ଭୋଜି ନକରିବାକୁ ଯାଜପୁର ଜିଲ୍ଲା ପ୍ରଶାସନର ପରାମର୍ଶ
ଯାଜପୁର /ଭୁବନେଶ୍ବର: ଯାଜପୁରରେ ଡାଇରିଆରେ ଶତାଧିକ ଆକ୍ରାନ୍ତ ପରେ ସତର୍କତା ଲାଗି ପ୍ରଶାସନ ପକ୍ଷରୁ ପରାମର୍ଶ । ସାମୂହିକ ସମାବେଶରେ ଭୋଜିର ଆୟୋଜନ ନ କରିବାକୁ କହିଛି ଜିଲ୍ଲା ପ୍ରଶାସନ । ଶତାଧିକ ଆକ୍ରାନ୍ତ ପରେ ୮ ଜଣଙ୍କଠାରେ ହଇଜା (କଲେରା) ଜୀବାଣୁ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଫୁଟା ଏବଂ ଫିଲଟର୍ ପାଣି ପିଇବା ସହ ଘରର ଗରମ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି ।
ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ଅନିୟନ୍ତ୍ରଣ ସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ରଜଛୁଟି ବାତିଲ କରିଛନ୍ତି । ଜୁନ ୧୪ରୁ ୧୬ ତାରିଖ ଯାଏଁ ଥିବା ଛୁଟିକୁ ବାତିଲ କରାଯାଇଛି। ଛୁଟିରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଥିବା ବେଳେ ଡାଇରିଆଜନିତ ମୃତ୍ୟୁ ୧୨ ଛୁଇଁଛି । ଧର୍ମଶାଳା, ଯାଜପୁରରୋଡ୍ (ବ୍ୟାସନଗର), ଦାନଗଦୀ, ସୁକିନ୍ଦା, କୋରେଇ, ରସୁଲପୁର, ଦଶରଥପୁର ବ୍ଲକ୍ ସମେତ ଅନ୍ୟ ଅଞ୍ଚଳକୁ ମଧ୍ୟ ଡାଇରିଆ ବ୍ୟାପିଛି ।
ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୨୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାପାଳ ପି .ଅନ୍ବେଷା ରେଡ୍ଡୀ ଆଭାସୀ ମାଧ୍ୟମରେ ପ୍ରତ୍ୟେକ ଗାଁରେ ଜଳଉତ୍ସ ସଫା କରିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୪/୫ଟି ପଞ୍ଚାୟତକୁ ନେଇ ଜଣେ ଲେଖାଏଁ ନୋଡାଲ୍ ଅଫିସର କାର୍ଯ୍ୟ ତଦାରଖ କରିବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିଛି । ଯାଜପୁର ଟାଉନ, ବ୍ୟାସନଗର ପୌରାଞ୍ଚଳରେ ଥିବା ବିଭିନ୍ନ ମିଠା ଦୋକାନ ଓ ହୋଟେଲ ଗୁଡ଼ିକ ଯାଞ୍ଚ କରାଯାଉଥିବା ବେଳେ ବାସିଖାଦ୍ୟ ବିକ୍ରି ହେଉଥିବା ଦୋକାନକୁ ସିଲ୍ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଚିକିତ୍ସାଳୟରେ ୧୧୨ ଜଣ ରୋଗୀ ଥିବାବେଳେ ଗତ ରାତିରେ ୧୮ ଜଣ ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି।