ଭାଙ୍ଗିଦେଲେ ବାଂଲାଦେଶୀଙ୍କ ଘର : ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ

ଭାଙ୍ଗିଦେଲେ ବାଂଲାଦେଶୀଙ୍କ ଘର : ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ

ୟୁପି ଷ୍ଟାଇଲ୍‌ରେ ବୁଲିଲା ବୁଲଡୋଜର

ଜଗତସିଂହପୁର : ଜଗତସିଂହପୁରରେ ବୁଲିଛି ମୋହନ ସରକାରଙ୍କ ବୁଲଡେ଼ାଜର । ଅଟକ ବାଂଲାଦେଶୀଙ୍କ ଭଡ଼ାଘରକୁ ଜେସିବି ଲଗାଇ ପ୍ରଶାସନ ଭାଙ୍ଗିଦେଇଛି । ଯାହା ଏବେ ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ବେଆଇନ୍‌ ଭାବେ ରହୁଥିବା ବାଂଲାଦେଶୀଙ୍କ ମନରେ କମ୍ପନ ସୃଷ୍ଟିହୋଇଛି  ।

   ସୂଚନାଯୋଗ୍ୟଯେ, ଗତକାଲି ରାତିରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ଅଞ୍ଚଳର ବେହେରାମପୁରର ଏକ ବସ୍ତିରେ ଜଗତସିଂହପୁର ପୁଲିସ ଚଢ଼ାଉ କରି ଦୁଇ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖିଥିଲା । ପୁଲିସର ଚଢ଼ାଉ ସମୟରେ ପୁଲିସ ଓ ବାଂଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଉକ୍ତ ଅଞ୍ଚଳରେ ଏକ ଭଡା ଘରେ ୩୦ରୁ ଊଦ୍ଧ୍ୱର୍ ସନ୍ଦିଗ୍ଧ ବାଂଲାଦେଶୀ ଭଡା ରହୁଥିବା ସୂଚନା ମିଳିଥିଲା । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ପୁଲିସ ମୁତୟନ ହୋଇଥିବା ବେଳେ ଚଢ଼ାଉ ବେଳେ ୧୦ରୁ ଉଦ୍ଧ୍ୱର୍ ବାଙ୍ଗଲାଦେଶୀ ଫେରାର ହୋଇଯାଇଥିଲେ । ସେମାନେ ରହୁଥିବା ଘରୁ ଗୋଟେ ଦେଶୀ ବନ୍ଧୁକ ଏବଂ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ସେହିପରି ୫ଟି ଆନ୍ଧ୍ର କଟୁରି ସହିତ ଅନେକ ଆପତ୍ତି ଜନକ ସାମଗ୍ରୀ ମିଳିଥିଲା । ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଓ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଥିବା ଘରକୁ ଚିହ୍ନଟ କରାଯାଇ ଜେସବିରେ ଭଙ୍ଗା ଯାଉଥିବା ଦେଖିବାକୁ ମିଳିଥିଲା ।