ମଣିପୁର ରାଜ୍ୟପାଳଙ୍କ ଆହ୍ୱାନ : ସପ୍ତାହ ମଧ୍ୟରେ ବେଆଇନ ଅସ୍ତ୍ରଶସ୍ତ୍ର ଫେରାଅ
ଗୌହାଟୀ: ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଗୁରୁବାର ହିଂସା ପ୍ରଭାବିତ ରାଜ୍ୟରେ ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ର ଫେରାଇବାକୁ ଲୋକଙ୍କୁ ୭ ଦିନର ସମୟ ସୀମା ଜାରି କରିଛନ୍ତି । ନିର୍ଦ୍ଧାରିତ ସମୟ ସରିବା ପରେ ଏଭଳି ଅସ୍ତ୍ରଶସ୍ତ୍ର ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଏକ ଆବେଦନରେ ଭଲ୍ଲା କହିଛନ୍ତି ଯେ ସରକାରୀ ଅସ୍ତ୍ରଶସ୍ତ୍ର ସମେତ ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଲୁଟ୍ କିମ୍ବା ବେଆଇନ ଭାବେ ନିଆଯାଇଥିବା ଅସ୍ତ୍ରଶସ୍ତ୍ରକୁ ନେଇ ରାଜ୍ୟ ସରକାର ଗଭୀର ଚିନ୍ତିତ । ଏହି ଅସ୍ତ୍ରଶସ୍ତ୍ର ସମାଜର ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିଛି ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍ଭାବନାକୁ ପ୍ରଭାବିତ କରୁଥିବା କ୍ରମାଗତ ଘଟଣା ଯୋଗୁଁ ଗତ ୨୦ ମାସ ଧରି ଉଭୟ ଉପତ୍ୟକା ଏବଂ ପାହାଡ଼ର ଲୋକମାନେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥିତି ସ୍ୱାଭାବିକ କରିବା ପାଇଁ ଯେପରି ଲୋକମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପକୁ ଫେରିପାରିବେ, ସେଥିପାଇଁ ରାଜ୍ୟର ସମସ୍ତ ସମ୍ପ୍ରଦାୟ ଶତ୍ରୁତା ବନ୍ଦ କରିବା ଏବଂ ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି ।
ବିଶେଷ କରି ଉପତ୍ୟକା ଓ ପାହାଡ଼ର ଯୁବକମାନେ ଆଗେଇ ଆସି ଲୁଟ୍ ଓ ବେଆଇନ ଭାବେ ଧରିଥିବା ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦକୁ ଆସନ୍ତା ୭ ଦିନ ମଧ୍ୟରେ ପୁଲିସ କିମ୍ବା ସୁରକ୍ଷା ବାହିନୀ ନିକଟରେ ଦାଖଲ କରିବାକୁ ସେ ନିବେଦନ କରିଛନ୍ତି । ଏହି ଅସ୍ତ୍ରଶସ୍ତ୍ର ଫେରାଇବାର ଆପଣଙ୍କର ଏକମାତ୍ର କାର୍ଯ୍ୟ ଶାନ୍ତି ସୁନିଶ୍ଚିତ କରିବା ଦିଗରେ ଏକ ଶକ୍ତିଶାଳୀ ପଦକ୍ଷେପ ହୋଇପାରେ । ମୁଁ ଆପଣଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏଭଳି ଅସ୍ତ୍ରଶସ୍ତ୍ର ଫେରାଇ ଦିଆଯାଏ ତେବେ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଏହାପରେ ଏଭଳି ଅସ୍ତ୍ରଶସ୍ତ୍ର ରଖିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ ଚେତାବନୀ ଦେଇଛନ୍ତି । ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଆସନ୍ତୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶା ଓ ବିଶ୍ୱାସ ସହିତ ଆମ ରାଜ୍ୟର ପୁନଃନିର୍ମାଣ କରିବା । ଆଗକୁ ଆସନ୍ତୁ ଏବଂ ଶାନ୍ତି ଚୟନ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।