ମଧ୍ୟାହ୍ନଭୋଜନ ଟଙ୍କାଏ ବଢ଼ିଲା ନଭେମ୍ବର ୧୪ରୁ ଲାଗୁ
ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ଅର୍ଥ ୧ ଟଙ୍କା ବୃଦ୍ଧି କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ଉଲ୍ଲେଖ ରହିଛିଯେ, ପିଏମ ପୋଷଣ ଯୋଜନାରେ କେନ୍ଦ୍ର ସରକାର ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ନିମନ୍ତେ ପିଲା ପିଛା ୫ ଟଙ୍କା ୪୫ ପଇସା ଓ ଉଚ୍ଚ ପ୍ରାଥମିକ ପାଇଁ ମୁଣ୍ଡ ପିଛା ୮ ଟଙ୍କା ୧୭ ପଇସା ଦେଉଛନ୍ତି ।
ଏଥିରେ ରାଜ୍ୟ ସରକାର ରୋଷେଇ ଖର୍ଚ୍ଚ ବାବଦରେ ପ୍ରାଥମିକ ବିଦ୍ୟାଳୟ ନିମନ୍ତେ ୪୫ ପଇସା ଓ ଉଚ୍ଚ ପ୍ରାଥମିକ ପାଇଁ ୬୫ ପଇସା ଅତିରିକ୍ତ ଅର୍ଥ ଦେଉଥିଲେ । ଫଳରେ ମଧ୍ୟାହ୍ନଭୋଜନ ନିମନ୍ତେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଯଥାକ୍ରମେ ୫ ଟଙ୍କା ୯୦ ପଇସା ଓ ୮ ଟଙ୍କା ୮୨ ପଇସା ଦେଉଥିଲେ । କିନ୍ତୁ ଦରଦାମ୍ ବଢ଼ିଥିବାରୁ ରାଜ୍ୟ ସରକାର ରୋଷେଇ ଖର୍ଚ୍ଚ ପାଇଁ ଆଉ ୧ ଟଙ୍କା ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଏଣିକି ପ୍ରାଥମିକ ବିଦ୍ୟାଳୟରେ ପିଲା ପିଛା ୬ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୁଣ୍ଡ ପିଛା ୯ ଟଙ୍କା ୮୨ ଟଙ୍କା ମିଳିବ । ନଭେମ୍ବର ୧୪ରୁ ପିଛିଲା ଭାବେ ଏହା ଲାଗୁ କରାଯିବ ।