ମନ ମୋହିଲା "ମଣ୍ଡେଇ'
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଳା, ସଂସ୍କ୍ରୁତି, ଐତିହ୍ୟ, ପରମ୍ପରାର ପର୍ବ "ମଣ୍ଡେଇ' ବ୍ଲକ୍ସ୍ତରରେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ପାରମ୍ପରିକ ଦେଶିଆ ନାଚ ସହ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ଆଜି ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧଣ୍ଡରା ଗ୍ରାମ ପଞ୍ଚାୟତ ଠାରେ ପାରମ୍ପରିକ ଭାବରେ ଜିଲ୍ଲା ସ୍ତରୀୟ ମଣ୍ଡେଇର ଶୁଭ କାର୍ଯ୍ୟ ସମାପନ ହୋଇଯାଇଛି । ଧଣ୍ଡରା ଗ୍ରାମର ଇଷ୍ଟ ଦେବୀ ଡଙ୍ଗର ଦେଇଙ୍କର ମନ୍ଦିରରୁ ପାହାଡ଼ ଉପରେ ଥିବା ଝାଡେଶ୍ୱର ଶିବ ମନ୍ଦିରରୁ ମଶାଲ ଆଣି ବାଲି ଚାଙ୍ଗଡ଼ା ଧରି ମା ଓ ଭଉଣୀମାନେ ମଶାଲ ଶୋଭାଯାତ୍ରାରେ ନବରଙ୍ଗପୁର ଠାରୁ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତାରେ ଦେଇ ନରସିଂହ ଗୁଡା ଓ ଧଣ୍ଡରା ମଝି ଭାଗରେ ଥିବା ପଡିଆରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ପ୍ରାୟ ୧୮ ଟି ସାଂସ୍କୃତିକ ଦଳ ସାମିଲ ହୋଇ ମଶାଲକୁ ପାଛୋଟି ନେଇଥିଲେ । ଶୋଭାଯାତ୍ରାରେ ଦିବସର ମୁଖ୍ୟ ଅତିଥି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ , ଝରୀଗାଁ ବିଧାୟକ ନରସିଂହ ଭତରା , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଜିଲ୍ଲାପାଳ ଡ଼ ଶୁଭଂକର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ନବୀନ ଚନ୍ଦ୍ର ନାୟକ, ସିଡିଓ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ , ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଧଣ୍ଡରା ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର ବିଡିଓ, ବ୍ଲକ କର୍ମଚାରୀ, ମଣ୍ଡେଇର ବିଭିନ୍ନ କମିଟିର ସଦସ୍ୟ, କଳାକାରଙ୍କ ସହ ବହୁ ଗ୍ରାମରୁ ଆସିଥିବା ଦର୍ଶକମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ମଣ୍ଡେଇ ୨୦୨୪ର ପୋଷ୍ଟର ଓ ଲୋଗୋ ଅତିଥି ଗଣ ଉନ୍ମୋଚନ କରିଥିଲେ । ଅତିଥିମାନଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସ୍ୱାଗତ କରାଯାଇଥିଲା । ଜିଲ୍ଲାର କଳା, ସଂସ୍କୃତି, ଐତିହ, ପରମ୍ପରାକୁ ବଞ୍ଚାଇବା ଏବଂ ଜିଲ୍ଲାର ବିକାଶ ପାଇଁ ସମସ୍ତେ ଐକବଦ୍ଧ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ ।