ମହରାଯୋର ଗାଁର କାହାଣୀ: ଦାଦନରୁ ସ୍ୱାଭିମାନର ଯାତ୍ରା
ନୂଆପଡାରୁ ପରମେଶ୍ୱର ବାରିକ : ନୂଆପଡା ଜିଲ୍ଳା ବୋଡ଼େନ ବ୍ଲକ୍ର ମହରାଯୋର ଗାଁ । ଗାଁରେ ପାରମ୍ପରିକ କୁମ୍ଭାର ସମ୍ପ୍ରଦାୟର ଅନେକ ପରିବାର ବସବାସ କରନ୍ତି । କୌଳିକ କର୍ମରେ ପରିବାର ପ୍ରତିପୋଷଣ ସମ୍ଭବ ହେଉ ନଥିବାରୁ ଅଭାବ ଅନାଟନ ମଧ୍ୟରେ ଏମାନେ ଦିନେ ଗାଁ ଛାଡି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଥିଲେ । ସେମାନଙ୍କ ପାଇଁ କଷ୍ଟକର ଜୀବନ ସହିତ ପରିବାରର ବୁଢ଼ାବୁଢ଼ୀ ଏବଂ ଛୋଟ ଛୋଟ ପିଲା ଛୁଆମାନେ ଏହାଦ୍ୱାରା ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ କିନ୍ତୁ ନୂଆପଡା ଜିଲ୍ଳା ପ୍ରଶାସନ ଓ ହସ୍ତଶିଳ୍ପ ବିଭାଗର ସହାୟତା ସେମାନଙ୍କ ଜୀବନ ଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ହସ୍ତଶିଳ୍ପ ବିଭାଗ ତରଫରୁ ସେମାନଙ୍କୁ ଅଭିଜ୍ଞ ପ୍ରଶିକ୍ଷକ ମାନଙ୍କ ଦ୍ୱରା ଟେରାକୋଟା ନିର୍ମାଣ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଯାହା ସେମାନଙ୍କ ଜୀବନରେ ନୂତନ ସମୃଦ୍ଧି ଆଣିଦେଇଛି । ଅତୀତର ଦାଦନ ଶ୍ରମିକ ଯୋଗେଶ୍ୱର ରଣା ଯିଏକି ବର୍ତ୍ତମାନର ଜଣେ ଟେରାକୋଟା ମାଷ୍ଟର୍ ଟ୍ରେନର କହନ୍ତି, କେବେ ଦିନେ ଆମେ ଅନ୍ୟ ରାଜ୍ୟକୁ ଯାଇ ଇଟାଭାଟି ମାଲିକଙ୍କ ପାଇଁ ମାଟି ଚକଟୁ ଥିଲୁ । କିନ୍ତୁ ଏବେ ଜିଲ୍ଳା ପ୍ରଶାସନ ସହାୟତାରେ ନିଜ ଘରେ ଥାଇ ନିଜ ଗାଁର ମାଟି ଚକଟି ଆମେ ସ୍ୱାଭିମାନ ସହିତ ବଞ୍ଚି ପାରୁଛୁ । ଟେରାକୋଟା ଶିଳ୍ପ ଆମକୁ ଏକ ନୂତନ ପରିଚୟ ସହିତ ଜୀବଦାନ ଦେଇଛି । ସୂଚନାଯୋଗ୍ୟ ଯେ, ଜିଲ୍ଲା ହସ୍ତଶିଳ୍ପ ବିଭାଗ ସହାୟତାରେ ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଯନ୍ତ୍ରଚାଳିତ କୁମ୍ଭାର ଚକ ଦ୍ୱାରା କମ୍ ପରିଶ୍ରମରେ ସୁନ୍ଦର ସୁନ୍ଦର ଟେରାକୋଟା ସମାଗ୍ରୀ ନିର୍ମାଣ କରି ପାରୁଛନ୍ତି । ଗାଁରେ ମା’ ଜୟଦୂର୍ଗା ଓ ମା’ ମାଣିକେଶ୍ୱରୀ ନାମରେ ଦୁଇଟି ମହିଳା ସ୍ୱୟଂ ସହାୟକ ଦଳ ଗଠିତ ହୋଇଛି । ଏଥିରେ ତିରିଶଟି ପରିବାର ଯୋଡି ହୋଇଛନ୍ତି । ନିଜ ଗାଁରେ ନିଜ ଘରେ ରହି ସେମାନେ ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ହସ୍ତଶିଳ୍ପ ବିଭାଗ ଦ୍ୱାରା ସେମାନଙ୍କ ଉତ୍ପାଦ ସବୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ମାଧ୍ୟମରେ ବିକ୍ରୀବଟା କରିବା ସୁଯୋଗ ଯୋଗାଇ ଦିଆଯାଉଛି । ଏହାଦ୍ୱାରା ସେମାନେ ବେଶ୍ ଦୁଇ ପଇସା ରୋଜଗାର କରି ଖୁସିରେ ଜୀବନ ଯାପନ କରି ପାରୁଛନ୍ତି । ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଏବେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ପାଇଁ ଯେଉଁ ଅଭିଯାନ ଚଳାଇଛନ୍ତି, ସେଥିରେ ମହାରାଜୋର ଗାଁ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି ।