ମରାମତି ହେଉନି... ଅଦିନିଆ ବର୍ଷାରେ ବେହାଲ ସିଂହପୁର-କଣ୍ଡିଆ ରାସ୍ତା 

 ସିଂହପୁର: ମାସ ମାସଧରି ରାସ୍ତା ଖାଲଖମାରେ ଭର୍ତି ହୋଇଥିଲେ ହେଁ ପୂର୍ତ ବିଭାଗ ମରାମତି କରିବାକୁ ମନ ବଳାଉନି । ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ କାଳ ବୈଶାଖୀ ବର୍ଷାରେ ସଂପୃକ୍ତ ରାସ୍ତା ବେହାଲ ହୋଇପଡ଼ିଛି । ଅଦିନିଆ ବର୍ଷାରେ ଖାଲସ୍ଥାନରେ ଜମିରହିଛି ଗୋଇଠେ ଉଚର ପାଣି । ଯାହା ଚଳପ୍ରଚଳ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ବାଇକ ଆରୋହୀ ଦୁର୍ଘଟଣା ସମ୍ମୁଖିନ ହେଉଛନ୍ତି । ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର-କଣ୍ଡିଆ ଆରଆଣ୍ଡବି ରାସ୍ତା ଅଂଚଳର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଭାବେ ବିବେଚିତ । ରାସ୍ତାର କେତେକ ସ୍ଥାନରେ ଖାଲ ଥିବାରୁ ସାମାନ୍ୟ ବର୍ଷାରେ ରାସ୍ତାରେ ପାଣି ଜମି ରହି ଲହଡ଼ି ମାରୁଛି । ବିଶେଷ କରି ସିଂହପୁର ଗ୍ରାମର ଶେଷ ସୀମାର ଦଳିତ ସାହି ନିକଟ, ଦଳେଇ ଛକ ନିକଟରେ ଖାଲ ଜଟିଳ ସମସ୍ୟା ସୃଷ୍ଟି କରିଛି । 
ଏହି ମୁଖ୍ୟ ରାସ୍ତାରେ ଅହରହ ଗାଡି ଯାତାୟତ କରୁଥିଲେ ବିଭାଗୀୟ ଅଧିକାରୀ ଏହାକୁ ମରାମତି କାର୍ଯ୍ୟ କରୁନାହାନ୍ତି । ବାଇକ ଚାଳକ ମାନେ ପଡ଼ି ଆହତ ହେଉଥିବା ଦେଖିବାକୁ ମିଳୁଛି । ଜନସାଧାରଣଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇ ଥିଲେ ମଧ୍ୟ ରାସ୍ତା ମରାମତି କରାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଓ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।