୍ୱଙ୍କ ଯୋଗୁ ନିଶା କାରବାର ଓ ଜୁଆ ସଟ୍ଟା କାରବାର ବୃଦ୍ଧି ପାଇଛି । ସହର ରେ ବ୍ୟାପୁଥିବା ଅସାମାଜିକ ତତ୍ତ୍ୱ ର ନିରାକରଣ ଉପରେ ଯଥା ମହିଳା ଓ ଛାତ୍ରୀ ମାନେ ରହୁଥିବା ସ୍ଥାନ ରେ ପୋଲିସ ସୁରକ୍ଷା, ସାମାଜିକ ଗଣମାଧ୍ୟମର ଅପବ୍ୟବହାର, ଜାତି ଧର୍ମକୁ ନେଇ ଘୃଣାର ପ୍ରଚାର ଉପରେ ରୋକ, ସହରରେ ବ୍ୟାପୁଥିବା ବ୍ରାଉନ ସୁଗର, ଟ୍ୟାବଲେଟ, କୋରେକ୍ସ ଭଳି ନିଶା ବ୍ୟବସାୟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ପ୍ରତିନିଧି ଦଳ ଦୃଷ୍ଟି ଆକର୍ଷଣ କରିଥିଲେ । ସହରରେ ନିଶା କାରବାର କରୁଥିବା ବଡ଼ ବଡିୟାଙ୍କ ଉପରେ କୌଣସି ପଦକ୍ଷେପ ନ ନେବା ଯୋଗୁଁ ସମ୍ବଲପୁରରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଶାର ଶିକାର ହେଉଛନ୍ତି । ଏହା ଉପରେ ଛାତ୍ର ନେତା ମାନେ ଉଦ୍ବେଗ ପ୍ରକାଶ କରି ବର୍ତ୍ତମାନ ବଢ଼ିଥିବା ନିଶା କାରବାର ଉପରେ ନିୟନ୍ତ୍ରଣ ପାଇଁ ଦାବୀ କରିଥିଲେ । ଏହି ବୈଠକରେ ପ୍ରୋଗ୍ରେସିଭ ସମ୍ବଲପୁରର ସହ ଆବାହକ ଦେବଜ୍ୟୋତି ପଟ୍ଟନାୟକ ଏବଂ ସୁମିତ ପଟେଲ, ବିସିଜେଡି ଜିଲ୍ଲା ସମ୍ପାଦକ ଚୁମନ ପ୍ରଧାନ, ପ୍ରୋଗ୍ରେସିବ ଜି.ଏମ.ୟୁ ପ୍ରତିନିଧି ଶୁଭମ ସାହୁ, ମହିଳା ମହାବିଦ୍ୟାଳୟ ପ୍ରତିନିଧି ସୁଧାମୟୀ ବାଗ, କୁଚିଣ୍ଡା ମହାବିଦ୍ୟାଳୟ ପ୍ରତିନିଧି ଆର୍ଯ୍ୟନ ବହିଦାର, ଶୁଭମ ମହାନ୍ତି, ଶୁଭମ ତାଣ୍ଡି, ବିନୟ ସାହୁ ଉପସ୍ଥିତ ଥିଲେ ।