ମରଣଯନ୍ତା ପାଲଟିଛି ରାଜ୍ୟ ରାଜପଥ
ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା : ଗମନାଗମନର ସୁବିଧା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ପାଇଁ ରାସ୍ତା ନିର୍ମାଣର ଦିନ କେଇଟା ପରେ ତାହା ପୂର୍ବ ଅବସ୍ଥାକୁ ଫେରି ଆସୁଛି । ଖୋର୍ଦ୍ଧା ଜିଲ୍ଲା ବାଘମାରି ଠାରୁ କଳାପଥର ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ଅଧୀନରେ ଥିବା ୪୮ ନଂ ରାଜ୍ୟ ରାଜପଥ ଅବସ୍ଥା ନଦେଖିଲେ ବିଶ୍ୱାସ କରି ହେବନି । କେଉଁଠି ରାସ୍ତା ଦବି ଗଲାଣି, ଆଉ କେଉଁଠି ରାସ୍ତାରୁ ପିଚୁ ଉଠି ବଡ଼ ବଡ଼ ଖାଲ ହେଲାଣି । ଖରାଦିନେ ଯଦି ରାସ୍ତାର ଏଭଳି ଅବସ୍ଥା ତେବେ ବର୍ଷା ଦିନେ କଣ ନହେବ । ଏହି ରାସ୍ତାର ବାଘମାରି ଠାରୁ ସିମର ମଧ୍ୟରେ ରାସ୍ତା ଦବି ଫାଟି ଯାଇଥିବା ବେଳେ,ବଡ଼ବେରଣା ଠାରୁ ଗେଡିଆପଲି ମଧ୍ୟରେ ରାସ୍ତାରୁ ପରସ୍ତ ପରସ୍ତ ହୋଇ ପିଚୁ ଉଠି ଗାତ ସୃଷ୍ଟି ହେଲାଣି । କେବଳ ସେତିକି ନୁହେଁ । କୋଦୁଅବେରେଣୀ ସ୍କୁଲ ନିକଟ ରାସ୍ତା ଉପରେ ଆଣ୍ଠୁଏ ଖାଲ ସୃଷ୍ଟି ହୋଇଛି । ଯେଉଁଥି ପାଇଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଏବଂ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଏହି ରାସ୍ତାର ଉନ୍ନତି କରଣ କରାଯାଇଥିଲା । ବିଭାଗୀୟ ଅଧିକାରୀଙ୍କ ଦୁରଦୃଷ୍ଟି ଅଭାବ ଓ ଠିକାଦାରଙ୍କ ନିମ୍ନ ମାନର କାମ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଉଛି । ଏହି ରାସ୍ତା ନୟାଗଡ଼ ଜିଲ୍ଲା ଫତେଗଡ଼ ସ୍ଥିତ ରାମମନ୍ଦିର ଓ କଣ୍ଟିଲୋ ନୀଳମାଧବ କ୍ଷେତ୍ରକୁ ସଂଯୋଗ କରୁଛି । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଯାତାୟାତ କରୁଥିବା ବେଳେ ରାସ୍ତାର ଅବସ୍ଥାକୁ ଦେଖି ସରକାର ଏବଂ ବିଭାଗକୁ ସମାଲୋଚନା କରୁଛନ୍ତି । ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ସ୍ଥାୟୀ ସମାଧାନ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏ ସମର୍କରେ ଅଧିକ୍ଷଣ ଯନ୍ତ୍ରୀ ଶିବଲାଲ ସାହୁଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି ରାସ୍ତା ପାଣି ଜମିବାରୁ ଏଭଳି ପରିସ୍ଥିତି ହୋଇଛି ଏବଂ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ।