ଭାଗବତ ଓ ଶ୍ରୀ ଜଗନ୍ନାଥ
ଅଲେଖ ଚନ୍ଦ୍ର ସାମଲ : ଭାଗବତ ଆରମ୍ଭରେ ଜଗନ୍ନାଥ ଦାସ ପ୍ରଭୁ ନୃସିଂହଙ୍କର ଆଶୀର୍ବାଦ ଭିକ୍ଷା କରି ଲେଖିଛନ୍ତି, "ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ।' ଶ୍ରୀଜଗନ୍ନାଥଙ୍କୁ ଗୋଲକ ବିହାରୀ ବିଷ୍ଣୁରୂପେ ପ୍ରତିପାଦନ କରି ଜଗନ୍ନାଥ ଦାସ ତାଙ୍କ ଭାଗବତରେ ଲେଖିଛନ୍ତି - "ସେହୁ ଗୋଲାକ ନିତ୍ୟସ୍ଥଳ । ସେହିଟି ଗିରି ନୀଳାଚଳ, କୋଟିଏ ଯୁଗ ଯେବେ ଯାଇ । ଏଥିରେ ଲୀଳା ନ ସରଇ' । ବ୍ରହ୍ମରୂପୀ ଜଗନ୍ନାଥ ହେଉଛନ୍ତି ପରମବ୍ରହ୍ମ-ପରମାତ୍ମାଙ୍କର ପ୍ରତୀକ ମାତ୍ର । ଶ୍ୱେତାଶ୍ୱେତ ଉପନିଷଦରେ ପୁରୁଷୋତ୍ତମଙ୍କର ଲକ୍ଷଣ ସବୁ ବର୍ଣ୍ଣନା କରାଯାଇଛି । ହସ୍ତପଦ ନଥାଇ ସେ ସବୁ କାମ କରିପାରନ୍ତି ଓ ସମସ୍ତ ସ୍ଥାନକୁ ଯାଇପାରନ୍ତି । ଚକ୍ଷୁ ନଥାଇ ସେ ସର୍ବର୍ଦ୍ରଷ୍ଟା । କର୍ଣ୍ଣ ନଥାଇ ସେ ସର୍ବଶ୍ରୋତା, ସର୍ବଜ୍ଞାତା । ପାଟି ନଥାଇ ସେ ସକଳ ପ୍ରକାର ରସ ଗ୍ରହଣ କରନ୍ତି । ସେ ହିଁ ପରମାତ୍ମା - ପୁରୁଷୋତ୍ତମ । ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରି ପୁରୁଷ । ସମସ୍ତ ଅବତାର ତାଙ୍କଠାରୁ ସୃଷ୍ଟି ହୋଇଥାନ୍ତି ଓ ଲୀଳା ଶେଷରେ ତାଙ୍କଠାରେ ବିଲୟ ହୋଇଯାଆନ୍ତି । ଶ୍ରୀକୃଷ୍ଣ ଜନ୍ମର ସମସ୍ତ ଘଟଣା ହେଉଛି ଅଲୌକିକ ।
ମଥୁରାର ବନ୍ଦୀଶାଳାରେ ଦେବକୀଙ୍କ ଗର୍ଭରୁ ଜନ୍ମ ହେଲା ମାତ୍ରେ ପିତା ବସୁଦେବ କୃଷ୍ଣ ଆଜ୍ଞାରେ ଘନ ଅନ୍ଧକାରରେ ଗୋପପୁର ନନ୍ଦରାଜାଙ୍କ ଗୃହକୁ ନେଇଥିଲେ । ଏହା ବର୍ଣ୍ଣନା କରି ଭାଗବତରେ ଲେଖିଛନ୍ତି - "ଛିଣ୍ଡିଲା ପାଦର ଶିକୁଳି । ବାଟ କଢ଼ାଇଲା ବିଜୁଳି । ତିନ୍ତିବା ଦେଖି ଜଗନ୍ନାଥ, ଫଣାରେ ଢ଼ାଙ୍କିଲା ଅନନ୍ତ ।'ପତିତରୁ ମୁକ୍ତି ପାଇ ପାବନ ହେବା ହେଉଛି ମାନବର ଲକ୍ଷ୍ୟ । ତେଣୁ ପତିତ ମାନଙ୍କୁ ପାବନ କରିବା ପାଇଁ ଶ୍ରୀଜଗନ୍ନାଥ, ବଡ଼ଭାଇ ଓ ଭଉଣୀଙ୍କ ସହିତ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡର ରଥ ଉପରକୁ ଓହ୍ଲାଇ ଆସନ୍ତି । ପତିତପାବନ ଯାତ୍ରା ବା ରଥ ଯାତ୍ରାରେ ସାନ-ବଡ଼, ଧନୀ-ଦରିଦ୍ର, ବ୍ରାହ୍ମଣ-ଚଣ୍ଡାଳ ସମସ୍ତଙ୍କ ସହ ଏକାକାର ଜଣାପଡେ଼ ଯେ, ତାଙ୍କର ଅତିପ୍ରିୟ ଏହି ନବଦିନ ଯାତ୍ରାରେ ତାଙ୍କୁ ରଥ ଉପରେ ଦର୍ଶନ କରି ନିଜର ଦୁଃଖ ଜଣାଇ କେହି କେବେହେଲେ ନିରାଶ ହୋଇନାହିଁ ।
ମଣିଷ କର୍ମ ଅନୁସାରେ ଫଳ ପାଏ । ତାର ଭଲମନ୍ଦ ମରଣ କାଳରେ ଜଣାପଡେ଼ । ତେଣୁ ଭାଗବତରେ ଲେଖା ଅଛି - "କର୍ମ ଅନୁସାରେ ଫଳ ପାଇ । ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ । । ପ୍ରାଣୀର ଭଲମନ୍ଦ ବାଣୀ । ମରଣ କାଳେ ତାହା ଜାଣି । । ପରର ଉପକାର ନିମନ୍ତେ ଭାଗବତରେ ଲେଖା ଅଛି - "ଧନ୍ୟ ଏ ଜୀବନ ଜଗତେ । ଯେ ପ୍ରାଣୀ ଧରେ ପରହିତେ । ସର୍ବେ ଚଳିବେ କାଳବଳେ । ଯଶ ରହିବ ମହୀତଳେ । ।' ଅନ୍ୟକୁ କଷ୍ଟ ଦେଇ ଧନ ଉପାର୍ଜନ କରିବା କେବେହେଲେ ସୁଖଦାୟକ ନୁହେଁ । ତେଣୁ ଭାଗବତରେ ଲେଖାଅଛି - "କଷ୍ଟେ ଅର୍ଜିତ ଯେତେ ଧନ । ସେ ନୁହେଁ ସୁଖେ ପ୍ରୟୋଜନ ।' ଏ ସଂସାର ମାୟାଯୁକ୍ତ । ମାୟାରୁ ଦୂରରେ ରହିଲେ କାମ, କ୍ରୋଧ, ମୋହ, ଲୋଭ ଓ ଅହଂକାର ମନରେ ବ୍ୟାକୁଳତା ସୃଷ୍ଟି କରିପାରିବ ନାହିଁ । ତେଣୁ ଭାଗବତରେ ଲେଖାଅଛି - "ବୃକ୍ଷର ତଳେ ଯେହ୍ନେ ଆସି । ପଥିକ ବିଶ୍ରାମନ୍ତି ବସି, ତେମନ୍ତ ମାୟା ଏ ସଂସାର, କେ ପିତା କାହା କୁମର । ନୁହଁନ୍ତି ମାୟାରେ ମୋହିତ, ସେ ପ୍ରାଣୀ ମହା ଭାଗ୍ୟବନ୍ତ ।' ଭାଗବତରେ ପ୍ରଥମ ଦଶଟି ସ୍କନ୍ଧର ସାରମର୍ମ ହେଉଛି - ଏକାଦଶ ସ୍କନ୍ଧ । ଦଶଟି ସ୍କନ୍ଧ ଭଗବାନଙ୍କର ସ୍ୱରୂପ ହେଲେ, ଏକାଦଶ ସ୍କନ୍ଧଟି ଭଗବାନଙ୍କର ମୁଖ ସ୍ୱରୂପ । ଏହାକୁ ମୁକ୍ତିର ସ୍କନ୍ଧ କୁହାଯାଏ । ଭାଗବତ ସନ୍ନ୍ୟାସକୁ ଗ୍ରହଣ କରେନାହିଁ । ଗୃହସ୍ଥାଶ୍ରମରେ ରହି ଆସକ୍ତି ରହିତ ଜୀବନଯାପନ କରବା ଭାଗବତରୁ ଶିକ୍ଷା ମିଳେ । ଭାଗବତର ସମର୍ପଣ ଭାବ ଅନୁସାରେ ସବୁକିଛି ସେହି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରି ଜୀବନ ବିତାଇଲେ କି ଆନନ୍ଦ ମିଳେ, ତାହା କେବଳ ଅନୁଭବୀ ହିଁ ବର୍ଣ୍ଣନା କରିପାରେ । ତାଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ ।
ମୋ: ୯୪୩୭୨୫୭୧୨୩